May 25, 2026

ଠକେଇ ଅଭିଯୋଗ ନେଇ ଚର୍ଚ୍ଚାରେ ବାଳାଜି ନର୍ସିଂହୋମ।

IMG-20260524-WA0052
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ସହର ଅନ୍ତର୍ଗତ ପରଦେଶୀପଡା ଠାରେ ଅବସ୍ଥିତ ଅଛି ସୁନାମଧନ୍ୟ ବାଳାଜି ନର୍ସିଂହୋମ। ସୁଚିକିତ୍ସା ପାଇଁ ଏହି ନର୍ସିଂହୋମ ଉପରେ କଳାହାଣ୍ଡି ସମେତ କଳାହାଣ୍ଡିର ସମସ୍ତ ପଡୋଶୀ ଜିଲ୍ଲା ତଥା ଛତିଶଗଡ଼ ରାଜ୍ୟର ମହାସମୁନ୍ଦ, ବସ୍ତର, ମେନପୁରୀ ଆଦି ଜିଲ୍ଲାର ଲୋକେ ବରାବର ଆସିଥାନ୍ତି। କିନ୍ତୁ ବର୍ତ୍ତମାନ ଆୟୁଷ୍ମାନ କାର୍ଡରେ ଠକେଇ ଅଭିଯୋଗ ନେଇ ନର୍ସିଂହୋମଟି ଜିଲ୍ଲାରେ ଚର୍ଚ୍ଚାରେ ଅଛି। ଘଟଣା ଅନୁଯାୟୀ, ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ଗୋଡ଼ାଲ ଗ୍ରାମର ସବିତା ମୁଣ୍ଡ ନାମ୍ନୀ ବୃଦ୍ଧାଙ୍କ ଗୋଡ ଭାଙ୍ଗିଯିବା କାରଣରୁ ତାଙ୍କୁ ଏହି ନର୍ସିଂହୋମରେ କିଛିଦିନ ତଳେ ଭର୍ତ୍ତି କରାଯାଇଥିଲା। ସବିତା ମୁଣ୍ଡଙ୍କ ସଫଳ ଅସ୍ତ୍ରୋପଚାର ପରେ, ନର୍ସିଂହୋମ କର୍ତୃପକ୍ଷ ସବିତା ମୁଣ୍ଡଙ୍କ ଭାଇ ତ୍ରିବିକ୍ରମ ଯୋଶୀଙ୍କୁ ଅସ୍ତ୍ରୋପଚାର ବାବାଦରେ ଟଙ୍କା ପୈଠ କରିବାପାଇଁ କହିଥିଲେ। କିନ୍ତୁ ତ୍ରିବିକ୍ରମ ନର୍ସିଂହୋମ କର୍ତୃପକ୍ଷଙ୍କୁ ଆୟୁଷ୍ମାନ କାର୍ଡ ଜରିଆରେ ଏହା କରିବା ପାଇଁ କହିଥିଲେ। କିନ୍ତୁ କର୍ତୃପକ୍ଷ ଆୟୁଷ୍ମାନ କାର୍ଡ ଏଠାରେ ଚଳୁନାହିଁ କହି ମନା କରିଦେଇଥିଲେ। ତେଣୁ ବାଧ୍ୟ ହୋଇ ତ୍ରିବିକ୍ରମ ନର୍ସିଂହୋମର ମୋଟ ଖର୍ଚ୍ଚ ବାବଦରେ ୪୧,୩୭୮ ଟଙ୍କା ପୈଠ କରିଥିଲେ ଏବଂ ଏହାର ବିଲ ମାଗିଥିଲେ। କିନ୍ତୁ ନର୍ସିଂହୋମ କର୍ତୃପକ୍ଷ ବିଲ ଦେବାପାଇଁ ମନା କରିଦେଇଥିଲେ। ଏନେଇ ଶେଷରେ ତ୍ରିବିକ୍ରମ ଯୋଶୀ କଳାହାଣ୍ଡି ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ ଆଦେଶରେ ଯାଞ୍ଚ ଆରମ୍ଭ ହୋଇଥିଲା ଏବଂ ଶେଷରେ ନର୍ସିଂହୋମ କର୍ତୃପକ୍ଷ ଠକେଇ କରିଥିବା ନେଇ ଜଣାପଡ଼ିଥିଲା। ଏହି ଯାଞ୍ଚ ପରେ ନର୍ସିଂହୋମ ମାଲିକ ପ୍ରଦୀପ ମିଶ୍ର ନିଜ ସଫେଇରେ କହିଛନ୍ତି ଯେ’ ଯେଉଁ ଟଙ୍କା ନିଆଯାଇଛି, ତାହା କେବଳ ରୋଗୀର ସେବା ଓ ରକ୍ତ ଦେବା ବାବଦକୁ ନିଆଯାଇଛି। ଏହି କଥାଟି ଅତ୍ୟନ୍ତ ହାସ୍ୟାସ୍ପଦ ମନେହେଉଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ, ଜିଲ୍ଲାପାଳ ତତ୍କାଳ ଆଦେଶ ଦେଇଥିଲେ ଯେ’ ତ୍ରିବିକ୍ରମ ଯୋଶୀ ଯେତିକି ଟଙ୍କା ପୈଠ କରିଥିଲେ, ନର୍ସିଂହୋମ କର୍ତୃପକ୍ଷ ଏହାର ଚାରି ଗୁଣ ଟଙ୍କା ଅତିଶୀଘ୍ର ଫେରସ୍ତ କରନ୍ତୁ। ଶେଷରେ ବାଧ୍ୟ ହୋଇ ନର୍ସିଂହୋମ କର୍ତୃପକ୍ଷ ତ୍ରିବିକ୍ରମଙ୍କୁ ମୋଟ ୧, ୬୫, ୫୧୨ ଟଙ୍କା ଫେରସ୍ତ ଦେଇଛନ୍ତି। ଏହି ଘଟଣାଟି ବର୍ତ୍ତମାନ ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ପାଲଟିଛି।