ଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ବୃକ୍ଷ କଟାଯିବା କୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ..

ପାରଳାଖେମୁଣ୍ଡି(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ପରିସରରେ ଗଛ କଟାଯିବାକୁ ନେଇ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।ଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଆଳରେ କଟା ଯାଉଛି ବହୁ ସଂଖ୍ୟାରେ ଗଛ। କାର୍ଯ୍ୟାଳୟ ପରିସରରେ ଯଥେଷ୍ଟ ଖୋଲା ସ୍ଥାନ ରହିଛି,ଯେଉଁଠି ଅନେକ ଆବଶ୍ୟକ କୋଠା ନିର୍ମାଣ କାରିବାକୁ ସୁଯୋଗ ରହିଛି,ବ୍ଲକ ପ୍ରଶାସନ ଇଚ୍ଛାଶକ୍ତି ଓ ଆନ୍ତରିକତାର ସହ କାମ କଲେ ସବୁ କିଛି ପରିଚାଳନା ହୋଇପାରିବ। ଗଛ କାଟିବାକୁ ପଡିବ ନାହିଁ,ଗଛ କାଟିବା ଫଳରେ ପରିବେଶ ସନ୍ତୁଳନ ହରାଉଛି।ପୂର୍ବରୁ ବ୍ଲକ ପରିସରରେ ସୌନ୍ଦର୍ଯ୍ୟ ବୃଦ୍ଧି କରୁ ଥିଲା ଏହିସବୁ ଗଛ।ବଡ଼ ବଡ ଗଛ କାଟିବା ଦ୍ଵାରା ପରିବେଶର ବହୁ କ୍ଷତି ଘଟୁଛି,ଯାହା ପୂରଣ କରିବା ପାଇଁ ନୂତନ ଗଛ ରୋପଣ କରାଗଲେ ଅନେକ ବର୍ଷ ଲାଗିଯିବ ବୋଲି କହିଛନ୍ତି ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ,ଗଛ ନ କାଟି ଏହାର ବିକଳ୍ପ ନେଇ ବ୍ଲକ ଅଧିକାରୀଙ୍କ ସହ ଆଲୋଚନା କଲେ ତମେ କିଏ କହିବାକୁ ବୋଲି ଉତ୍ତର ଦେଉଥିବା ନେଇ ଜନସାଧାରଣ ଅଭିଯୋଗ କରିଛନ୍ତି।ବଡ ବଡ ଗଛ କଟା ଯାଉଛି କିନ୍ତୁ ବନ ବିଭାଗର କୌଣସି ଅନୁମତି ନିଆଯାଉ ନାହିଁ ପୁଣି ବୃକ୍ଷ କାଟିବାକୁ ଥିବା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।ସବୁଜ ଗଜପତି ଭାବେ ବିଶେଷ କରି ଜିଲ୍ଲାର ଗୁମ୍ମା ବ୍ଲକର ସବୁଜତାକୁ ନେଇ ଗର୍ବ କରୁଥିଲେ ଅଞ୍ଚଳବାସୀ।ବର୍ତ୍ତମାନ ବ୍ଲକ ପରିସର ମଧ୍ୟରେ ଦେଖିବାକୁ ମିଳିଛି ଏହାର ଓଲଟା ଦୃଶ୍ୟ।ବ୍ଲକ ପରିସରର ସବୁଜତା କୁ ନଷ୍ଟ କରୁଛି ନିଜେ ପ୍ରଶାସନ।ଉନ୍ନୟନ ମୂଳକ କାମ ବାହାନାରେ ଅଶୋକ ସ୍ତମ୍ଭ ଓ ଅଶୋକ ଚକ୍ର ଭାଙ୍ଗି ଅସମ୍ମାନ କରିବା ପରେ ବି ମନ ବୁଝୁନି ବ୍ଲକ ପ୍ରଶାସନର।ବନ ବିଭାଗ ର ବିନା ଅନୁମତିରେ ବହୁ ମୂଲ୍ୟବାନ ଗଛ କାଟି ବିନା ଟେଣ୍ଡର ରେ କିପରି ବିକ୍ରି କରାଗଲା ବା ଗଛ ଗୁଡ଼ିକ କାଟି କାହାକୁ ଦିଆଗଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି।ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରି ମତାମତ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ସହ ଫୋନ ସଂଯୋଗ ହୋଇ ପାରିନଥିଲା। ସୁନ୍ଦର ଗଛ ଗୁଡ଼ିକ କାଟି ଦେବା ଲୋକଙ୍କ ମନକୁ କଷ୍ଟ ଦେଉଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।ବନ ବିଭାଗର ବିନା ଅନୁମତିରେ କିପରି ଗଛ କାଟିଲେ ବ୍ଲକ ପ୍ରଶାସନ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।
