ବିପଦପୂର୍ଣ୍ଣ ଅବସ୍ଥାରେ ଲାଞ୍ଜିଗଡ଼ ଶତାୟୁ ନୋଡାଲ ବିଦ୍ୟାଳୟ
ଲାଞ୍ଜିଗଡ଼, ୦୨|୨(ପୁରନ୍ଦର ଦଣ୍ଡସେନା): ବିପଦସଙ୍କୁଳ ଅବସ୍ଥାରେ ରହିଛି ଲାଞ୍ଜିଗଡ଼ସ୍ଥିତ ଲାଞ୍ଜିଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୮୯୧ ମସିହାରେ ସ୍ଥାପିତ ହୋଇଥିବା ଏହି ଶତାୟୁ ବିଦ୍ୟାଳୟ ପ୍ରତିଷ୍ଠାକୁ ଇତିମଧ୍ୟରେ ୧୩୪ ବର୍ଷ ଅତିକ୍ରାନ୍ତ ହୋଇସାରିଲାଣି କିନ୍ତୁ ପ୍ରଶାସନିକ ଅଣଦେଖା ଯୋଗୁ ଏହି ବିଦ୍ୟାଳୟର ଅବସ୍ଥା ଜରାଜୀର୍ଣ୍ଣ ହୋଇ ରହିଥିବା ବେଳେ ପିଲାମାନେ ସ୍କୁଲକୁ ପାଠ ପଢ଼ିଯିବାକୁ ବି ଆଶଙ୍କା ବ୍ୟକ୍ତ କଲେଣି ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ବାରମ୍ବାର ଅଭିଯୋଗ ପରେ ବି ଜିଲ୍ଲା ଶିକ୍ଷା ବିଭାଗ କି ଜିଲ୍ଲା ପ୍ରଶାସନ ସ୍କୁଲର ପୁନରୁଦ୍ଧାର ଦିଗରେ ଧ୍ୟାନ ଦେଉନାହାନ୍ତି । ସେପଟେ, ରାଜନୈତିକ ଚକ୍ରାନ୍ତର ଶିକାର ହୋଇ ଏହି ଶତାବ୍ଦୀ ପୁରୁଣା ସ୍କୁଲ ରାଜ୍ୟ ସରକାରଙ୍କ ଗୋଦାବରୀଶ ମିଶ୍ର ସ୍କୁଲ ଯୋଜନାରୁ ମଧ୍ୟ ବାଦ୍ ପଡ଼ିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ସ୍କୁଲ ପରିଚାଳନା କମିଟି
ସଭାପତି ବଳରାମ ପୂଜାରୀଙ୍କୁ ପଚାରିବାରୁ ବାରମ୍ବାର ପ୍ରଶାସନକୁ ଅବଗତ କରିବା ପରେ ବି ସ୍ଥିତିରେ କୌଣସି ସୁଧାର ଆସୁନଥିବା କହିଛନ୍ତି । ଏହି ସ୍କୁଲରେ ଏବେ ୩୮୧ ଛାତ୍ରଛାତ୍ରୀ ପାଠ
ପଢୁଛନ୍ତି | ସ୍କୁଲ ପାଚେରିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଛାତରୁ ପାଣି ଗଳୁଛି। ସମ୍ପୂର୍ଣ୍ଣ ଛପର ଘର ଥିବା ଏହି ସ୍କୁଲର ବିଭିନ୍ନ ସ୍ଥାନରେ କାନ୍ଥ ଫାଟି ଆଁ କଲାଣି ଚଟାଣ ଫାଟି
ଯାଇଥିବା ବେବଳେ ଛପରରେ ଲାଗିଥିବା କାଠ ଉଈ ଖାଇ ଝୁଲିକି ରହିଛି। ଏଭଳି ସ୍ଥିତିରେ ସ୍କୁଲର ପ୍ରାୟ ୫୦ ପ୍ରତିଶତ ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ମଧ୍ୟାହ୍ନ ଭୋଜନ ରୋଷେଇ
ହେଉଥିବା ସ୍ଥାନରେ ପାଣି ଗଳୁଛି। ଅଳ୍ପ ବର୍ଷାରେ ବି ଲାଞ୍ଜିଗଡ଼ ବସ୍ତିର ଡ୍ରେନେଜ ପାଣି ସ୍କୁଲରେ ପ୍ରବେଶ କରୁଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ସ୍କୁଲରୁ ପାଠ ପଢ଼ି ବହୁ ସରକାରୀ ଅଧିକାରୀ,
କର୍ମଚାରୀ ଓ ରାଜନେତା ବାହାରିଛନ୍ତି | ମାତ୍ର ଆଜି ସେମାନଙ୍କର ନିଜ ସ୍କୁଲ ପ୍ରତି କୌଣସି ଦରଦ ନାହିଁ| ୨୦୨୩ ଅଗଷ୍ଟ ୨୧ ତାରିଖରେ ରାଜ୍ୟ ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସ୍କୁଲ ଭିତ୍ତଭୂମି, ସ୍କୁଲରେ ଅତିରିକ୍ତ ଶିକ୍ଷା ସୁବିଧା, ସ୍କୁଲ ଶିକ୍ଷାର ଆଧୁନିକୀକରଣ ପାଇଁ ଅନୁଦାନ ଦିଆଯାଇଥିଲା। କିନ୍ତୁ ସେତେବେଳେ ଏହି ଯୋଜନାରୁ ବାଦ୍ ପଡ଼ିଥିଲା ଲାଞ୍ଜିଗଡ଼ ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲ ଗତବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସ୍କୁଲକୁ ଗୋଦାବରୀଶ ମିଶ୍ର ସ୍କୁଲ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଖୋଦ୍ ଜିଲ୍ଲାପାଳ ସୁପାରିସ୍ କରିଥିଲେ । ମାତ୍ର ତାହା ବି ହୋଇପାରିନଥିଲା। ଏହି ପୁରୁଣା ସ୍କୁଲକୁ ଦାୟିତ୍ବରେ ଥିବା ପ୍ରଶାସନିକ ଅଧିକାରୀ ଓ ରାଜନେତାମାନେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଥିବା ନେଇ ଅଭିଭାବକ ଓ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।
*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର*
