ଗଣପର୍ବ ଦଣ୍ଡଯାତ୍ରା ଉଦଯାପିତ, ମେରୁ ପର୍ବ ପାଳିତ
ଗଣପର୍ବ ଦଣ୍ଡଯାତ୍ରା ଉଦଯାପିତ, ମେରୁ ପର୍ବ ପାଳିତ
ବୁଗୁଡା : ତା ୧୪/୦୪/୨୩ : ବୁଗୁଡା ଏବଂ ଏହାର
ଆଖପାଖ ଅଞ୍ଚଳରେ ଚାଲିଆସିଥିବା ଗଣପର୍ବ ଦଣ୍ଡଯାତ୍ରା
ପବିତ୍ର ମେରୁ ସଂକ୍ରାନ୍ତିରେ ଉଦଯାପିତ ହୋଇଯାଇଥିଲା ବେଳେ ଉତ୍ସାହର ସହ ମେରୁ ପର୍ବ ପାଳିତ ହୋଇଯାଇଛି । ଚଳିତ ବର୍ଷ ପ୍ରବଳ ଜନ ସମାଗମ ସହ ଆନନ୍ଦ ଓ ଉଲ୍ଲାସରେ ବୁଗୁଡ଼ା ସହ ଅଞ୍ଚଳର ଚିରିକିପଡା , ମରେଇପଲ୍ଲୀ , ଗୋଲିଆ , ଭାମଶ୍ୟାଳି , ପଙ୍କଳବାଡି , ଆଶ୍ରମ କରଡ଼ାବାଡ଼ି , ପୋଚାଲୁଣ୍ଡି , ବକ୍ସିପଲ୍ଲୀ , ତାଳସାକର , ଡାକରାବାଡି , ବଣପଲ୍ଲୀ , ପାଣିକେଶର ,ଭାବସର , ଚିଲିଖମା ଓ କାନନକୁଟୀର ଆଦି ଗ୍ରାମରେ ଥିବା ଦଣ୍ଡକାଳୀ ମନ୍ଦିର ନିକଟରେ ଆଜି ଯଥା ରୀତିନୀତି ପ୍ରକାରେ ଧୂଳିଦଣ୍ଡ ,ଜଳଦଣ୍ଡ ଓ ଅଗ୍ନିଦଣ୍ଡ ପରେ ଦଣ୍ଡୁଭୁକ୍ତାମାନେ ଗ୍ରାମ୍ୟ ପରିକ୍ରମା କରିଥିଲେ । ତା’ପରେ ମେରୁ ମଣ୍ଡପଠାରେ ହୋମକୁଣ୍ଡ ପ୍ରଜ୍ବଳନ କରାଯାଇ ତାହା ଉପରେ ପାଟ ଦଣ୍ଡୁଆଙ୍କୁ ଝୁଲାଇ ଝୁଣାମାଡ କରାଯାଇଥିଲା । ଏହି ଦୃଶ୍ୟ ଦେଖିବା ସହ ଶ୍ରଦ୍ଧାଳୁଗଣ ଭକ୍ତିପୂର୍ଣ୍ଣ ଭାବେ ରୁଦ୍ର ଏବଂ କାଳୀଙ୍କୁ ପୂଜା ଅର୍ଚ୍ଚନା କରିଥିଲେ। ଏ ଅବସରରେ ବୁଗୁଡା ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ସ୍ବେଚ୍ଛାସେବୀଙ୍କ ଦ୍ବାରା ପଣା ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା ।