May 25, 2026

ଥୁ.ରାମପୁର ଏସ. ଆଇଙ୍କ ଅକାଳ ବିୟୋଗ

IMG-20260524-WA0032
Share

 

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ, ଥୁ. ରାମପୁର ଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଥୁ. ରାମପୁର ଥାନାରେ ପ୍ରାୟ ଦେଢ଼ ବର୍ଷ ହେବ ଏସ. ଆଇ ଭାବରେ କାର୍ଯ୍ୟରତ ଥିବା ଭାସ୍କର ଖୋସଲାଙ୍କ ଗତ ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି। ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଏସ. ଆଇ ଖୋସଲାଙ୍କ ଛାତିରେ ହଠାତ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଯନ୍ତ୍ରଣାଟି ତୀବ୍ର ହେବାରୁ ଥାନାରେ ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରି ମାନେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ସେହି ସମୟରେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର କୌଣସି ଡାକ୍ତର କିମ୍ବା ଷ୍ଟାଫ ନର୍ସ ଉପସ୍ଥିତ ନଥିଲେ। କେବଳ ଜଣେ ସିକ୍ୟୁରିଟି ଗାର୍ଡ ସେଠାରେ ଉପସ୍ଥିତ ଥିଲେ। ପୋଲିସ କର୍ମଚାରିଙ୍କ କହିବାପରେ ଉକ୍ତ ସିକ୍ୟୁରିଟି ଗାର୍ଡ ଜଣକ ମେଡିକାଲ ଷ୍ଟାଫ କ୍ୱାଟର ଗୁଡିକୁ ଯାଇ ଡାକ୍ତର ଓ ନର୍ସ ମାନଙ୍କୁ ଡାକିଥିଲେ। କିନ୍ତୁ ଡାକ୍ତର ଓ ଅନ୍ୟ ଷ୍ଟାଫ ଆସିବା ବେଳକୁ ବିଳମ୍ବ ହୋଇଥିବାବେଳେ, ଏଥିମଧ୍ୟରେ ଏସ. ଆଇ ଖୋସଲାଙ୍କ ଜୀବନ ଚାଲିଯାଇଥିଲା। ଏନେଇ ଥୁ. ରାମପୁର ପୋଲିସ ପକ୍ଷରୁ, କୋରାପୁଟ ଜିଲ୍ଲାରେ ରହୁଥିବା ସ୍ବର୍ଗତ ଖୋସଲାଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଥିଲା। ଏହାପରେ ଶବ ବ୍ୟବଛେଦ କରାଯିବା ପରେ ମୃତଦେହକୁ ଥାନାକୁ ଅଣାଯାଇଥିଲା। ଏହି ଖବର ପାଇ ଭବାନୀପାଟଣା ଡି.ଏସ.ପି ଶ୍ରୀ ବାତ୍ରା ଯଥାଶୀଘ୍ର ଥୁ. ରାମପୁର ଥାନାରେ ପହଞ୍ଚିଥିଲେ ଏବଂ ସେଠାରେ ଡି.ଏସ.ପିଙ୍କ ସମେତ ଥାନା ଅଧିକାରୀ, ଥାନାର ସମସ୍ତ ପୋଲିସ କର୍ମଚାରୀ ତଥା ଆଇ.ଆର.ବି ଫୋର୍ସର ଯବାନ ମାନେ ସ୍ବର୍ଗତ ଖୋସଲାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଏବଂ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତୀରେ ଏସ. ଆଇ ଖୋସଲାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବାସହ, ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ। ଏଥିସହ ସ୍ବର୍ଗତ ଖୋସଲାଙ୍କ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ନଗଦ ଆର୍ଥିକ ସାହାୟତା ପ୍ରଦାନ କରାଯିବା ସହ ଏକ ମହାପ୍ରଣୟ ଗାଡିରେ ସ୍ବର୍ଗତ ଖୋସଲାଙ୍କ ମୃତ ଦେହକୁ ସମ୍ମାନର ସହ ତାଙ୍କ ନିଜ ଗ୍ରାମ କୋରାପୁଟ ଜିଲ୍ଲା ଅନ୍ତର୍ଗତ କେଲର ଗ୍ରାମକୁ ପଠାଇ ଦିଆଯାଇଛି। ଏହି ଘଟଣାଟିକୁ ନେଇ ସମଗ୍ର ଥୁ. ରାମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ, ସ୍ୱାସ୍ଥ୍ୟ କର୍ମଚାରିଙ୍କ ଚରମ ଅବହେଳା ନେଇ ସ୍ଥାନୀୟ ଲୋକେ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଦାବି କରିଛନ୍ତି ଯେ’ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏହା ବିରୁଦ୍ଧରେ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ।