May 10, 2026

ତିନି ମାସର ଦରମା ପାଇନାହାନ୍ତି ଏସବିଆଇ ଆଉଟସୋର୍ସିଂ କର୍ମଚାରୀ, ବୈଠକରେ ଉଦବେଗ  

IMG-20250321-WA0011
Share

 

ବ୍ରହ୍ମପୁର,21/3 : ହିନ୍ଦ୍‌‍ ମଜଦୁର ସଭା ସହ ଅନୁବନ୍ଧିତ ଏସ୍‌‍ବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ଏକ ବୈଠକ ଶୁକ୍ରବାର ନବୀନ ଭବନ ପରିସରରେ ଅନୁଷ୍ଠିତ ହୋଇ ଷ୍ଟେଟ୍‌‍ ବ୍ୟାଙ୍କ ଭଳି ମର୍ଯ୍ୟାଦାସମ୍ପନ୍ନ ବ୍ୟାଙ୍କରେ ଆଉଟସୋର୍ସିଂ ଭାବେ କାର୍ଯ୍ୟରତ ପ୍ରାୟ ଅଢ଼େଇ ହଜାର କର୍ମଚାରୀଙ୍କ ଦରମା ଗତ ତିନିମାସ ଧରି ପାଇନଥିବାରୁ ଉଦବେଗ ପ୍ରକାଶ କରାଯାଇଥିଲା । ସମ୍ପ୍ରତି ବଜାର ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ଏହି ସ୍ଵଳ୍ପ ବେତନଭୋଗୀ କର୍ମଚାରୀଙ୍କୁ ଗତ ତିନି ମାସର ଦରମା ମିଳିନଥିବାରୁ ସେମାନଙ୍କ ପରିବାର ଭରଣପୋଷଣରେ ସମସ୍ୟା ଦେଖାଦେଇଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

ଏହି ବୈଠକରେ ହିନ୍ଦ୍‌‍ ମଜଦୁର ସଭାର ରାଜ୍ୟ ଉପସଭାପତି ତଥା ଏସବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ଉପଦେଷ୍ଟା ରବି ରଥ ଅଧ୍ୟକ୍ଷତା କରିଥିଲେ । ଗତ କିଛିମାସ ତଳେ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଯଥା କର୍ମ ନିର୍ଘଣ୍ଟ ନିର୍ଣ୍ଣୟ କରିବା, ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ଇପିଏଫ୍‌‍ ଓ ଇଏସଆଇ ଏବଂ ବୋନସ୍‌‍ ପ୍ରଦାନ ସମ୍ପର୍କରେ ତ୍ରିପାକ୍ଷିକ ଆଲୋଚନା କେନ୍ଦ୍ରୀୟ ଶ୍ରମ କମିଶନର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଆଲୋଚନା ବେଳେ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟର ମ୍ୟାନେଜର, କର୍ମଚାରୀ ସଂଘ ପକ୍ଷରୁ ରବି ରଥ ଓ ଶ୍ରମ ବିଭାଗ ପକ୍ଷରୁ ଶ୍ରମ ଅଧିକାରୀ ପ୍ରଦୁମ୍ନ କୁମାର ରଣାଙ୍କ ଉପସ୍ଥିତିରେ ଉପରୋକ୍ତ ବିଷୟରେ ଆଲୋଚନା ହୋଇଥିଲେ ମଧ୍ୟ ଅଦ୍ୟାବଧି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ବୈଠକରେ ଉଦବେଗ ପ୍ରକାଶ କରାଯାଇଥିଲା। ତୁରନ୍ତ କର୍ମଚାରୀମାନଙ୍କ ଦରମା ପ୍ରଦାନ ଦାୟିତ୍ଵରେ ଥିବା ସମ୍ପୃକ୍ତ ଏଜେନ୍ସି ଓ ବ୍ୟାଙ୍କ ଅଧିକାରୀ ଦୃଷ୍ଟି ଦେବାକୁ ବୈଠକରେ ଦାବି କରାଯାଇଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ ।

 

(ରବି ରଥ)

ଉପଦେଷ୍ଟା ତଥା ଉପସଭାପତି ହିନ୍ଦ୍‌‍ ମଜଦୁର ସଭା, ଓଡ଼ିଶା