May 28, 2026

ପାରାଦୀପ ରେ jsw ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ..

IMG-20260528-WA0008
Share

 

ଓଡ଼ିଶାର ଶିଳ୍ପ ଇତିହାସରେ ଯୋଡ଼ିଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ପାରାଦ୍ୱୀପ ଏରସମା ଅଞ୍ଚଳରେ JSW Steel ର ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ଏହି ବିଶାଳ ପୁଞ୍ଜି ନିବେଶକୁ ଓଡ଼ିଶାର ଔଦ୍ୟୋଗିକ କ୍ରାନ୍ତିର ନୂଆ ଅଧ୍ୟାୟ ବୋଲି କୁହାଯାଉଛି।

ଢ଼ିଙ୍କିଆ ଅଞ୍ଚଳରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଦେଶର “ଷ୍ଟିଲ୍ ରାଜଧାନୀ” ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ। ଡବଲ ଇଞ୍ଜିନ ସରକାରଙ୍କ ଦ୍ରୁତ କାର୍ଯ୍ୟଶୈଳୀ ଫଳରେ ୨୦୨୮ ସୁଦ୍ଧା ଏହି ପ୍ଲାଣ୍ଟରୁ ଷ୍ଟିଲ୍ ଉତ୍ପାଦନ ଆରମ୍ଭ ହେବ ବୋଲି ସେ ଗ୍ୟାରେଣ୍ଟି ଦେଇଛନ୍ତି।

ଦୁଇ ପର୍ଯ୍ୟାୟରେ ନିର୍ମିତ ହେବାକୁ ଥିବା ଏହି ଅତ୍ୟାଧୁନିକ ପ୍ରକଳ୍ପରୁ ବାର୍ଷିକ ୨୪ ମିଲିଅନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ହେବ। ସେଥିପାଇଁ ୧୨ ମିଲିଅନ୍ ଟନ୍ କ୍ଷମତାର ସିମେଣ୍ଟ ପ୍ଲାଣ୍ଟ, ୯୦୦ ମେଗାୱାଟ୍ କ୍ୟାପ୍ଟିଭ୍ ପାୱାର ସିଷ୍ଟମ୍ ଏବଂ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦୁଇ ବର୍ଷରେ ରାଜ୍ୟ ସରକାର ୪୩୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି, ଯାହା ଦ୍ୱାରା ୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କେବଳ ପାରାଦ୍ୱୀପ ଅଞ୍ଚଳରେ ଆଗାମୀ ଦିନରେ ୧ ଲକ୍ଷରୁ ଅଧିକ ନୂଆ ଚାକିରି ସୃଷ୍ଟି ହେବ ବୋଲି ସେ କହିଛନ୍ତି।

ଜାପାନର JFE Steel ସହ ଭାଗିଦାରୀ ଓ ଓଡ଼ିଶା-ଜାପାନ “Sister States” ଚୁକ୍ତି ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଶିଳ୍ପ, ପର୍ଯ୍ୟଟନ ଓ ଶିକ୍ଷା କ୍ଷେତ୍ରରେ ଜାପାନରୁ ବଡ଼ ପୁଞ୍ଜି ନିବେଶ ଆସିବ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ, ବିଧାୟକ ସାରଦା ପ୍ରସନ୍ନ ଜେନା, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ସହ JSW ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଓ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।

(ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )