ଲୋକକଳା ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ…
ବୁଗୁଡ଼ା : ସ୍ଥାନୀୟ ବ୍ଲକ କଳା ଓ ସଂସ୍କୃତି ସଂଘ ପକ୍ଷରୁ ଲୋକକଳା ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ସରକାରଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ ବିଭାଗ ସମ୍ପର୍କିତ ଯୋଜନା ଗୁଡିକ ସମ୍ବନ୍ଧରେ ଲୋକକଳା ମାଧ୍ୟମରେ ବ୍ଲକର ବିଭିନ୍ନ ଗ୍ରାମରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି । ସେହିପରି ମମତା ଯୋଜନା , ଲକ୍ଷ୍ମୀ ବସ୍ ସେବା , ଫସଲ ବୀମା, ପେନସନ ଯୋଜନା, ଆମ ବ୍ୟାଙ୍କ୍ ପ୍ରଭୃତି ଜନମଙ୍ଗଳକାରୀ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରାଯାଉଛି । ବୁଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ସାମାଜିକ ସୁରକ୍ଷା ଅଧିକାରୀ ସୁପ୍ରିୟା ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ସଂଘ ଉପସଭାପତି ଜଟେଶ୍ୱର ବିଷୋୟୀ ମୋଟ ୪୫ଟି ଲୋକନୃତ୍ୟ ଦଳକୁ ନେଇ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବାଘ ବୃଷଭ, ଘଣ୍ଟ , ଯୋଡ଼ି ଶଙ୍ଖ, ଚଇତି ଘୋଡ଼ା, ରାମ ଲୀଳା, ପ୍ରହଲ୍ଲାଦ ନାଟକ, ଦାଶ କାଠିଆ, ଭାରତ ଲୀଳା , ଢୋଲ ଚାଙ୍ଗୁ, ଘଟ କଳସୀ , ନାମ ସଙ୍କୀର୍ତ୍ତନ ଆଦି ଦଳ ଭାଗ ନେଇ ନିଜ ନିଜର କଳା ନୈପୁଣ୍ୟତା ପ୍ରଦର୍ଶନ କରୁଛନ୍ତି । ବ୍ଲକ୍ ପ୍ରଶାସନର କର୍ମଚାରୀଗଣ ଏଥିରେ ସହଯୋଗ କରୁଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ସୂଚନା ଦେବା ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କଠାରୁ ପ୍ରକାଶ ପାଇଛି ।