ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନର ସିଧାପ୍ରସାରଣ କାର୍ଯ୍ୟକ୍ରମ ବାଲେଶ୍ୱର ଜିଲ୍ଲାରୁ ଦ୍ଵିତୀୟ କିସ୍ତି ପାଇଲେ ୫୮୪୩୧୦ ହିତାଧିକାରୀ

ଶ୍ୱର(ଶେଖ୍ ନଜିମ୍): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ରାଜ୍ୟର ୧ କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି । ଏହି ଅବସରେରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ଉତ୍କଳ ବାଳାଶ୍ରମ ପରିସରଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡା ଏବଂ ଯୁବସେବା ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଥିଲେ ଯେ ସୁଭଦ୍ରା ଯୋଜନା ଆଜି ଏକ ବିପ୍ଲବରେ ପରିଣତ ହୋଇଛି। ଏହି ଯୋଜନା ଦ୍ୱାରା କିଶୋରୀମାନଙ୍କଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୟସର ମହିଳାମାନେ ସଶକ୍ତ ଏବଂ ସମୃଦ୍ଧ ହୋଇପାରିବାର ବ୍ୟବସ୍ଥା କରାଯାଉଛି । ଏହା ରାଜ୍ୟର ପ୍ରତ୍ୟେକ ସୁଭଦ୍ରାଙ୍କ ମନରେ ଏକ ନୂତନ ଆଶା ଓ ବିଶ୍ୱାସର ସଂଚାର କରିପାରିଛି । ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସଦର ବିଧାୟକ ମାନସ ଦତ୍ତ, ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ ଓ ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗତ ୯ ମାସ ମଧ୍ୟରେ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବାଲେଶ୍ୱର ଜିଲ୍ଲାରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ କହିବା ସହ ସମସ୍ତେ ସୁଭଦ୍ରା ଯୋଜନାରେ ପାଇଥିବା ଟଙ୍କାକୁ ସଦୁପଯୋଗ କରି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଭାଗୀଦାରୀ ହେବା ପାଇଁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ କି, ବାଲେଶ୍ୱର ଜିଲ୍ଲାରୁ ସର୍ବମୋଟ ୫୮୪୩୧୦ ଜଣ ହିତାଧିକାରୀ ଦ୍ଵିତୀୟ କିସ୍ତିର ଟଙ୍କା ନିଜ ବ୍ୟାଙ୍କ ଖାତାରେ ପାଇଛନ୍ତି । ସମସ୍ତେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିବା ସହ ଜିଲ୍ଲା ମହିଳା ଏବଂ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ନିଷ୍ଠାପର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏତଦ୍ ବ୍ୟତୀତ ୫୧ତମ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲାର ଛାତ୍ରଛାତ୍ରୀ ଏବଂ ଅଙ୍ଗନୱାଡ଼ି କର୍ମୀ ଓ ହେଲପର ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ଓ କର୍ମୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ହେମନ୍ତ କୁମାର ସିଂ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ, ଡିଏସଡବ୍ଲୁଓ ଗୌରୀ ନାୟକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ I