ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଲୋକଙ୍କ ପାଇଁ ତ୍ରାଣକର୍ତ୍ତା ସାଜିଲେ ବିଧାୟକ ରୂପେଶ ପାଣିଗ୍ରାହୀ

ପାରଳାଖେମୁଣ୍ଡି, -(କୃଷ୍ଣ କୁମାର ବେହେରା)- ରାଜ୍ୟ ସାରା ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛି। ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଘରୁ ବାହାରିବା ଲୋକଙ୍କ ପାଇଁ ଦୁର୍ହର ହୋଇପଡ଼ିଥିବା ବେଳେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ଠାରେ ଆୟୋଜିତ ଠାକୁରାଣୀ ଯାତ୍ରାରେ ଲୋକଙ୍କ ସେବା କରି ଚର୍ଚ୍ଚାରେ ଆସିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ। ଠାକୁରାଣୀ ଯାତ୍ରା ଅବସରରେ ଅଞ୍ଚଳରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଚଣ୍ଡ ତାପମାତ୍ରା ସତ୍ତ୍ୱେ ଲୋକମାନେ ଯାତ୍ରାରେ ସାମିଲ ହୋଇଥିବା ବେଳେ ସେମାନଙ୍କ ଅସୁବିଧାକୁ ଅନୁଭବ କରି ବିଧାୟକ ରୂପେଶ ପାଣିଗ୍ରାହୀ ସ୍ୱୟଂ ସେଠାରେ ପହଞ୍ଚିଥିଲେ। ସେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ସହ ମିଶି ରାସ୍ତାରେ ଯାଉଥିବା ଓ ଯାତ୍ରାକୁ ଆସୁଥିବା ଲୋକମାନଙ୍କୁ ଥଣ୍ଡା ପାଣି, ଦହିପାଣି ଓ ଚଲା ବଣ୍ଟନ କରିଥିଲେ। ତୀବ୍ର ଖରା ଓ ଅସହ୍ୟ ଗରମ ମଧ୍ୟରେ ଏହି ସେବା କାର୍ଯ୍ୟ ଲୋକମାନଙ୍କୁ ବହୁତ ଆରାମ ଦେଇଥିଲା। ଅନେକ ଲୋକ ଦହିପାଣି ଓ ଥଣ୍ଡା ପାଣି ପାଇ ଖୁସି ପ୍ରକାଶ କରିଥିଲେ। ବିଶେଷକରି ଦୂରଦୂରାନ୍ତରୁ ଯାତ୍ରାକୁ ଆସିଥିବା ଭକ୍ତମାନେ ବିଧାୟକଙ୍କ ଏହି ମାନବିକ ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଥିଲେ। କେବଳ ରାଜନୀତିରେ ସୀମିତ ନ ରହି ସାମାଜିକ ସେବା ଓ ମାନବିକ କାର୍ଯ୍ୟରେ ସଦା ଆଗୁଆ ରହୁଥିବା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଏଭଳି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଉଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଏଭଳି ଅସହ୍ୟ ଗରମ ସମୟରେ ଲୋକଙ୍କ ପାଇଁ ପାଣି ଓ ଦହିପାଣି ବଣ୍ଟନ କରିବା ଏକ ମହତ୍ କାର୍ଯ୍ୟ।
ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକ, ସମାଜସେବୀ ଓ ବହୁ ସଂଖ୍ୟକ ଗ୍ରାମବାସୀ ସହଯୋଗ କରିଥିଲେ। ଶେଷରେ ସ୍ଥାନୀୟ ଲୋକମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଏଭଳି ସେବା କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହୁ ବୋଲି ଆଶା ପ୍ରକାଶ କରିଥିଲେ।
