ଅଯୋଧ୍ୟା ସରୋବର ଉନ୍ନତିକରଣ ପ୍ରକଳ୍ପ ସମ୍ବଲପୁର ପାଇଁ ବହୁମୁଖୀ ବିକାଶର ଏକ ସ୍ୱର୍ଣ୍ଣିମ ପୃଷ୍ଠା- ମାନସ ବକ୍ସି
ସମ୍ବଲପୁର: ସମ୍ବଲପୁର ସହର ମହାନଦୀ କୂଳ ରେ ଥିବା ଅଯୋଧ୍ୟା ସରୋବର ଓ୍ୱେୟାର ନିକଟରେ ମହାନଦୀରେ ୪୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏକ ନୂତନ ଅନ୍ତ ନଦୀ ଜଳାଶୟ (ଆଇଏସଏସ) ବ୍ରିଜ୍-କମ୍-ବ୍ୟାରେଜ୍ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏହି ପଦକ୍ଷେପ ସମ୍ବଲପୁର ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗମନାଗମନକୁ ସୁଦୃଢ଼ କରିବ ଏବଂ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ସହ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ବେଶ୍ ସହାୟକ ହେବ । କୃଷି, ପଶୁପାଳନ ଓ ମତ୍ସ୍ୟ ଚାଷ ସମେତ ଆନୁଷଙ୍ଗିକ ଜୀବିକା ସୁଦୃଢ଼ ହେବ । ପ୍ରକଳ୍ପଟି ନୌଚାଳନା ଭଳି ପର୍ଯ୍ୟଟନ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ସହିତ ମା’ ସମଲେଶ୍ୱରୀ ମନ୍ଦିର ପାଇଁ ଏକ ସୁନ୍ଦର ଆଳତି ଘାଟ ଭାବେ ବିକଶିତ ହୋଇ ଧାର୍ମିକ ଓ ସାଂସ୍କୃତିକ ପରିବେଶକୁ ଅଧିକ ସମୃଦ୍ଧ କରିବ ବୋଲି ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି କହିଛନ୍ତି ।
ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଙ୍କ ପ୍ରଚେଷ୍ଟା ରେ ଆଜି ଏହି ଯୋଜନା ସଫଳ ରୂପାୟନ ନେବାକୁ ଯାଉଛି । ଏଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଙ୍କୁ ଶ୍ରୀ ବକ୍ସି ଧନ୍ୟବାଦ ଜଣାଇଛନ୍ତି ।ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସମ୍ବଲପୁର ବହୁମୁଖୀ ପର୍ଯ୍ୟଟନ ଇତିହାସରେ ଏକ ମାଇଲଖୁଣ୍ଟ ହେବ।
