ଗ୍ରାମକୁ ମଦମୁକ୍ତ ପାଇଁ ଅଣ୍ଟାଭିଡ଼ିଲେ ମହିଳା ଗୋଷ୍ଠୀ , ମଦଦୋକାନ ବନ୍ଦ ପାଇଁ ଧାରଣା ଦେଲେ ଗ୍ରାମବାସୀ

ବୁଗୁଡ଼ା :ତା ୨୦/୦୫/୨୬ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ବନ୍ଦ କରିବାପାଇଁ ସେଠାକାର ମହିଳା ଗୋଷ୍ଠୀ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି । ଗ୍ରାମର ମୁଖ୍ଯ ସଡକ ପାର୍ଶ୍ବରେ ମଦ ଦୋକାନ ଖୋଲିବାର ନିୟମ ନଥିଲେ ମଧ୍ଯ ଦୀର୍ଘ ଦିନ ହେଲା ମଦ ଦୋକାନ ଦୁଇଟି ଖୋଲା ରହୁଥିବାରୁ ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ସହ ଗ୍ରାମ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି। ଅଧିକାଂଶ ସମୟରେ ମଦୁଆଙ୍କ ଦୌରାତ୍ମ୍ୟ ଯୋଗୁଁ ଛାତ୍ରୀମାନେ ପାଠ ପଢି ଯିବାକୁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ଅନ୍ୟପକ୍ଷରେ ଛାତ୍ର ଏବଂ ଯୁବଗୋଷ୍ଠୀ ମଦ ପିଇ ପଥଭ୍ରଷ୍ଟ ହେଉଛନ୍ତି । ଯାହାଫଳରେ ଗ୍ରାମରେ ବିଭିନ୍ନ ସମୟରେ ଅଶାନ୍ତ ଓ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ଏବଂ ମଦୁଆଙ୍କୁ ସାବାଡ୍ କରିବାପାଇଁ ମହିଳାମାନେ ଏକଜୁଟ ହୋଇ ମଦଦୋକାନ ଆଗରେ ହୋହାଲ୍ଲା କରିବାସହ ମଦ ଦୋକାନ ବନ୍ଦ କରିବାକୁ ଅଡି ବସିଥିଲେ। ଖବର ପାଇ ଭଞ୍ଜନଗର ଉପଖଣ୍ଡ ଅବକାରୀ ଇନିସପେକ୍ଟର ପ୍ରଦୀପ କୁମାର ମହାନ୍ତି ଏବଂ ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସେନାପତିଙ୍କ ସମେତ ଅନ୍ଯାନ୍ଯ ଅବକାରୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ମଦ ଦୋକାନରେ ତାଲା ପକାଇବାକୁ ବାଧ୍ୟ ହୋଇଥିଲେ। ଆଗାମୀ ଦିନରେ ଯଦି ପୁଣି ଏଠାରେ ମଦଦୋକାନ ଖୋଲାହୁଏ ତେବେ ମଦଦୋକାନ ଭାଙ୍ଗିବା ସହ ନିଆଁ ଲଗାଇଦେବେ ବୋଲି ମହିଳାଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
