September 25, 2026

ତାଇକୋଣ୍ଡୋ ପ୍ରତିଯୋଗିତାରେ ଗଜପତିକୁ ୭ ପଦକ ୩ ସ୍ୱର୍ଣ୍ଣ,୨ ରୌପ୍ୟ ଓ ୨ କାଂସ୍ୟ ପଦକ ହାସଲ

IMG-20260925-WA0085
Share

 

ପାରଳାଖେମୁଣ୍ଡି, ୨୫/୦୯/୨୦୨୬

 

 

କେନ୍ଦୁଝର ଜିଲ୍ଲା ସ୍ଥିତ ଏନ୍‌.ଏସ୍‌. ଗଭର୍ଣ୍ଣମେଣ୍ଟ ପୁଲିସ ହାଇସ୍କୁଲ ପରିସରରେ ସେପ୍ଟେମ୍ବର ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ତାଇକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୬-୨୭ରେ ଗଜପତି ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଜିଲ୍ଲାର ଖେଳାଳିମାନେ ମୋଟ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ହାସଲ କରି ଗଜପତି ଜିଲ୍ଲାର ଗୌରବ ହାସଲ କରିଛନ୍ତି।

ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଏସ୍‌.କେ.ସି.ଜି. ମହାବିଦ୍ୟାଳୟର ବର୍ଷିତା ଦାସ, ଭୁବନାନନ୍ଦ ଭୂୟାଁ ଓ ଅନୁକମ୍ପ ମଲ୍ଲିକ U-17 ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ପି.ଏମ୍‌. ଶ୍ରୀ ଏମ୍‌.ଆର୍‌. ବାଳକ ଉଚ୍ଚ ବିଦ୍ୟାଳୟର କେ. ସ୍ମରଣ ତେଜ U-17 ବର୍ଗରେ ରୌପ୍ୟ ଏବଂ ଏନ୍‌. ହେମନ୍ତ କାଂସ୍ୟ ପଦକ ହାସଲ କରିଛନ୍ତି।

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜଗନ୍ନାଥ ଶବର U-14 ବର୍ଗରେ ରୌପ୍ୟ ପଦକ ଏବଂ ଜ୍ଞାନେନ୍ଦ୍ର ଭୂୟାଁ କାଂସ୍ୟ ପଦକ ହାସଲ କରିଛନ୍ତି।

ଏହି ସଫଳତା ପାଇଁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ସୁଶ୍ରୀ ଭଗତ ସାମଲ କଲ୍ୟାଣରାଓ, ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍‌. ଗିରିଧର, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ଦାସ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ ଖେଳାଳିମାନଙ୍କୁ ଦୃଢ଼ ପରିଶ୍ରମ କରି ଆଗାମୀ ଦିନରେ ରାଜ୍ୟ ତଥା ଜାତୀୟସ୍ତରରେ ଆହୁରି ସଫଳତା ହାସଲ କରିବାକୁ ଆହ୍ୱାନ ଦେଇଛନ୍ତି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍‌. ଗିରିଧର ଶିକ୍ଷା କ୍ଷେତ୍ର ଭଳି କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଗଜପତି ଜିଲ୍ଲାର ଗୌରବ ଅକ୍ଷୁଣ୍ଣ ରଖିବାକୁ ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି। ଜିଲ୍ଲାସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ମନୋନୀତ ହୋଇଥିବା ଏହି ଖେଳାଳିମାନେ ରାଜ୍ୟସ୍ତରୀୟ ଚାମ୍ପିୟନଶିପ୍‌ରେ ଗଜପତି ଜିଲ୍ଲାକୁ ପ୍ରତିନିଧିତ୍ୱ କରିଥିଲେ। ସେମାନଙ୍କ ଏହି ସଫଳତା ଜିଲ୍ଲାରେ ତାଇକୋଣ୍ଡୋ କ୍ରୀଡ଼ା ପ୍ରତି ନୂତନ ପ୍ରତିଭାଙ୍କୁ ଉତ୍ସାହିତ କରିବା ସହ ଅନ୍ୟ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି।