September 25, 2026

୧୫ରୁ ଶ୍ରୀକ୍ଷେତ୍ର ମକର ମହୋତ୍ସବ

IMG-20250114-WA0011
Share

ପୁରୀ: ତାଳବଣିଆ ଉନ୍ନୟନ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ହେଉଛି ଶ୍ରୀକ୍ଷେତ୍ର ମକର ମହୋତ୍ସବ । ଆସନ୍ତା ୧୫ ଓ ୧୬ ତାରିଖ ଦୁଇଦିନ ଧରି ତାଳବଣିଆ ପଡିଆରେ ଏହି ମହୋତ୍ସବ ଅନୁଷ୍ଠିତ ହେବ । ଏ ନେଇ ମଙ୍ଗଳବାର ସ୍ଥାନୀୟ ୟୁଥ୍ ହଷ୍ଟେଲ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ରୂପରେଖ ସଂକ୍ରାନ୍ତରେ ସୂଚନା ଦେଇଥିଲେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ସେବକ ମଧୁସୂଦନ ସିଂହାରୀ । ଉଦ୍‌ଘାଟନୀ ଉତ୍ସବରେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଧର୍ମଶାଳା ବିଧାୟକ ହିଂମାଶୁ ଶେଖର ସାହୁ, ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଏବଂ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅତିଥି ଭାବେ ଯୋଗଦେବେ । ସେହିପରି ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ମହୋତ୍ସବ ଅବସରରେ ମକର ଚାଉଳ, ଗୁଡ଼ିଉଡା ଏବଂ ମକର କବିତା ଆସର ଅନୁଷ୍ଠିତ ହେବ । ଏଥିରେ ୨୦ଟି ଷ୍ଟଲ ଖୋଲାଯିବାକୁ ଥିବାବେଳେ କିଣାବିକାର ସୁଯୋଗ ପାଇବେ ଦେଖଣାହାରୀ । ତେବେ ପ୍ରଥମ ସନ୍ଧ୍ୟାରେ ବମ୍ବେରୁ ଅନନ୍ୟା ଶ୍ରୀତମ ନନ୍ଦ ଏବଂ ସାଥୀ, ଉଦ୍‌ଯାପନୀ ସନ୍ଧ୍ୟାରେ ଶଶାଙ୍କ ଶେଖର ଏବଂ ତାଙ୍କ ସାଥୀ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଭାରତ ସରକାରଙ୍କ ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ ଏବଂ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶୀ, ଭଜନ, ସମ୍ବଲପୁର, ଗୋଟିପୁଅ ଆଦି ବିଭିନ୍ନ ପ୍ରକାର ନୃତ୍ୟ, ଗୀତର ଆସର ଜମିବ । ମକର ମହୋତ୍ସବ ଉପଲକ୍ଷେ ପୂର୍ବରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନେଇ ଅନୁଷ୍ଠିତ ଭକ୍ତି ସଙ୍ଗୀତ, ଚିତ୍ରାଙ୍କନ ଏବଂ ଝୋଟି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଭ୍ୟର୍ଥନା କମିଟି ଅଧ୍ୟକ୍ଷ ସିଂହାରୀ ସୂଚନା ଦେଇଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟର୍ଥନା କମିଟି ଉପାଧ୍ୟକ୍ଷ ଦିଗ୍‌ଦର୍ଶନ ପଟ୍ଟନାୟକ, ଅଭ୍ୟର୍ଥନା କମିଟି ଉପାଧ୍ୟକ୍ଷ ଉମାକାନ୍ତ ନାୟକ, ସାଙ୍ଗଠନିକ ଅଧ୍ୟକ୍ଷ ସନାତନ ଦାସ, ସଭାପତି ସିଉ ଜାମାତ୍ ରାଓ, ସମ୍ପାଦକ ସୁଜିତ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ରାଜେଶ କୁମାର ନନ୍ଦ, ଆବାହକ ଶିବପ୍ରସାଦ ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ଅନିତା ପଟ୍ଟନାୟକ, ସାଂସ୍କୃତିକ ସଂଯୋଜକ ଲକ୍ଷ୍ମୀନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed