ରାତିଅଧିଆ ଡ୍ରେନ କାର୍ଯ୍ୟକୁ ନେଇ ଗ୍ରାମରେ ଉତ୍ତେଜନା,ଛାୟା ସରପଞ୍ଚଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ..

ତିର୍ତୋଲ(ରଞ୍ଜନ କୁମାର ମଲ୍ଲିକ)
ଜଗତସିଂହପୁର ଜିଲ୍ଲା ର କୁଜଙ୍ଗ ବ୍ଲକ ବଣିତୋ ପଞ୍ଚାୟତର ଡଗରପଡା ଗ୍ରାମର ୧୧ ନମ୍ବର ୱାର୍ଡରେ ରାତିଅଧିଆ ଚାଲିଥିବା ଜଳ ନିଷ୍କାସନ ପଥ (ଡ୍ରେନ) ନିର୍ମାଣ କାର୍ଯ୍ୟକୁ ନେଇ
ଗ୍ରାମବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଲୋକଙ୍କ ସହ କୌଣସି ଆଲୋଚନା ନ କରି ଛାୟା ସରପଞ୍ଚଙ୍କ ପରୋକ୍ଷ ନିର୍ଦ୍ଦେଶରେ ତାଙ୍କ ମନୋନିତ ଠିକାଦାରଙ୍କ ଦ୍ୱାରା ରାତିଅଧିଆ କାମକୁ ଗ୍ରାମବାସୀ ମାନେ ଘୋର ବିରୋଧ କରିଛନ୍ତି। ସୂଚନା ଥାଉକି ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ କାର୍ଯ୍ୟ ସ୍ଥଳୀରେ ସୂଚନା ଫଳକ ମରାଯିବାର ନିର୍ଦେଶ ରହିଛି। ସୂଚନା ଫଳକରେ କାର୍ଯ୍ୟର ସମସ୍ତ ବିବରଣୀ ଉଲ୍ଲେଖ ରହିବା କଥା। ତାହା ଏଠାରେ କରାଯାଇନାହିଁ। ଏଥିରେ ସ୍ପଷ୍ଟ ବାରିହୋଇ ପଡୁଛି ଯେ ଛାୟା ସରପଞ୍ଚ ଓ ଠିକାଦାର ଙ୍କ ଭିତରେ “ରାଧେ ରାଧେ ତୋର ଅଧେ କୁ ମୋର ଅଧେ”ନୀତିରେ ଉକ୍ତ କାର୍ଯ୍ୟ କରାଯାଉଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ଡ୍ରେନ କାର୍ଯ୍ୟ ଅକ୍ଷୟ ମିଶ୍ରଙ୍କ ଘର ଠାରୁ ଶୁଣ୍ଢି ମୁହଁ ଛକ ପର୍ଯ୍ୟନ୍ତ ହେବାକୁ ଯୋଜନା ଥିବା ବେଳେ ବର୍ତ୍ତମାନ ତରବରିଆ ଭାବରେ ଗ୍ରାମର ମଝି ଭାଗରୁ ଶୁଣ୍ଢି ଛକ ପର୍ଯ୍ୟନ୍ତ କାମ କରାଯାଉଛି।ଏହା ଦ୍ୱାରା ପ୍ରକୃତ ଜଳ ନିଷ୍କାସନ ସମସ୍ୟାର ସମାଧାନ ହେବ ନାହିଁ ଓ ସରକାରୀ ଅର୍ଥ କେବଳ ବ୍ୟର୍ଥ ହେବ ବୋଲି ଅଭିଯୋଗ ଉଠିଛି।ଅନ୍ୟ ପକ୍ଷରେ, ଦିନ ରାତି ଭେଦ ନ ରଖି ରାତି ୧୦ ଘଣ୍ଟା ପର୍ଯ୍ୟନ୍ତ କାମ କରାଯାଉଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଡ୍ରେନ ଖୋଳାଯିବା ସମୟରେ ବାହାରୁଥିବା ମାଟିକୁ ରାତିରେ ବିକ୍ରି କରାଯାଉଥିବା ନେଇ ଗ୍ରାମବାସୀ ଗୁରୁତର ଅଭିଯୋଗ ଆଣିଛନ୍ତି। ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ ତେବେ ଏହା ସରକାରୀ ସମ୍ପତ୍ତିର ଅପ ବ୍ୟବହାରର ଗମ୍ଭୀର ଘଟଣା ହେବ।ସବୁ ଠାରୁ ବିଡମ୍ବନାର ବିଷୟ ହେଉଛି କାମ କରୁଥିବା ଠିକାଦାର ମେଗା ପ୍ରକଳ୍ପ ଦ୍ଵାରା ବିଛା ଯାଇଥିବା ପାଇପ ଲାଇନ ର ପାଇପ କୁ ଠିକାଦାର ମେସିନ ସାହାଯ୍ୟ ରେ ଖଣ୍ଡ ବିଖଣ୍ଡିତ କରି ପକାଇଛନ୍ତି।ଫଳରେ ଡଗରପଡା ଗ୍ରାମବାସୀ ମାନେ ଖରା ଦିନେ ପାଣି ସମସ୍ୟାରେ ଫସି ଯାଇଛନ୍ତି। ତଥାପି ଏହାର ମରାମତି କିମ୍ବା ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ଲୋକଙ୍କ ମଧ୍ୟରେ କ୍ଷୋଭ ବଢ଼ିଛି।ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରୁ କୌଣସି ସ୍ପଷ୍ଟ କିମ୍ବା ସନ୍ତୋଷ ଜନକ ଉତ୍ତର ମିଳିନଥିବା ବେଳେ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସହ ଫୋନ ଯୋଗେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିବା ଅଭିଯୋଗ ହୋଇଛି।ଏହା ଫଳରେ ପ୍ରକଳ୍ପର ସ୍ୱଚ୍ଛତା ଓ କାର୍ଯ୍ୟନିର୍ବାହକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।
ଗ୍ରାମବାସୀଙ୍କ ମତରେ ସରପଞ୍ଚ, କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଅସାଧୁ ବୁଝାମଣା ଯୋଗୁଁ ଏହି କାମ ମନମୁଖୀ ଭାବରେ କରାଯାଉଛି ଓ ସରକାରୀ ଅର୍ଥର ଖୋଲା ଖୋଲି ଅପଚୟ ହେଉଛି। କନିଷ୍ଠ ଯନ୍ତ୍ରୀ କବିରଞ୍ଜନ ମହାପାତ୍ର ଙ୍କ ଦ୍ଵାରା କାର୍ଯ୍ୟର ଅର୍ଥ ଆକଳନ, ସୀମା ନିର୍ଦ୍ଧାରଣ ନ କରାଯାଇ ଉକ୍ତ କାର୍ଯ୍ୟ କିପରି କରାଯାଉଛି ତାହା ଲୋକଙ୍କ ସରକାର ପାଇଁ ଏକ ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।
