March 3, 2025

ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ..

Share

*ଗଞ୍ଜାମ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ବୈଠକ*

*ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁନି ନୁଆଁ ସରକାର*

 

*ପୁରୁଣା କର୍ମଚାରୀଙ୍କ ଛଟେଇ ବନ୍ଦ ନହେଲେ, ଆନ୍ଦୋଳନକୁ ଓଲ୍ହାଇବ ମହାସଂଘ*

***************************

ଆଜି ସ୍ଥାନୀୟ ଗେଟ ବଜାର ସ୍ଥିତ ଏନଜିଓ ହଲରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର ଏକ ଜିଲ୍ଲାସ୍ତରୀୟ ସମାବେଶ ଜିଲ୍ଲା ସଭାପତି ବିଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ବିଭାଗରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀମାନଙ୍କ ସଂଘମାନଙ୍କ ନେତୃତ୍ବ ଯୋଗଦେଇଥିଲେ ।

ବୈଠକରେ ରାଜ୍ୟର ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତି ଚାଲିଥିବା ଶୋଷଣ ଓ ଅବିଚାର ଉପରେ ଆଲୋଚନା ହୋଇଥିଲା । ଅତିତରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଲଢେଇ ଫଳରେ ପୂର୍ବ ସରକାର ଅନେକ ଗୁଡ଼ିଏ ଦାବିକୁ ମାନି ନେଇଥିଲେ ବି ଆହୁରି ଅନେକ ଦାବି ପୂରଣ ହୋଇପାରି ନଥିଲା । ମାସିକ ଦରମାରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ଦରମାକୁ ବୃଦ୍ଧି କରିଥିଲେ ମଧ୍ୟ ଦୈନିକ ମଜୁରୀ ହିସାବରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ଦରମାକୁ ବଢାଯାଇ ନଥିଲା । ଏହାଛଡା କର୍ମଚାରୀମାନେ ପାଉଥିବା ସ୍ଵଳ୍ପ ଦରମାରୁ ବି ସରକାର ଅନ୍ୟାୟ ଭାବେ ପ୍ରାୟ ଏକ ପଞ୍ଚମାଂସ ବା ୧୮% ଜିଏସଟି ବାବଦରେ କାଟି ନେଉଛନ୍ତି । ବଜାରରେ ମୁଦ୍ରାସ୍ଫିତୀ ଅନୁଯାୟୀ ଦରମାରେ ବୃଦ୍ଧି କରାଯାଉନାହିଁ । ଏଜେନ୍ସି ବଦଳିଲେ ବି ପୁରୁଣା କର୍ମଚାରୀଙ୍କୁ ଚାକିରୀକୁ ଅବ୍ୟାହତ ରଖିବାକୁ ଦାବି କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ବର୍ଷ ବର୍ଷ ଧରି କାମ କରି ଆସିଥିବା ପୁରୁଣା କର୍ମଚାରୀଙ୍କୁ ଛଟେଇ କରି ନିଜର ମନ ମୁତାବକ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି । ସବୁଠାରୁ ଉଦବେଗର ବିଷୟ ଆଉଟସୋର୍ସିଂ କର୍ମଚାରୀମାନଙ୍କ ଲଢେଇ ଫଳରେ ଗତ ସରକାର କରିଥିବା ଅନେକ ଘୋଷଣାକୁ ବର୍ତ୍ତମାନର ସରକାର ଏ ପର୍ଯ୍ୟନ୍ତ ଲାଗୁ କରି ନାହାଁନ୍ତି I ପୂର୍ବ ସରକାରଙ୍କ ଦ୍ୱାରା କର୍ମଚାରୀଙ୍କ ବିଭିନ୍ନ ଦାବୀ ଯଥା ୨୫% ଦରମା ବୃଦ୍ଧି, ପାଞ୍ଚ ବର୍ଷୀୟା ଅଭିଜ୍ଞତା ଭିତ୍ତିରେ ଦରମା ବୃଦ୍ଧି, ବାର୍ଷିକ ବାରଟି ସବେତୈନିକ ଛୁଟି, ମହିଳା କର୍ମଚାରୀଙ୍କୁ ମାତୃତ୍ୱ କାଳୀନ ଛୁଟି ସହ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ସମସ୍ୟାକୁ ଦୃଷ୍ଠି ଦେବାପାଇଁ ଜିଲ୍ଲା ସ୍ତରରେ ନୋଡାଲ ଅଫିସର ଓ ରାଜ୍ୟ ସ୍ତରରେ ଜଣେ ଲୋକପାଳଙ୍କ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଉ ନାହିଁ I ଚାକିରୀର ସୁରକ୍ଷା ସହିତ ବର୍ତ୍ତମାନ ର ବଜାର ଦର ଅନୁସାରେ ଦରମା ପ୍ରଦାନ,ଇପିଏଫ/ଇଏସଆଇ ର ସଠିକ ପୈଠ ଆଦି ଦାବୀ ମଧ୍ୟ ରଖାଯାଇଛି I

ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳରେ ଥିବା ସମୟରେ ଏହି ଆଉଟସୋରସିଂ କର୍ମଚାରୀଙ୍କ ସମସ୍ୟାକୁ ନେଇ ବିଧାନସଭାରେ ପ୍ରତିବାଦର ସ୍ୱରକୁ ଶାଣିତ କରୁଥିଲା ବେଳେ ବର୍ତ୍ତମାନ କ୍ଷମତାକୁ ଆସିବାର ଆଠ ମାସ ପରେ ବି ଆମ ସମସ୍ୟାକୁ ଭୁଲିଯିବା ପରିତାପର ବିଷୟ ବୋଲି ମତପ୍ରକାଶ ପାଇଥିଲା । ଅତଏବ ସରକାର କାଳ ବିଳମ୍ବ ନକରି ତୁରନ୍ତ ମହାସଂଘ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ନିବେଦନ କରାଯାଇଛି ।

 

ନୂଆ ସରକାର ଆସିବା ପରେ ରାଜ୍ୟରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ନ୍ୟାୟ ମିଳିବ ବୋଲି ଆଶା କରାଯାଉଥିବା ବେଳେ ଓଲଟା ସେମାନଙ୍କୁ ଚାକିରୀରୁ ଛଟେଇ କରିବା ଦେଖାଯାଇଛି I

ନିକଟରେ ଏମକେସିଜି ମେଡିକାଲ କଲେଜ ହସପିଟାଲରେ ବର୍ଷ ବର୍ଷ ଧରି କାମ କରି ଆସିଥିବା ୧୮ ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କର୍ତ୍ତୃପକ୍ଷ ରାଜନୈତିକ ଚାପରେ ଅନ୍ୟୟ ଭାବେ ଛଟେଇ କରି ସେମାନଙ୍କ ସ୍ଥାନରେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ବାରମ୍ବାର ଦାବୀ ସତ୍ତ୍ୱେ ସରକାର ଏସବୁଧ କୌଣସି ସମାଧାନର ରାସ୍ତା ବାହାର କରିପାରୁ ନାଁହାନ୍ତି I ଏଭଳି ପରିସ୍ଥିତିରେ ରାଜ୍ୟର ଲକ୍ଷାଧିକ ଆଉଟସୋର୍ସିଂ କର୍ମଚାରୀଙ୍କ ପାଖରେ ଆନ୍ଦୋଳନକୁ ଓଲ୍ହାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିନାହିଁ । ସରକାର ଯଦି କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନନେଇ କାଳ କ୍ଷେପଣ ନୀତି ଅବ୍ୟାହତ ରଖନ୍ତି ତାହେଲେ ଖୁବଶିଘ୍ର ରାଜ୍ୟସ୍ତରୀୟ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯିବ ବୋଲି ଆଜିର ସଭାରେ ଚେତାବନୀ ଦିଆଯାଇଥିଲା ।

ଆଜିର କାର୍ଯ୍ୟକ୍ରମରେ ମହସଙ୍ଘର ଉପଦେଷ୍ଠା ଭାଲଚନ୍ଦ୍ର ଷଡ଼ଙ୍ଗୀ, ସର୍ବଭାରତୀୟ ଶ୍ରମିକ ସଂଗଠନ ‘ଇଫଟୁ’ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଭ୍ୟ ପ୍ରଶାନ୍ତ ମହାରଣା, ମେଡିକାଲ କର୍ମଚାରୀ ନେତ୍ରୀ ରାଧିକା ବିଷୋୟୀ, ସୂର୍ଯ୍ୟ ନାରାୟଣ ବେହେରା, ପ୍ରେମାନନ୍ଦ ସାହୁ, ଶଶାଙ୍କ ପଣ୍ଡା, ବିନାୟକ ପତି, ସୁରକ୍ଷା କର୍ମଚାରୀ ନେତା ବିଚିତ୍ର ସାହୁ, ସଫେଇ କର୍ମଚାରୀ ସଂଘ ତରଫରୁ ଆଶୁତୋଷ ଘଡ଼ାଇ, ନମିତା ନାୟକ, ପୌର କର୍ମଚାରୀ ସଂଘ ପକ୍ଷରୁ ମାଧୁରୀ ନାୟକ, ଧରିତ୍ରୀ ନାୟକଙ୍କ ସହ 41 ଟି ବିଭାଗର କର୍ମଚାରୀ ସଂଘର ପ୍ରତିନିଧି ମାନେ ଉପସ୍ଥିତ ଥିଲେ I

 

ଓଡିଶା ସରକାରୀ ଆଉଟସୋରସିଂ କର୍ମଚାରୀ ମହାସଂଘ, ଗଞ୍ଜାମ ଜିଲ୍ଲା କମିଟି ତରଫରୁ

 

*ବିଜୟ କୁମାର ମଲ୍ଲିକ* –

(ଗଞ୍ଜାମ ଜିଲ୍ଲା ସଭାପତି)

93370 57517

 

*ପ୍ରଶାନ୍ତ ମହାରଣା* – 8260323206

(ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ)