ଅନନ୍ଯ ପରମ୍ପରା , ବାଲିହରଚଣ୍ଡୀଙ୍କ ଙ୍କ ପୀଠକୁ ବାପଘରୁ ଆସିଲା ସାବିତ୍ରୀ ଭାର।
ସାବିତ୍ରୀ ବ୍ରତ କଲେ ମା ବାଲିହରଚଣ୍ଡି।
ଜ୍ଯେଷ୍ଠ ମାସ ଆସିଗଲେ ସାଧାରଣତଃ କନ୍ଯାପିତାର ବାପା ମାଆଙ୍କର ମନକୁ ଆସିଯାଏ ସାବିତ୍ରୀ ପର୍ବ କଥା। ଝିଅ ଘରକୁ କିପରି ସାବିତ୍ରୀ ଭାର ଯିବ ପ୍ରସ୍ତୁତି କରେ।
ସେହିପରି ଜ୍ଯେଷ୍ଠ ମାସ ଆସିଲେ ଆମର ମନକୁ କେହି ଜଗେଇ କହିଦିଅନ୍ତି-
“ସାବିତ୍ରୀ ଭାର ନେଇକରି ଯିବନି କି ? ଆମେ ସାବିତ୍ରୀ ଭାର ପ୍ରସ୍ତୁତି ଯୋଗାଡରେ ଲାଗୁ।
ହେଲେ କାହା ପାଇଁ ସାବିତ୍ରୀ ଭାର ?
ବିପଦ ଭଞ୍ଜନୀ ଶରଣ ରକ୍ଷଣୀ ଜଗତଜନନୀ ମାଆ ବାଲିହରଚଣ୍ଡୀଙ୍କ ପାଇଁ।
ସେଥିପାଇଁତ କବି ବଲରାମ ଦାସ ଗାଇଛନ୍ତି –
“ଜୟତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡୀ,
ତୋତେ ସୁମରିଲେ ଦୁରିତ ଯାଏ ଖଣ୍ଡି।
ବିପଦ କାଳରେ ସୁମରନ୍ତି ଯେଉଁ ଜନ
ମହାଘୋର ସଙ୍କଟରୁ ଫିଟାଉ ବନ୍ଧନ।”—-
ବାଲି ହରଚଣ୍ଡୀ ନାମେ ଦେଶ ସାରା ପଡୁଛି ଡକା,
ଯାରନାମ ଧରିଲେ ପାପ ଆସିବାକୁ କରେ ଆଶଙ୍କା ।
ମାଆ ବାଲିହରଣ୍ଡି ଠାକୁରାଣୀ କେବଳ ବ୍ରହ୍ମଗିରି ଅଂଚଳର ଉପାସିତା ଠାକୁରାଣୀ ନୁହଁନ୍ତି ସମଗ୍ର ଓଡିଶା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜିତା ଅଟନ୍ତି । ସମୁଦ୍ରର ଦେବୀ ଭାବରେ ଉପାସିତା। ଶ୍ରୀକ୍ଷେତ୍ରର ପଶ୍ଚିମ ଦିଗର ବଳ ରୂପେ ମାଆ ବାଲୁକା ଗିରି ଉପରେ ବିରାଜମାନ କରି ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର କୁ ସୁରକ୍ଷା ଦେବା ସହିତ ବ୍ରହ୍ମଗିରି ସମେତ ସମଗ୍ର ଓଡିଶାକୁ ବନ୍ଯାରେ, ବାତ୍ଯା, ଆଦି ଆଧିଦୈବିକ, ଆଧି ଭୌତିକ, ଆଧ୍ଯାତ୍ମିକ ବିପଦରୁ ସୁରକ୍ଷା ଦେଇ ଆସୁଥିବା ବିଶ୍ଵାସ ରହିଛି ।
