ଖୋର୍ଦ୍ଧା ଉପନିବନ୍ଧକ କାର୍ଯ୍ୟାଳୟ ପାଲଟିଛି ଦୁର୍ନିତିର ଗନ୍ତାଘର
ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଉପନିବନ୍ଧକ କାର୍ଯ୍ୟାଳୟ ପାଲଟିଛି ଦୁର୍ନିତିର ଗନ୍ତାଘର।ବିନା
ହାତଗୁଞ୍ଜାରେ ହେଉନି କିଛି କାମ। ଉପନିବନ୍ଧକ ନିଜେ ଲୋକଙ୍କ ଠାରୁ ହାତଗୁଞ୍ଜା ନେଇ କାମ କରିବା ପରେ ଧର୍ମ ନାଁ ରେ ନିୟମ ପକାଇ ବାହାରେ ନ କହିବାକୁ ବାରଣ କରାଯାଇଥିବା ନେଇ କେତେକ ଆଇନଜିବୀ ରାଜସ୍ୱ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରାଯାଇଥିବା ବେଳେ ଏହାର ଯଥାଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ରାଜସ୍ୱ ବିଭାଗ ଉପସଚିବ ମନମୋହନ ଦାସ ଜିଲ୍ଲାପାଳ ଖୋର୍ଦ୍ଧାଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।ଅଭିଯୋଗ ଅନୁସାରେ ଖୋର୍ଦ୍ଧା ଉପନିବନ୍ଧକ ଅତନୁ କୁମାର ପାତ୍ର କାର୍ଯ୍ୟାଳୟରେ ବସି ବିଭିନ୍ନ ଦୁର୍ନିତି ରେ ସମ୍ପୃକ୍ତ ରହିଛନ୍ତି। ଶ୍ରୀ ପାତ୍ର ବିଭିନ୍ନ ପାର୍ଟ ପ୍ଳଟ ବାବଦକୁ ଦଶ ହଜାର ରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ଏଥିରେ ସହମତି ପ୍ରକାଶ କରୁନଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବାକୁ ସଫା ବାରଣ କରୁଛନ୍ତି। କିନ୍ତୁ ସରକାରଙ୍କ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ପାଇଁ ନିୟମ ଥିଲେ ମଧ୍ୟ ଖୋର୍ଦ୍ଧା ସବରେଜିଷ୍ଟ୍ରାର ସେ ନିୟମକୁ ଫୁ କରିଦେଉଛନ୍ତି।ନାଁ ଦାବୀ ପତ୍ର ଦଲିଲ ରେଜିଷ୍ଟ୍ରେସନ ଫରମାଟ୍ କୁ ସେ ମଧ୍ୟ ମନଇଚ୍ଛା ବଦଳାଇ ଗ୍ରହୀତାଙ୍କ ନାମ ଓ ଧାମ ରଖୁନାହାନ୍ତି,କି ଜମି ସ୍ୱତାଧିକାରୀଙ୍କ ମଧ୍ୟରୁ ଜଣେ ଉତ୍ତରାଧିକାରୀ ଚାହିଁଲେ ତା’ର ଅଂଶକୁ ନାଁ ଦାବୀ ପତ୍ର ଦଲିଲ କରିପାରିବ ନାହିଁ କହି ଫେରାଇ ଦେଉଛନ୍ତି।ସରକାରଙ୍କ ନିୟମ ଅନୁସାରେ ଯଦି ଚାଷ ଜମି କିମ୍ବା ଘରବାରୀ କିସମ ଥିବା ଜମିର ପାର୍ଟ ପ୍ଳଟ କଲେ ‘ଗ’ ଏବଂ ‘ଘ’ ଫର୍ମ ଲାଗି ରେଜିଷ୍ଟ୍ରେସନ ହେବା କଥା।ମାତ୍ର ଯେଉଁ ମାନେ ‘ଗ’ ଏବଂ ‘ଘ’ ଫର୍ମ ଲଗାଇ ପାର୍ଟ ପ୍ଳଟ କରିବେ ତାଙ୍କୁ ୧୦ ହଜାର ଏବଂ ‘ଗ’ ଏବଂ ‘ଘ’ ଫର୍ମ ନ ଲଗାଇ ରେଜିଷ୍ଟ୍ରେସନ କରାଇଲେ ୨୦ ହଜାର ରୁ ୩୦ ହଜାର ଟଙ୍କା ଦେବାକୁ ସେ ଦାବୀ କରୁଥିବା ଅଭିଯୋଗରେ ଦର୍ଶାଯାଇଛି।ଟଙ୍କା ନ ଦେଲେ ରେଜିଷ୍ଟ୍ରେସନ ହେବନାହିଁ କହୁଛନ୍ତି।ଦାବୀ ଅର୍ଥ ପାଇବା ପରେ ସେ ଠାକୁରଙ୍କ ନାମରେ ନିୟମ କରି ଟଙ୍କା ଦବା ନବା କଥା ବାହାରେ କୌଣସି ଲୋକଙ୍କ ଆଗରେ ପ୍ରକାଶ ନକରିବାକୁ ଶପଥ କରାଉଥିବା ଅଭିଯୋଗ ହୋଇଛି।
