ଉମରକୋଟ ଠାରେ ୩ଟି ବ୍ଲକର ଚାଷୀଙ୍କ ପାଇଁ ରବି ଧାନ ମଣ୍ଡି ଉଦଘାଟିତ……

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ନବରଙ୍ଗପୁର ଜିଲା ଉମରକୋଟ ମୁନିସିପାଲିଟି ଅଧୀନସ୍ଥ ନିୟନ୍ତ୍ରିତ ବଜାର କମିଟିର ମାର୍କେଟ ୟାର୍ଡଠାରେ ୨୦୨୫-୨୬ ବର୍ଷ ପାଇଁ ଉମରକୋଟ, ଝରିଗାଁ ଓ ରାଇଘର ବ୍ଲକର ଚାଷୀଙ୍କ ନିମନ୍ତେ ରବି ଧାନ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ। ସେ ପାରମ୍ପରିକ ଧାନ ଚାଷ ସହିତ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପ୍ରତିନିଧି ରାମ ନାୟକ, ମୁନିସିପାଲିଟି ଅଧ୍ୟକ୍ଷା ରାଧା ଭତ୍ରା, ଉମରକୋଟ ତହସିଲଦାର ମେଗମାନ ବାଘ, ନିୟନ୍ତ୍ରିତ ବଜାର କମିଟି ଅଧିକାରୀ ରାଜେନ୍ଦ୍ର ପଟ୍ଟନାୟକ, ଚାଷୀ ନେତା କୈଳାସ ନାୟକ, ଖାଦ୍ୟ ଯୋଗାଣ ଓ ସମବାୟ ସମିତି ଅଧିକାରୀ ଅସିତ ରାୟ, ମିଲର୍ସ ସଂଘର କର୍ମକର୍ତ୍ତା ଓ ସମବାୟ ସମିତିର କର୍ମଚାରୀମାନେ ଉପସ୍ଥିତ ଥିଲେ। ଚାଷୀ ସୁବାଷ ବିଷୋଇ, ଜଗା ପାଳ, ହିତେଶ ଜେନାଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ଚାଷୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା, ଧୂପ-ଆଳତି ଓ ନାରିକେଳ ଭାଙ୍ଗି ମଣ୍ଡିର ଶୁଭାରମ୍ଭ କରାଯାଇଥିଲା। ସୂଚନା ଅନୁସାରେ, ଚଳିତ ବର୍ଷ ଜିଲ୍ଲାରେ ୨୬୧ ଜଣ ଚାଷୀ ରବି ଧାନ ବିକ୍ରୟ ପାଇଁ ପଞ୍ଜିକୃତ ହୋଇଥିବାବେଳେ କିଛି ଚାଷୀ ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଏହି ରବି ମଣ୍ଡି ମାଧ୍ୟମରେ ପ୍ରାୟ ୨୪ ହଜାରରୁ ୨୫ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଚାଷୀଙ୍କ ପାଇଁ ଏଫଏକ୍ୟୁ ମାନର ଧାନର ପ୍ରତି କୁଇଣ୍ଟାଲ ଦର ୨୩୬୯ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ୭୩୧ ଟଙ୍କା ଇନପୁଟ ସହାୟତା ମଧ୍ୟ ପ୍ରଦାନ କରାଯିବ। ରବିବାର ବ୍ୟତୀତ ଅନ୍ୟ ସମସ୍ତ ଦିନରେ ମଣ୍ଡି କାର୍ଯ୍ୟ ଚାଲିବ। ଉମରକୋଟ ଲ୍ୟାମ୍ପସ୍ ମାଧ୍ୟମରେ ଉମରକୋଟ, ଝରିଗାଁ ଓ ରାଇଘର ବ୍ଲକରେ ଧାନ ସଂଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଥିବାବେଳେ ପ୍ରତ୍ୟେକ କେନ୍ଦ୍ରରେ ଚାଷୀଙ୍କ ପାଇଁ ଆବଶ୍ୟକୀୟ ସମସ୍ତ ସୁବିଧା ସୁନିଶ୍ଚିତ କରାଯାଇଛି। ଏହି ରବି ଧାନ ମଣ୍ଡି ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ।
