ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ ,ଭଙ୍ଗା କଭର ପ୍ଲେଟ ହଟିଲା , ସମସ୍ଯାର ହେଲା ସମାଧାନ
ବୁଗୁଡ଼ା : ତା ୧୩/୦୪/୨୩ : ବୁଗୁଡ଼ା ସହରର ଏକ ପ୍ରମୁଖ ରାସ୍ତା ଜୀବନ ପାତ୍ର ଗଳିରେ ଦୀର୍ଘ ଦିନ ହେଲା ମଝି ରାସ୍ତାରେ ଥିବା ଡ୍ରେନ୍ କଭର ପ୍ଲେଟ ଭାଙ୍ଗି ଦବିଯାଇ ଖାଲ ହୋଇ ରହିଥିଲେ ହେଁ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନପଡିବା ପରିତାପର ବିଷୟ ପାଲଟିଥିଲା । ଏହି ରାସ୍ତା ଉପରେ ସହରର ଅନ୍ନପୂର୍ଣ୍ଣା ନଗର, ଅମିତ ନଗର,ମହିମା ନଗର, ଷ୍ଟାଡିୟମ୍ ସାହି, ବାଲିପିଣ୍ଡି ସାହି ଆଦି ଅନେକ ସାହି ବାସିନ୍ଦା ନିର୍ଭର କରୁଛନ୍ତି । ତେବେ ଏହି ରାସ୍ତା ସଂକୀର୍ଣ୍ଣ ସାଙ୍ଗକୁ ରାସ୍ତା ମଝିରେ ଡ୍ରେନ ନିର୍ମାଣ ହୋଇଥିବାରୁ ଯାତୟାତ ବେଳେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଶେଷ କରି ସନ୍ଧ୍ୟା ସମୟରେ ଏହି ରାସ୍ତା ଦେଇ ଯାଉଥିବା ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ଏହି ଖାଲ ଯୋଗୁଁ ଦୁର୍ଘଟଣାର ଶିକାର ହେଉଥିଲେ । ଏହି ଭଙ୍ଗା କଭର ପ୍ଲେଟ ଯୋଗୁଁ କେତେବେଳେ କାହାର ଜୀବନ ଚାଲିଯିବ ସେନେଇ ମଧ୍ୟ ଆଶଙ୍କା ଦେଖା ଦେଇଥିଲା । ପ୍ରାଥମିକତା ଭିତ୍ତିରେ ଏହି ଡ୍ରେନର ତୁରନ୍ତ ମରାମତି ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା । ଏ ନେଇ ବିଭିନ୍ନ ସମ୍ବାଦ ପତ୍ରରେ ଖବର ପ୍ରକାଶ ପାଇବା ପରେ ଏନ୍ଏସି ପ୍ରଶାସନର ଚେତା ଫେରିଥିଲା । ଫଳରେ ବିପଦଜ୍ଜନକ କଭର ପ୍ଲେଟକୁ ସଜାଡି ସମସ୍ଯାର ସାମୟିକ ସମାଧାନ ହେବା ପରେ ସେହି ସଂକୀର୍ଣ୍ଣ ଗଳିରେ ଯାତାୟତ ନିରାପଦ ହୋଇ ପାରିଛି । ତେବେ ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ରଶ୍ମୀ ରଞ୍ଜନ ଦାସଙ୍କ ଠାରୁ ପ୍ରକାଶ ପାଇଛି ।