ସପ୍ତମ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ମୀନା ବଜାର ଉଦଘାଟିତ , ବିଭିନ୍ନ ମେଢ ଲୋକାର୍ପିତ
ବୁଗୁଡ଼ା : ତା ୦୨/୦୫/୨୩ : ପଞ୍ଚ ଠାକୁରାଣୀ ଯାତ୍ରା ପାଇଁ ବୁଗୁଡ଼ା ସହର ଉତ୍ସବ ମୁଖରିତ ହୋଇ ଉଠିଛି । ଯାତ୍ରାର ସପ୍ତମ ଦିବସରେ ଆଜି ଶ୍ରମମନ୍ତ୍ରୀ ତଥା ଠାକୁରାଣୀ ଯାତ୍ରା କମିଟି ସଭାପତି ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ମୀନା ବଜାର ଉଦଘାଟିତ ହେବା ସାଙ୍ଗକୁ ବିଭିନ୍ନ ମେଢ ଲୋକାର୍ପିତ ହୋଇଯାଇଛି । ଲୋକେ ମୀନା ବଜାର ଓ “ମୌତ୍ କା କୂଆ”ର ମଜା ନେବା ସାଙ୍ଗକୁ ବସଷ୍ଟାଣ୍ଡର “ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା” ମେଢ ଓ ଟୁଣୁଟୁଣିଆ ସାହିର “ଲଙ୍କେଶ୍ଵରୀ” ମେଢ ନିକଟରେ ଭିଡ ଜମାଉଛନ୍ତି । ହାଇସ୍କୁଲ ଛକଠାରୁ ଶକ୍ତି ନଗର ତୋରଣ ପର୍ଯ୍ୟନ୍ତ ଏବଂ ଟୁଣୁଟୁଣିଆ ସାହି ଆଲୋକ ମାଳାରେ ଝଲସି ଉଠୁଛି । ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଝୁଣା ସେବା ଓ ୧୦୮ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ପାଞ୍ଚ ଜଣ ମାନସିକଧାରୀ ମହିଳା ବନିଜା ମିଶ୍ର , ଝୁନୁ ସାହୁ , ଜ୍ଯୋତ୍ସ୍ନାରାଣୀ ସାହୁ , କୁନି ସାହୁ ଓ ନନ୍ଦିନୀ ଆଚାରୀ ପ୍ରମୁଖ ଘଟ ଧାରଣ କରି ହରିଶରଣପୁର , କୃଷ୍ଣଶରଣପୁର, ବୀରଧନଞ୍ଜୟପୁର, ଜଗତ ପାଟଣା ଆଦି ପରିକ୍ରମା କରି ଆସ୍ଥାନକୁ ଫେରିଥିଲେ ।