May 14, 2026

ଉମରକୋଟ ନିକଟସ୍ଥ ବିଡ୍ରି ଠାକୁରାଣୀ ମନ୍ଦିର ପୀଠରୁ ଲୁଟ୍, ମାଙ୍କ ରୁପା ମୁକୁଟ ସହ ହୁଣ୍ଡି ଟଙ୍କା ନେଇଗଲେ ଦୁର୍ବୃତ୍ତ……..

IMG-20260508-WA0003
Share

 

 

ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ) ଦିନକୁ ଦିନ ରାଜ୍ୟରେ ଚୋରି ଓ ଡକାୟତି ଘଟଣା ବୃଦ୍ଧି ପାଉଥିବା ବେଳେ ପୁଣି ଏକ ପ୍ରସିଦ୍ଧ ମନ୍ଦିରରୁ ଚୋରି ଘଟଣା ସାମ୍ନାକୁ ଆସିଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା ବିଡ୍ରି ଠାକୁରାଣୀ ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ମନ୍ଦିର ଭିତରକୁ ପଶି ମାଙ୍କର ୧୫ଟି ରୁପା ମୁକୁଟ, ୪ଟି ଛତ୍ରୀ, ବଡ଼ ପିତ୍ତଳ ଥାଳି, ପିତ୍ତଳ ଘଣ୍ଟି, ପିତ୍ତଳ ଢାଳ, ମାଙ୍କ ବ୍ୟବହୃତ ଫାର୍ସା, ମାଇକ୍ ସେଟ୍ ମେସିନ୍ ସହ ଭକ୍ତମାନଙ୍କ ଦକ୍ଷିଣା ରହିଥିବା ହୁଣ୍ଡିରୁ ପ୍ରାୟ ୫ ହଜାର ଟଙ୍କା ଚୋରି କରି ନେଇଥିବା କୁହାଯାଉଛି । ଘଟଣା ସମ୍ପର୍କରେ ମନ୍ଦିର କମିଟି ପକ୍ଷରୁ ଉମରକୋଟ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ଏହି ମନ୍ଦିର ଅଞ୍ଚଳର ଏକ ପ୍ରମୁଖ ଶକ୍ତିପୀଠ ହୋଇଥିବାରୁ ଘଟଣାକୁ ନେଇ ଉମରକୋଟ ସହ ଆଖପାଖ ଅଞ୍ଚଳର ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଘଟଣାର ଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ସହ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।