April 27, 2026

ସଡକ ଦୁର୍ଘଟଣାରେ ଯୁବ ସାମ୍ବାଦିକ ରଶ୍ମି ରଞ୍ଜନ ରାଉତରାୟ ଙ୍କ ଅକାଳ ବିୟୋଗ

IMG-20260324-WA0014
Share

 

ପାରାଦୀପ, ୨୩/୩ (ସମିସ) : କନକ ନ୍ୟୁଜ୍ ପାରାଦୀପ ପ୍ରତିନିଧି ରଶ୍ମି ରଞ୍ଜନ ରାଉତରାୟ (ବାପି) ଆଉ ନାହାନ୍ତି।ଗତକାଲି ରାତିରେ ପାରାଦୀପ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାଙ୍କର ୪୫ ବର୍ଷ ବୟସରେ ମୃତ୍ୟୁ ଘଟିଛି। ପାରାଦୀପ ପୋର୍ଟ ହାଇସ୍କୁଲ ନିକଟ ରାସ୍ତା ଦେଇ ଘରକୁ ଫେରୁଥିବା ସମୟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ତୁରନ୍ତ ପାରାଦୀପ ପୋର୍ଟ ହସ୍ପିଟାଲକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସେଠାରେ ଆଇସିୟୁ ସୁବିଧା ଉପଲବ୍ଧ ନ ଥିବାରୁ, ତାଙ୍କୁ ପରେ ପାରାଦୀପର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ଆଜି ସକାଳେ ତାଙ୍କୁ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା।ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସାରା ପାରାଦୀପ ସମେତ କୁଜଙ୍ଗ ଏବଂ ଜଗତସିଂପୁର ଜିଲ୍ଲାର ସାମ୍ବାଦିକ ଭାଇଚାରାଙ୍କୁ ମର୍ମାହତ କରିବା ସହିତ ଶୋକର ଛାୟା ଖେଳିଯାଇଛି।ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ସହକର୍ମୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।ଏବଂ ଯେଉଁଠି ଥାଅ ଭଲରେ ଥାଅ, ତାଙ୍କ ପରିବାରକୁ ଏହି ଅସହ୍ୟ ଦୁଃଖ ସହିବାକୁ ଭଗବାନ ଶକ୍ତି ଦିଅନ୍ତୁ।ପାରାଦୀପ ରୁ କନକ ନ୍ୟୁଜ କୁ ଖବର ତ ଯିବ, ହେଲେ ଖବର ଦେଉଥିବା ଯୁବ ସାମ୍ବାଦିକ ଟି ଆଉ ନଜରକୁ ଆସିବ ନାହିଁ।ସେ ଖବର ସଂଗ୍ରହ ବେଳେ ସବୁବେଳେ ଚଳ ଚଞ୍ଚଳ ଥିଲେ, ଖବର ପଛରେ ସବୁବେଳେ ଦୌଡୁ ଥିଲେ।ସେ ଆଜି ନିଜେ ଏକ ଦୁଃଖଦ ଖବର ପାଲଟି ଯାଇଛନ୍ତି।ସଡକ ଦୁର୍ଘଟଣାରେ ଆଖି ବୁଝି ଦେଇଛନ୍ତି।କୁହନ୍ତି ଦୁଃଖ କେବେ ଏକୁଟିଆ ଆସେ ନାହିଁ, ହେଲେ ଯିବା ବେଳକୁ ଗୋଟିଏ ହସ ଖୁସିର ପରିବାରକୁ ଏକୁଟିଆ କରି ଚାଲିଯାଏ।ଜନ୍ମ ଥିଲେ ମୃତ୍ୟୁ ତ ନିଶ୍ଚିତ ଏହା ତ ପ୍ରକୃତିର ନିୟମ, କିନ୍ତୁ ମୃତ୍ୟୁ ଏମିତିବି ଆସେ ଯାହାକୁ ବିଶ୍ୱାସ କରିବା କଷ୍ଟ ହୁଏ, ଯାହା ରଶ୍ମି ଙ୍କ ଦୁର୍ଘଟଣା ପରେ ତାଙ୍କର ପରିବାର କୁ ଦେଖିବାକୁ ମିଳିଛି।ଜଣେ କର୍ମ ନିଷ୍ଟ ସାମ୍ବାଦିକ ଭାବରେ ଖବର ସଂଗ୍ରହ ପାଇଁ ସବୁଦିନ ବାହାରି ଯାନ୍ତି।ଗତକାଲି ମଧ୍ୟ ବହାରିଯାଇଥିଲେ।ଭାବିଥିଲେ ଖବର ସଂଗ୍ରହ କରି ଘରକୁ ଫେରିବେ କିନ୍ତୁ ବିଧାତାର ବିଚିତ୍ର ଖେଳ, ସେ ଏମିତି ଏକ ଅପେରା ରାଇଯାକୁ ଚାଲିଗଲେ ଯେଉଁଠୁ କେହି କେବେ ଫେରନ୍ତି ନାହିଁ।ମୃତ୍ୟୁ କେଉଁଠି, କେତେବେଳେ, କେମିତି କେଉଁ ରୂପରେ ଆସେ ତାହା କେହି କେବେ ଜାଣି ପାରନ୍ତି ନାହିଁ।ଖବର ସଂଗ୍ରହ କରି ଫେରିଲା ବାଟରେ ଛକିଥିବା ଯମ ତାଙ୍କୁ ଅଧା ବାଟରୁ ଉଠାଇ ନେଲା।ଭାଗ୍ୟର ବିଡମ୍ବନା ଗତବର୍ଷ ଏପ୍ରିଲ ମାସରେ ସେ ତାଙ୍କର ଭଉଣୀ ଙ୍କୁ ନିଜ ବାଇକ ରେ ନେଇ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ତାଙ୍କ ଭଉଣୀ ଆଖି ବୁଝିଥିଲେ।ସେହି ଦୁଃଖ ପରିବାର ଲୋକେ ଏଯାଏ ବି ସମ୍ଭାଳି ପାରି ନାହାନ୍ତି, ଭଉଣୀ ଯିବାର ବର୍ଷେ ବି ପୁରିନି ଆଜି ସେଇ ପୁଣି ଦୁର୍ଘଟଣା ରଶ୍ମି କୁ ଛଡାଇ ନେଲା।ତେବେ ରଶ୍ମି ଆଜି ପାରାଦୀପ ବାସୀଙ୍କ ଗହଣରେ ନାହାନ୍ତି ସତ ହେଲେ ତାଙ୍କର ସେହି ସ୍ମିତ ହସ ଏବଂ କାମ ପ୍ରତି ଥିବା ଚେଷ୍ଟା ସବୁବେଳେ ମନେ ରହିବ।ରଶ୍ମି ଙ୍କ ମର ଶରୀରକୁ ପାରାଦୀପ କୁ ଅଣାଯାଇଥିଲା।ତାଙ୍କର ୪ ବର୍ଷର ଏକମାତ୍ର ଝିଅ ରହିଛି।ତାଙ୍କ ଅକାଳ ବିୟୋଗ ରେ ସାରା ପରିବାର ଲୋକେ ଭାଙ୍ଗି ପଡିଛନ୍ତି।