ଗଜପତି ଜିଲ୍ଲା ନୂଆଗଡ ବ୍ଲକ ବଡ଼ପଦା ବାପଟିଷ୍ଟ ମଣ୍ଡଳୀର ଆଦରଣୀୟ ପାଳକ ଆଚାର୍ଯ୍ୟ ଇସ୍ରାଏଲ ବର୍ଦ୍ଧନଙ୍କ ପରଲୋକ
ପାରଳାଖେମୁଣ୍ଡି:୧୯/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଶତାବ୍ଦୀ ବଡ଼ପଦା ବାପଟିଷ୍ଟ ମଣ୍ଡଳୀର ଆଦରଣୀୟ ପାଳକ ସ୍ବର୍ଗତ ଆଚାର୍ଯ୍ୟ ଇସ୍ରାଏଲ ବର୍ଦ୍ଧନ (୭୧) ବୟସରେ ଆଜି ସକାଳ ୫:୩୦ ଘଟିକା ସମୟରେ ପ୍ରଭୁଙ୍କର ଦିବ୍ୟ ଆଲୋକମୟ କୋଳରେ ଶାଶ୍ୱତ ଶାନ୍ତିରେ ଲୀନ ହୋଇଛନ୍ତି। ତାଙ୍କର ଅକାଳ ପ୍ରୟାଣ ସମଗ୍ର ମଣ୍ଡଳୀ ଓ ଅଞ୍ଚଳବାସୀଙ୍କ ହୃଦୟରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି, ଯାହା ଏକ ଅପୂରଣୀୟ କ୍ଷତିରେ ପରିଣତ ହୋଇଛି। ପାଳକ ସ୍ବର୍ଗତ ଆଚାର୍ଯ୍ୟ ଇସ୍ରାଏଲ ବର୍ଦ୍ଧନ ୧୯୯୧ ମସିହା ଜାନୁୟାରୀ ୨୧ ତାରିଖରୁ ଏହି ଶତାବ୍ଦୀ ବଡ଼ପଦା ବାପଟିଷ୍ଟ ମଣ୍ଡଳୀରେ ପାଳକ ଭାବେ ଅନୁପମ ନିଷ୍ଠା ଓ ନିଷ୍ପାପ ଭକ୍ତି ସହ ସେବା ଜାରି ରଖିଥିଲେ। ଦୀର୍ଘ ବର୍ଷ ଧରି ସେ ପ୍ରଭୁଙ୍କର ପବିତ୍ର ବାଣୀ ପ୍ରଚାର ଓ ଆଧ୍ୟାତ୍ମିକ ମାର୍ଗଦର୍ଶନ ମାଧ୍ୟମରେ ବିଶ୍ୱାସୀ ଓ ବିଶ୍ୱାସିନୀଙ୍କୁ ଈଶ୍ୱରୀୟ ପଥରେ ଆଲୋକିତ କରିଛନ୍ତି। ତାଙ୍କର ପ୍ରେରଣାଦାୟୀ ଜୀବନ, ଅନନ୍ୟ ସେବାଭାବ ଓ ମହାନୁଭବ ଚରିତ୍ର ମଣ୍ଡଳୀର ପ୍ରତ୍ୟେକ ସଦସ୍ୟଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିବ। ତାଙ୍କର ଶାନ୍ତ, ସହନଶୀଳ ଓ ସମର୍ପିତ ଜୀବନଧାରା ସମସ୍ତଙ୍କୁ ପ୍ରଭୁଙ୍କ ପ୍ରତି ଅନୁରକ୍ତ ହେବାକୁ ପ୍ରେରିତ କରିଥିଲା। ଏହି ଅକାଳ ବିୟୋଗ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀଙ୍କ ମଧ୍ୟରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି। ଅଞ୍ଚଳରେ ଶୋକାକୁଳ ପରିବେଶ ମଧ୍ୟରେ ପ୍ରତ୍ୟେକ ମଣ୍ଡଳୀର ପାଳକ ଓ ଦିକନ, ଖ୍ରୀଷ୍ଟ ବିଶ୍ୱାସୀ, ବିଶ୍ୱାସୀନି ତାଙ୍କ ଆତ୍ମାର ଶାଶ୍ୱତ ଶାନ୍ତି କାମନା କରି ପ୍ରାର୍ଥନାରତ ଅଛନ୍ତି। ପ୍ରଭୁ ତାଙ୍କ ଆତ୍ମାକୁ ଅମର ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାର ଓ ମଣ୍ଡଳୀକୁ ଏହି ଅସହ୍ୟ ଦୁଃଖ ସହିବାର ଅସୀମ ଶକ୍ତି ଓ ଧୈର୍ଯ୍ୟ ଦାନ କରନ୍ତୁ।