ଏପରିକି ଲୋକ ମାନେ ଦୂରଦୂରାନ୍ତରୁ ରେଜିଷ୍ଟ୍ରେସନ କରିବାକୁ ଆସି ଘଣ୍ଟା ଘଣ୍ଟା ଧରି ସବ୍ ରେଜିଷ୍ଟ୍ରାରଙ୍କୁ ଅପେକ୍ଷା କରି ରହୁଥିବା ବେଳେ ସେ ଶୁଣାଣି ସମୟରେ ନିଜ ଚୌକି ଛାଡି ମୋହରିଅର ଏବଂ ଦଲାଲ ମାନଙ୍କ ସହିତ ଟଙ୍କା ନେଣ ଦେଣ ସ୍ଥିର ହେଲା ପରେ ଦଲିଲ ରେଜିଷ୍ଟ୍ରେସନ କରୁଛନ୍ତି।ଯିଏ ତାଙ୍କ କଥାରେ ରାଜି ହେଉନାହାନ୍ତି ତା’ଦଲିଲକୁ ଫେରାଇ ଦେଉଥିବା ବେଳେ ଦଲିଲ ବ୍ୟାକ୍ ପାଇଁ ଦରଖାସ୍ତ ଦେବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି।ଓକିଲ ମାନେ ଯେଉଁ କାମକୁ ନେଲେ ସେ କରିପାରୁନାହାନ୍ତି ମାତ୍ର ଦଲାଲ ମାନେ ମୋଟା ଅଙ୍କର ଅର୍ଥ ଦେଇ ସେହି କାମକୁ ହାତେଇ ନେଉଥିବା ଅଭିଯୋଗ କରିଛନ୍ତି।ସରକାରୀ ନିୟମ ଅନୁସାରେ ଘରବାରୀ ପ୍ଳଟ ଗୋଟିଏ ଥର ରେଜିଷ୍ଟ୍ରେସନ ହୋଇ ପାରିବ କିନ୍ତୁ ଉକ୍ତ ଅଧିକାରୀ ବିଭିନ୍ନ ସମୟରେ ୫୦ ହଜାର ରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ହାତଗୁଞ୍ଜା ନେଇ ଦ୍ୱିତୀୟ ଥର ବିକ୍ରୟକୁ ଅନୁମତି ପ୍ରଦାନ କରୁଥିବା ଅଭିଯୋଗ ହୋଇଛି।ହୋମ୍ ଭିଜିଟ୍ ରେଜିଷ୍ଟ୍ରେସନ ପାଇଁ ବିଭିନ୍ନ ଆଳ ଦେଖାଇ ୩୦ ରୁ ୫୦ ହଜାର ଟଙ୍କା ନେଇ ଭିଜିଟ୍ ରେଜିଷ୍ଟ୍ରେସନ କରୁଛନ୍ତି।କିନ୍ତୁ ଦାବି ଅର୍ଥ ନମିଳିଲେ ବିଭିନ୍ନ ବାହାନା କରି ଭିଜିଟ୍ ନକରିବା ପାଇଁ ତାରିଖ ପରେ ତାରିଖ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି।ଏପରିକି ସରକାରଙ୍କ ନିୟମ ଅନୁଯାରେ ଅଫିସ କାର୍ଯ୍ୟ ଅପରାହ୍ନ ୫.୩୦ ସୁଧା ସରିବାକୁ ରହିଛି।ମାତ୍ର ଉପନିବନ୍ଧକ ୭.୩୦ ରୁ ୮ଟା ପର୍ଯ୍ୟନ୍ତ ଅଫିସରେ ରହି ଦଲାଲ ମାନଙ୍କୁ ଡାକି ଦୈନିକ ଆଦାୟ ଅର୍ଥ ରୁ ନିଜ ଭାଗ ହିସାବକରି ନେଉଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ କୁ ଗୁରୁତର ସହ ଗ୍ରହଣ କରି ରାଜସ୍ୱ ବିଭାଗ ଉପସଚିବ ଶ୍ରୀ ଦାସ ଏହାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଛନ୍ତି।
