ଆନ୍ତଃ ଜିଲ୍ଲା ପେନସନ ଅଦାଲତ କୋରାପୁଟରେ ଉଦଘାଟିତ

*ଅବସର ପୂର୍ବରୁ କାଗଜ ଦିଅନ୍ତୁ, ଅବସର ଦିନ ପେନସନ ନିଅନ୍ତୁ:ଶୁଭମ ବୈଜ୍ୟନାଥ ସ୍ୱାମୀ, ଉପ ମହାଲେଖାକାର (ପେନସନ)*
କୋରାପୁଟ ୨୧. ୦୫. ୨୬: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନସନ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଦୁଇଦିନିଆ ଆନ୍ତଃ ଜିଲ୍ଲା ପେନସନ ଅଦାଲତ ଆଜି କୋରାପୁଟ ସଦଭାବନା ଗୃହଠାରେ ଉଦଘାଟିତ ହୋଇଛି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଜିଲ୍ଲା ପ୍ରଶାସନ ଓ ପ୍ରଧାନ ମହାଲେଖାକାର (ଏଜି) ଓଡ଼ିଶା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଅଦାଲତରେ ପ୍ରଥମ ଦିନରେ 692ଟି ପେନସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗ ଏବଂ 121ଟି ଅବସରପ୍ରାପ୍ତ ଶିକ୍ଷକ-କର୍ମଚାରୀଙ୍କ ଅବସରକାଳୀନ ବକେୟା ପ୍ରାପ୍ୟ ଅଭିଯୋଗର ଶୁଣାଣି କରାଯାଇଛି।
ଉଦଘାଟନୀ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ 19 ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ମଞ୍ଜୁର ଆଦେଶ ପତ୍ର ପ୍ରଦାନ କରିଥିଲେ। ସେ ତିନୋଟି ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ତୁରନ୍ତ ସମାଧାନ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପେନସନ ଓ ଭବିଷ୍ୟନିଧି ଉପ ମହାଲେଖାକାର ଶୁଭମ ବୈଜ୍ୟନାଥ ସ୍ୱାମୀ କହିଛନ୍ତି, ଅବସର ନେବାକୁ ଥିବା କର୍ମଚାରୀଙ୍କ ଆବେଦନପତ୍ର ଅବସର ପୂର୍ବରୁ ଏଜି କାର୍ଯ୍ୟାଳୟକୁ ପଠାଇଲେ ଅବସର ଦିନ ହିଁ ପେନସନ, ଗ୍ରାଚୁଇଟି ଓ ଭବିଷ୍ୟନିଧି ପ୍ରଦାନ ସମ୍ଭବ ହେବ।
ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରା କହିଛନ୍ତି, ଉପାନ୍ତ ଜିଲ୍ଲାଗୁଡ଼ିକର ପେନସନ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ଏଜି କାର୍ଯ୍ୟାଳୟର ଏହି ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ କେଦାର ସିଂହ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଯୁଗ୍ମ ସଚିବ ଅସିତ କୁମାର ପାଣି, ଉପ ଜିଲ୍ଲାପାଳ ପ୍ରେମଲାଲ ହିଲାଲ, ବରିଷ୍ଠ ଲେଖା ଅଧିକାରୀ ଶରତ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏଜି କାର୍ଯ୍ୟାଳୟ ପକ୍ଷରୁ ପିପିଟି ମାଧ୍ୟମରେ ପେନସନ ଅଟକିବାର କାରଣ ଓ ସମାଧାନ ଉପରେ ଆଲୋଚନା କରାଯାଇଥିଲା। ଆସନ୍ତାକାଲି ତିନୋଟି ଜିଲ୍ଲାର ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପାଇଁ ପେନସନ ଅଦାଲତ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁବରିଷ୍ଠ ଲେଖା ଅଧିକାରୀ ଅଭିଜିତ କୁମାର, ସହକାରୀ ଲେଖା ଅଧିକାରୀ ରବି କୁମାର, ଓମ ପ୍ରକାଶ, ପ୍ରଦୀପ କୁମାର, ରୋହିତ କୁମାର, ମୋହନ କୁମାର,ସଞ୍ଜୟ କୁମାର, ପୁରୁଷୋତ୍ତମ ବଳ ରଣବୀର କୁମାର,ଜିଲ୍ଲା ପ୍ରଶାସନର ପିଣ୍ଟୁ ସାହୁ ପରିଚାଳନା କରିଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.
