September 25, 2026

ଅଂଶୁଘାତରେ କଲେଜ କର୍ମଚାରୀ ଓ ଏଲଆଇସି ଏଜେଣ୍ଟଙ୍କ ମୃତ୍ୟୁ ଅଭିଯୋଗ , ଅନ୍ଯ ଜଣେ ବୃଦ୍ଧା ଗୁରୁତର 

IMG-20260521-WA0042
Share

 

ବୁଗୁଡ଼ା : ତା ୨୧/୦୫/୨୬ : ଅଂଶୁଘାତରେ ବୁଗୁଡ଼ା ପିପୁଲ୍ସ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ ଡାକ୍ତର ସ୍ୱାଇଁଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ଜଣାଯାଇଛି l ସେ ଆଜି ଦିନ ପ୍ରାୟ ସାଢେ ଦୁଇଟା ସମୟରେ ସାଇକଲରେ ନିଜ ଗ୍ରାମ ବେଠିଆବରୋଦା ଫେରୁଥିବା ବେଳେ ବୁରୁଝୋଳା ତୋଟା ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ କେସ୍ ନଂ ୧୪/୨୬ରେ ଏକ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ଭଞ୍ଜନଗର ପଠାଇବା ବ୍ୟବସ୍ଥା କରିଛି l ଡାକ୍ତର ସ୍ବାଇଁ ବୁଗୁଡ଼ା ପିପୁଲ୍ସ କଲେଜରେ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ଗାର୍ଡେନର ଭାବେ କାର୍ଯ୍ୟରତ ଥିଲେ l ସେ ଆଜି ସକାଳ ୧୦ଟାରେ କଲେଜରୁ ବାହାରି ଏକ ଶୁଦ୍ଧ ଭୋଜିରେ ଯୋଗଦେବା ପାଇଁ ଷୋହଲମାଇଲି ନିକଟରେ ଥିବା ହନୁମାନ ମନ୍ଦିରକୁ ଯାଇଥିଲେ। ସେଠାରେ ଭୋଜି ଖାଇ ଅପରାହ୍ନ ୨ଟାରେ ସାଇକଲ ଯୋଗେ ଗ୍ରାମକୁ ଫେରୁଥିବା ବେଳେ ବୁରୁଝୋଳା ତୋଟା ନିକଟରେ ତାଙ୍କୁ ଅସୁସ୍ଥ ଲାଗିବାରୁ ରାସ୍ତା କଡରେ ଥିବା ଏକ ଦୋକାନ ନିକଟରେ ସାଇକଲ ରଖି ତଳେ ବସି ପଡିଥିଲେ ଏବଂ ଦେହରୁ ସାର୍ଟ ବାହାର କରି ତଳେ ଶୋଇ ପଡିଥିଲେ l ରାସ୍ତା ଦେଇ ଯାଉଥିବା ଲୋକେ ତାଙ୍କ ମୁହଁ ଓ ମୁଣ୍ଡରେ ପାଣି ଢାଳି ତାଙ୍କୁ ଉଠାଇ ବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କର ଚେତା ଆସି ନଥିଲା। ଫଳରେ ସେମାନେ ଆମ୍ବୁଲାନ୍ସ ସହାୟତାରେ ବୁଗୁଡ଼ା ମେଡିକାଲକୁ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ l ସେହିପରି ବୁଗୁଡ଼ା ଥାନା ଅନ୍ତର୍ଗତ ଚିଲିଖମା ଗ୍ରାମର ଚାଷୀ ତଥା ଏଲଆଇସି ଏଜେଣ୍ଟ ସୁଧୀର ଚନ୍ଦ୍ର ସ୍ୱାଇଁ (୫୮)ଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି l ସୁଧୀର ଆଜି ମଧ୍ୟାନ୍ନ ସମୟରେ ନିଜ ଆମ୍ବ ଓ କାଜୁ ତୋଟାକୁ ଯାଇଥିଲେ। ତେବେ ସେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଅପରାହ୍ନ ୩ଟା ସମୟରେ ତୋଟାକୁ ଯାଇ ଦେଖିଲା ବେଳକୁ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ l ସେଠାରୁ ଉଦ୍ଧାର କରି ତାଙ୍କୁ ମେଡିକାଲ ଆଣିବା ବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା l ପୋଲିସ ପହଞ୍ଚି ଉକ୍ତ ଶବକୁ ଜବତ କରିଥିବା ଜଣାପଡିଛି l ବ୍ୟବଛେଦ ପରେ ଉଭୟ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ କହିଛନ୍ତି l ଅନ୍ଯପକ୍ଷରେ ଆଜି ଜଣେ ବୃଦ୍ଧା ମଧ୍ୟ ଅଂଶୁଘାତ ଶିକାର ହୋଇ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି l ଗୁରୁତର ମହିଳା ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ବି କରଡ଼ାବାଡ଼ି ଗ୍ରାମର ସୁଶିଳା ପ୍ରଧାନ (୭୫) l ସୁଶିଳା ଆଜି ମଧ୍ୟାନ୍ନ ଭୋଜନ ସାରି କାଜୁ ତୋଳିବା ପାଇଁ ପଙ୍କଳସାହି ନିକଟରେ ଥିବା ଏକ ତୋଟାକୁ ଯାଇଥିଲେ l ତେବେ ସେଠାରେ ସେ ଚେତାଶୂନ୍ୟ ହୋଇ ପଡି ଯାଇଥିଲେ l ଗ୍ରାମବାସୀ ତାଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲ ଆଣିଥିଲେ l ତେବେ ତାଙ୍କ ଅକ୍ସିଜେନ ସ୍ତର କମ ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l

You may have missed