January 10, 2025

ଚେତନା ଓ ଚିନ୍ତନରେ ଶ୍ରୀଜଗନ୍ନାଥ ..

Share

ପୁରୀ (ରମେଶ ଚନ୍ଦ୍ର ସାହୁ ) ଭଗବତ ଦର୍ଶନ ଓ ମୁକ୍ତି ପାଇଁ ଭକ୍ତି ଏକମାତ୍ର ମାଧ୍ୟମ ।ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରିଦେଲେ ଜୀବାତ୍ମା ଓ ପରମାତ୍ମା ଏକାକାର ହୋଇଯାଏ। ଶ୍ରୀଜଗନ୍ନାଥଙ୍କ ଲୌକିକ ସ୍ବରୂପ ଅପେକ୍ଷା ଅଧ୍ୟାତ୍ମିକ ସ୍ବରୂପକୁ ମହତ୍ତ୍ବ ଦେବା ଆବଶ୍ୟକ ।ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ପକ୍ଷରୁ ଟାଉନ୍‌ହଲ୍‌ରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ବିଶ୍ବ ଆଧ୍ୟାତ୍ମିକ ସମାବେଶର ଉଦ୍‌ଘାଟନୀ ପର୍ବରେ ‘ଚେତନା ଓ ଚିନ୍ତନରେ ଶ୍ରୀଜଗନ୍ନାଥ’’ ଶୀର୍ଷକ ବିଷୟରେ ବକ୍ତବ୍ୟ ରଖି ସନ୍ଥମାନେ ଏହା କହିଛନ୍ତି ।

 

ଦିବ୍ୟ ଜୀବନ ସଂଘ ଋଷିକେଶର ଉପାଧ୍ୟକ୍ଷ ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ବତୀ, ସ୍ଵାମୀ ଶିବ ଚିଦାନନ୍ଦ ସରସ୍ବତୀ, ବିଶ୍ଵାତ୍ମା ଚେତନା ପରିଷଦ ଅଧ୍ୟକ୍ଷ ପରମହଂସ ସ୍ଵାମୀ ସତ୍ୟ ପ୍ରଜ୍ଞାନନନ୍ଦ ସରସ୍ବତୀ ପ୍ରମୁଖ ବହିର୍ମୁଖୀ ଚେତନାକୁ ଅନ୍ତର୍ମୁଖୀ କରିବା ନେଇ ଆଲୋକପାତ କରିଥିଲେ। ଡ. ଗୁରୁପ୍ରସାଦ ମହାପାତ୍ର ଓ ତାପସ ରାଜଙ୍କ ସଂଯୋଜନାରେ ସଂଗ୍ରାମ କେଶରୀ ପଟ୍ଟନାୟକ, ଡ.ହରପ୍ରସନ୍ନ ଦାସ, ସୁକାନ୍ତ ସାହୁ, ଡ.ଆଦିତ୍ୟ ପରିଡ଼ା ଓ କୁନା ଦାଶ ବକ୍ତବ୍ୟ ରଖିଥିଲେ। ଅପରାହ୍ଣରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ରାମକୃଷ୍ଣ ମିସନର ସ୍ଵାମୀ ଅଭୟାନନ୍ଦ ମହାରାଜ, ସ୍ବାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ବତୀ ହୃଦୟରେ ଶ୍ରୀଜଗନ୍ନାଥଙ୍କୁ ଅନୁଭବ କରିବା ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷ ଅଧିବେଶନରେ ତରୁଣ ଅଗସ୍ତି, ଅନନ୍ତ ସାବତ, ସୁକାନ୍ତ ସାହୁ, କାଳୀପଦ ତ୍ରିପାଠୀ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଆୟୋଜକ ଡ. ଭଗବାନ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ମ୍ୟାନେଜିଙ୍ଗ ଟ୍ରଷ୍ଟି ରମେଶ ଚନ୍ଦ୍ର ବିଶ୍ଵାଳ ଗଜପତିଙ୍କ ବାର୍ତ୍ତା ପାଠ କରିଥିଲେ । ବିଜୟଲକ୍ଷ୍ମୀ ପଟ୍ଟନାୟଙ୍କ ଦ୍ବାରା ସମ୍ପାଦିତ ସ୍ମରଣିକା ‘ଦାରୁବ୍ରହ୍ମ’ ଉନ୍ମୋଚିତ ହୋଇଥିଲା । ସକାଳେ ଶ୍ରୀମନ୍ଦିର ପରିକ୍ରମା ପରେ ସିଂହଦ୍ଵାରଠାରୁ ଟାଉନ୍‌ହଲ୍ ପର୍ଯ୍ୟନ୍ତ ସଂକୀର୍ତ୍ତନ ଶୋଭାଯାତ୍ରା ହୋଇଥିଲା। ମୁରଲୀଧର ପଲାଇ ଓ ସାଥିଙ୍କ ଦ୍ବାରା ଶ୍ରୀଜଗନ୍ନାଥ ସହସ୍ର ନାମ ପାଠ କରାଯାଇଥିଲା ସୂର୍ଯ୍ୟନାରାୟଣ ଦାଶ ବେଦପାଠ କରିଥିଲେ | ଦେବେନ୍ଦ୍ର ନାରାୟଣ ଶତପଥୀ ଓ କ୍ରିଷ୍ଣା ଶତପଥୀ ଭଜନ ଏବଂ ରୋଜି ସ୍ବାଇଁ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ନରେନ୍ଦ୍ର ନାୟକଙ୍କ ନେତୃତ୍ବରେ ଶ୍ରୀଜଗନ୍ନାଥ ନାମ ସଂକୀର୍ତ୍ତନ ହୋଇଥିଲା | ସୁଦାମ ପ୍ରଧାନଙ୍କ ଦ୍ବାରା ବାଲୁକା କଳା ପ୍ରଦର୍ଶିତ ହୋଇଛି। ୯ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ୬୦ ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି ।