ଗର୍ଭବତୀ ନାବାଳିକା ଝିଅର ଜୀବନ ନେଲେ ବାପା ମା’, ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ।

ଯାଜପୁର ( ଦେବାଶିଷ ଦାଶ )
ମରିଗଲା ବାପା ମା’ଙ୍କ
ମାନବିକତା । ଭୁଲିଗଲେ ରକ୍ତ ସମ୍ପର୍କ । ଲୋକଲଜ୍ଜା ଭୟରେ ଭିଆଇଲେ ନାରକୀୟ କାଣ୍ଡ । ରାତି ଅଧରେ ଗର୍ଭବତୀ ନାବାଳିକା ଝିଅକୁ ମାରି ଦେଇଥିଲେ ବାପା ମା’ । କିନ୍ତୁ ସବୁ ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ । ମୃତ ପିଡ଼ିତାକୁ ମିଳିଲା ନ୍ୟାୟ । ଆଜୀବନ କାରାଦଣ୍ଡାଦେଶର ନିର୍ଦ୍ଦେଶ ଦେଲେ କୋର୍ଟ ।
କେମିତିକା ବାପା ମା’ କେଜାଣି ଯେଉଁ ଛୁଆକୁ ଜନ୍ମ ଦେଇଥିଲେ ସେଇ ଛୁଆର ଜୀବନ ନେଇଗଲେ । ଝିଅକୁ ମାରି ମାରି ଲହୁଲୁହାଣ କଲେ ଆଉ ଶେଷରେ ବାରି ପଛ ପଟେ ନେଇ ପୋଡ଼ିଦେଲେ । ଭାବିଥିଲେ ଏଭଳି ଅପରାଧ କରି କେବେ ବି ଧରା ପଡ଼ିବେନି । କିନ୍ତୁ ସତ କେବେ ଲୁଚି ରହେନା । ଦିନେ ନା ଦିନେ ସତ ସାମ୍ନାକୁ ଆସେ । ଆଉ ସେ ଯେତେ ବଡ଼ ଅପରାଧୀ ହୋଇ ଥାଉ ନା କାହିଁକି ଆଇନ୍ ଆଗରେ ତାର ସବୁ ଚାଲାକି ଫିକା ପଡ଼େ ।
ଗର୍ଭବତୀ ନାବାଳିକା ଝିଅକୁ ପୋଡି ହତ୍ୟା ଘଟଣାରେ ବାପା ମା’ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁରର ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ୨୦୧୬ ମସିହା ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳର ୧୫ ବର୍ଷୀୟ ଗର୍ଭବତୀ ନାବାଳିକା ଝିଅକୁ ନିଜ ଘର ପଛପଟେ ପୋଡି ଦେଇଥିଲେ ନିଜ ଜନ୍ମ କଲା ବାପା ଓ ମା । ଏଥି ସହ ପ୍ରମାଣ ନଷ୍ଟ କରିବାକୁ ପାଉଁଶକୁ ନିକଟସ୍ଥ ଖରସ୍ରୋତା ନଦୀରେ ଭସାଇ ଦେଇଥିଲେ । ନାବାଳିକା ଝିଅକୁ ବାଡାଉଥିବା ସମୟରେ ସେହି ରାସ୍ତାରେ ଯାଉଥିବା ମାତାଜି ଜେନା ନାମକ ଜଣେ ମହିଳା ଝିଅର ଚିତ୍କାର ଶୁଣିଥିଲେ । ପର ଦିନ ଘରେ ଝିଅକୁ ନ ପାଇବାରୁ ମାତାଜି ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଖରସ୍ରୋତା ନଦୀରୁ ଏକ ଅଖା ଭିତରୁ କିଛି ପୋଡା ହାଡ଼ ଓ ପାଉଁଶ ଜବତ କରିଥିଲା । ପରେ ପିଡ଼ିତା ଝିଅର ବାପା ନକୁଳ ଜେନା ଓ ମା’ ସଞ୍ଜୁ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ଶୁଣାଣି କରିଛନ୍ତି ଆଡ଼ହକ ପୋକ୍ସୋ ଅଦାଲତ ।