April 27, 2026

ପୁରୀରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

IMG-20260213-WA0023
Share

 

ଜାତି, ସଂପ୍ରଦାୟ, ଖାଦ୍ୟ, ପୋଷାକ, ଭାଷା ଓ ଉପାସନା ପଦ୍ଧତି ଆଦି ଭିତ୍ତିରେ ସନାତନୀ ହିନ୍ଦୁ ମାନଙ୍କୁ ଭାଗଭାଗ କରି ଉଭୟ ମୋଗଲ ଓ ଇଂରେଜ ଙ୍କ ଭଳି ବିଦେଶୀ ବିଧର୍ମୀ ଆକ୍ରମଣକାରୀ ମାନେ ଆମ ଉପରେ ଦୀର୍ଘବର୍ଷ ଶାସନ କରିଥିଲେ। ଗଣିତ, ଭାଷା, ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଜ୍ୟୋତିଷ, ବୈଷୟିକ ବିଦ୍ୟା, ସମାଜ ଓ ପରିବାର ବ୍ୟବସ୍ଥା, ସ୍ବାସ୍ଥ୍ୟରକ୍ଷା ଓ ଚିକିତ୍ସା ବିଜ୍ଞାନ ଆଦିରେ ଯାହା ସର୍ବଶ୍ରେଷ୍ଠ ତାହା ବିଶ୍ବକୁ ସନାତନୀହିନ୍ଦୁ ପରଂପରା ର ଦାନ ବୋଲି ପ୍ରବୀଣ ବକ୍ତାଗଣ ବିଶାଳ ହିନ୍ଦୁ ସମ୍ମିଳନୀରେ ଘୋଷଣା କରିଛନ୍ତି। ଗୁରୁବାର ସଂଧ୍ୟାରେ ହିନ୍ଦୁ ଜାଗରଣ ଓ ଦେଶର ସୁରକ୍ଷା ଲକ୍ଷ୍ୟରେ ପୁରୀନଗରର ଅଙ୍ଗିରା ବସତି, ରାମଚଣ୍ଡୀ ବସତି ଓ ମରିଚକୋଟ ବସତି ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ବିଶାଳ ହିନ୍ଦୁ ସମ୍ମିଳନୀ। ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ସଦାଶିବ ପରିସରସ୍ଥ ଜୟଦେବ ସଭାଗାର ରେ ଆୟୋଜିତ ସମ୍ମିଳନୀ ର ଉଦଘାଟନୀ ପର୍ବ ପରେ ପଣ୍ଡିତ ଓମ୍ ପ୍ରକାଶ ମିଶ୍ର ଓ ସାଥି ଙ୍କ ଦ୍ବାରା ମନୋଜ୍ଞ ସାମୂହିକ ଶ୍ରୀହନୁମାନ ଚାଳିଶା ପରିବେଷଣ କରାଯାଇଥିଲା। ହିନ୍ଦୁ ସମ୍ମିଳନୀରେ ଶ୍ରୀମନ୍ଦିର ର ପୁରୋହିତ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ରାଧାବଲ୍ଲଭ ମଠ ର ମଠାଧୀଶ ରାମକୃଷ୍ଣ ଦାସ, ନେବଳଦାସ ମଠ ର ମଠାଧୀଶ ଡକ୍ଟର ରାମଚରଣ ଦାସ, ସଦାଶିବ ପରିସରର ନିର୍ଦ୍ଦେଶକ ଡକ୍ଟର ପ୍ରଭାତ କୁମାର ମହାପାତ୍ର, ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ପ୍ରାକ୍ତନ ନଗରପାଳ ଗୌରହରି ପ୍ରଧାନ ସମ୍ମାନୀତ ବକ୍ତା ଏବଂ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ର ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। ସମ୍ମିଳନୀରେ ସହରର ବହୁ ରାଷ୍ଟ୍ରପ୍ରେମୀ ସନାତନୀ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ। ନିଜ ନିଜର ବକ୍ତବ୍ୟ ରେ ବକ୍ତାଗଣ ହିନ୍ଦୁ ଧର୍ମର ମହନୀୟତା ପ୍ରତିପାଦିତ କରିଥିଲେ। କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଆଇନଜୀବୀ ମହାବୀର ରୂଦ୍ରନାରାୟଣ ସାହୁ ପ୍ରାରମ୍ଭିକ ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ବରିଷ୍ଠ ଆଇନଜୀବୀ ସ୍ବପ୍ନାନନ୍ଦ ପଟ୍ଟନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