କଥା ରହିଛି ଯେତେବେଳେ ବନ୍ଯା ବାତ୍ଯା ପବନ ମାଡିଆସେ ଏହି ଚିଲିକା ଉପକୁଳ ଅଞ୍ଚଳ ଗ୍ରାମବାସୀମାନେ ମାଆ ବାଲିହରଚଣ୍ଡୀଙ୍କୁ ଆକୁଳ ହୋଇ ଡାକନ୍ତି। ମାଆ ଡାକ ଶୁଣେ।
ଶୁଣାଯାଏ ବାତ୍ଯା ପବନ ଆସିଲା ବେଳେ ମାଆ ହରଚଣ୍ଡି ତାର ବାପଘର ଉକ୍ତ ଅଞ୍ଚଳର କ୍ଷତି ନକରିବାକୁ ତାଗିଦ କରି କହିଥାନ୍ତି। ଏପରିକି ଏହି ଅଞ୍ଚଳର ସୁରକ୍ଷା ପାଇଁ ମାଆ ତାଙ୍କର ଦିବ୍ଯାସ୍ତ୍ର ପନିକି ଦେଖାଇ ଧମକାଇ ଥାନ୍ତି ମା ।
୧୯୭୦ ମସିହାର କଥା। ପ୍ରବଳ ବାତ୍ଯା ପବନ ଆସିଗଲା। ଲୋକ ବିକଳ ହୋଇ ମାଆ ବାଲିହରଚଣ୍ଡୀ ଏବଂ ମାଆ ହେଙ୍ଗୁଳାଙ୍କୁ ପ୍ରାର୍ଥନା କଲେ। ଗ୍ରାମବାସୀମାନେ ଦେଖିଲେ ଚିଲିକା ସୀମା ବନ୍ଧରେ ଦୁଇଟି ଅଗ୍ନି ପିଣ୍ଡୁଳା ରାତିସାରା ବୁଲିଲା। ବତ୍ଯା ପବନ ବନ୍ଯା ଜୁଆର ପାଣିକୁ ଅଟକାଇ ଦେଲେ। ସୁରକ୍ଷିତ ରହିଲା ପାଞ୍ଚ ପଡା। ସେହି ଦୁଇ ଅଗ୍ନିପିଣ୍ଡୁଳା ଥିଲେ ମାଆ ବାଲିହରଚଣ୍ଡି ଏବଂ ମାଆ ହେଙ୍ଗୁଳା।
ବାଲିହରଚଣ୍ଡି ସ୍ବପ୍ନାଦେଶ ଦେଇ କହିଲେ –
” ଆରେ ତୁମ ଅଂଚଳର ସୁରକ୍ଷା ପାଇଁ ଯାଇ ମୋର ପାଟ ବସ୍ତ୍ର ପଣତ ଚିରିଯାଇଛି। ଏହି ପାଞ୍ଚପଡାର ଅଞ୍ଚଳ ମୋର ବାପଘର । ତୁମର ସୁରକ୍ଷା ପାଇଁ ମୁଁ ଅଛି। କାଲି ପ୍ରଭାତରୁ ନବପାଟ ବସ୍ତ୍ର ଆଣିକରି ଦେଇଦେବ। ସତକୁ ସତ ପରଦିନ ସକାଳୁ ଦେଖିଲା ବେଳକୁ ମାଆ ବାଲିହରଚଣ୍ଡିଙ୍କ ପାଟ ଚିରି ବାହାରେ ପଡିଥିଲା। ସଙ୍ଗେ ସଙ୍ଗେ ନବ ପାଟ ଲାଗି କରାଯାଇଥିଲା।
ପାଂଚପଡା ଗ୍ରାମବାସୀ ନବ ପାଟ ବସ୍ତ୍ର ଦେବା ସହ ମାଆଙ୍କୁ ଏକ ସୁବର୍ଣ୍ଣ ମୁକୁଟ ଲାଗି କରିଥିଲେ।
ସେଥିପାଇଁ କୁହାଯାଇଛି
ଏହି ପୀଠରେ ମାଆଙ୍କର ସମସ୍ତ ପର୍ବ ପର୍ବାଣି ବିଧି ମୁତାବକ ପାଳିତ ହୋଇଥାଏ । ମାଆଙ୍କର ସାବିତ୍ରୀ ପର୍ବ ପାଳନ ପାଇଁ ଠାକୁରାଣୀଙ୍କ ବାପଘର ମାନ୍ଯତା ପାଇଥିବା ଚିଲିକା ଉପକୁଳ ପାଞ୍ଚପଡାର ଗ୍ରାମବାସୀମାନେ ସାବିତ୍ରୀ ଭାର ନେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ହରଚଣ୍ଡିଙ୍କ ପୀଠକୁ ଆସିଥିଲେ। ଯେପରି ଓଡିଆ ଘରର ପରମ୍ପରା ଅନୁଯାଇ ଝିଅ ଘରକୁ କନ୍ଯାପିତା ଶାଢୀ, ଚୁଡି ,ଶଙ୍ଖା, ସିନ୍ଦୂର, ପଣସ, ଆମ୍ବ, କଦଳୀ, ନଡିଆ ,ଗଜାମୁଗ, ଖୀର , ସପୁରି ,ଆଦି ଫଳ ଏବଂ ପୂଜା ଉପକରଣ ନେଇ ଯାଇଥାଏ ସେହିପରି ସକଳ ଉପକରଣ ଭାର ବୋଝ ନେଇ ଶୋଭାଯାତ୍ରା କରି ଯାଇଥିଲେ ଧରଣୀକୁଦୀ, ମାତଲାପୁର, କୁଅପଦା,କ୍ଷେତାଣ୍ଡି, ପାଂଚପଡା ଗ୍ରାମବାସୀ। ମନ୍ଦିର ସେବାୟତ ନିଯୋଗ ତରଫରୁ ଗ୍ରାମବାସୀଙ୍କୁ ସ୍ବାଗତ କରିଥିଲେ। ଝିଅ ହିସାବରେ ଭାର ନେଇଗଲେ, ଜଗତ ଜନନୀଙ୍କୁ ମାଆ ଭାବରେ ଉପସନା କଲେ। ମାଆଙ୍କ ନିକଟରେ ଶରଣ ଯାଇ ସମଗ୍ର ଅଞ୍ଚଳକୁ ଆଧିଭୌତିକ ବିପଦରୁ ସୁରକ୍ଷିତ ରଖିବାକୁ ପ୍ରାର୍ଥନା କରିଥିଲେ।
ଚିଲିକାର ଉପକୂଳରେ ସ୍ଥିତ ଏହି ପାଚପଡାକୁ ମାଆ ହରଚଣ୍ଡି ବନ୍ଯା ବାତ୍ଯା ବିପଦରୁ ସୁରକ୍ଷା ସହିତ ଧନଧାନ୍ଯ ଭରି ଦେଇଥାଏ ବୋଲି ବିଶ୍ବାସ ରହିଛି । ମାଆ ବାଲିହରଚଣ୍ଡୀଙ୍କ ମହିମା ଆପାର। ପରମ୍ପରା କ୍ରମେ ଏପରି ଦିବ୍ଯ କାର୍ଯ୍ୟକ୍ରମରେ ସାମିଲ ହେବା ଆମ ପାଇଁ ଗୌରବର ବିଷୟ।
ପାଞ୍ଚପଡା ଶ୍ରୀ କେଳୁଚରଣ ନାୟକ, ଡାକ୍ତର ମନୋରଞ୍ଜନ ରାୟ, ଭୀମସେନ ସାହୁ , ପବିତ୍ର କୁମାର ସାହୁ , କାଶୀନାଥ ନାୟକ, ରାଜେନ୍ଦ୍ର କୁମାର ପଲାଇ, ଲକ୍ଷ୍ମୀଧର ପଲାଇ, ରଙ୍ଗନାଥ ବିଶ୍ବାଳ, ପ୍ରଦିପ୍ତ ସାହୁ ପ୍ରମୁଖଙ୍କ ନେତୃତ୍ବରେ ଭାର ନେଇ ଆସିଥିଲେ। ଏଭଳି ଏକ ମହାନ ଗାରିମମୟ ପରମ୍ପରାର ଦାୟାଦ ଭାବରେ ମାଆ ବାଲିହରଚଣ୍ଡୀଙ୍କ ସେବାରେ ସାମିଲ ହୋଇ ଥିବାରୁ ଗୌରବ ଅନଭବ କରୁଥିଲେ ପାଞ୍ଚପଡା ଗ୍ରାମବାସୀ। ନିଜ ଜନ୍ମକଲା ଝିଅ ଘରକୁ ଭାର ପଛେ ନଦେଇ ପାରୁ ମାଆଙ୍କର ପାଇଁ ଭାର ନେଇ କରି ଆଗ ଆସିବୁ। ମାଆ ବାଲିହରଚଣ୍ଡୀ ଆମକୁ ସୁରକ୍ଷିତ ରଖିଛନ୍ତି। ଆମର ଟେକ ରଖିଛନ୍ତି ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
