June 19, 2026

ଗଜପତି: ଓଡ଼ିଶାର ସ୍ଥାୟୀ ରଙ୍ଗମଞ୍ଚ’ର ପ୍ରାଣ ପ୍ରତିଷ୍ଠାତା ତଥା ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଛା’ଙ୍କ ୧୪୬ ତମ ଜୟନ୍ତୀ ଉତ୍ସବ ପାଳନ ଅବସର’ରେ କବିତା ପାଠୋତ୍ସବ , ଆଲୋଚନା ଚକ୍ର ଓ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ..

456
Share

ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସମ୍ମିଳନୀ କକ୍ଷ ଠାରେ ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସଂସଦ ପକ୍ଷ’ରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ଓ ଗଜପତି ଜିଲ୍ଲା ସଂସ୍କୃତି ପରିଷଦ’ର ମିଳିତ ଆନୁକୁଲ୍ୟ’ରେ ଓଡ଼ିଶା’ର ସ୍ଥାୟୀ ରଙ୍ଗମଞ୍ଚ’ର ପ୍ରାଣ ପ୍ରତିଷ୍ଠାତା ତଥା ପାରଳା’ର ଯୁଗଜନ୍ମା ତଥା ମହାନ ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଛା’ଙ୍କ ୧୪୬ ତମ ଜୟନ୍ତୀ ଉତ୍ସବ ପାଳନ ଅବସର’ରେ କବିତା ପାଠୋତ୍ସବ , ଆଲୋଚନା ଚକ୍ର ଓ ପୁସ୍ତକ ଲୋକାର୍ପଣ ସମେତ “ଆମ ଗାଁ- ଆମ ସାହିତ୍ୟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ ପ୍ରଥମ ଅଧିବେଶନ’ରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅଧ୍ୟାପିକା ଶ୍ରୀମତୀ ଶୁଭ୍ରା ପଟନାୟକ ଅଧ୍ୟକ୍ଷତା କରିଥିଲେ ଏବଂ କବି ଶ୍ରୀମତୀ ଭବାନୀ କର ଓ କବି ଶ୍ରୀମତୀ ବବିତା ପୁରୋହିତ କବିତା ପାଠ କାର୍ଯ୍ୟକ୍ରମ’ରେ ସଂଯୋଜନା କରିଥିଲେ । ଏଥିରେ ପାରଳା ମାଟି’ର ମହକ ଓ ନାଟ୍ୟକାର ଆପନ୍ନା ପରିଛା’ଙ୍କ ବିଭିନ୍ନ ଦିଗ ସମ୍ପର୍କିତ ଉପରେ ୪୦ ରୁ ଉର୍ଦ୍ଧ୍ବ କବି ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ ।
ଦ୍ଵିତୀୟ ଅଧିବେଶନ’ରେ ଆୟୋଜିତ ସାରସ୍ଵତ କାର୍ଯ୍ୟକ୍ରମ’ରେ ଦେଶଭକ୍ତ ତଥା ନାଟ୍ୟକାର ଆପନ୍ନା ପରିଛା’ଙ୍କ ସ୍ମୃତି ଚାରଣ ସମ୍ପର୍କିତ ଆଲୋଚନା ଚକ୍ର , ସମ୍ଭର୍ଦ୍ଧନା ପର୍ବ ଓ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ସାରସ୍ବତ ସଭା କାର୍ଯ୍ୟକ୍ରମ , ଆପନ୍ନା ପରିଛା ସ୍ମୃତି ସଂସଦ’ର ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ’ର ପୂର୍ବତନ ଗଜପତି ଜିଲ୍ଲା ସଦସ୍ୟ ସାହିତ୍ୟିକ ତଥା ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା’ଙ୍କ ସଭାପତିତ୍ବ’ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଶ୍ରୀ ବିରେନ୍ଦ୍ର କୁମାର ଦାସ ଯୋଗ ଦେଇଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ଭୁବନେଶ୍ୱର’ରୁ ପ୍ରକାଶିତ “ସମଦୃଷ୍ଟି” ମେଗାଜିନ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ତଥା ସ୍ତମ୍ଭକାର ଶ୍ରୀ ବିଘ୍ନେଶ୍ୱର ସାହୁ ଏବଂ ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ’ର ଅଧ୍ୟକ୍ଷା ଡଃ ରୀନା ସାହୁ ପ୍ରମୁଖ ଯୋଗଦେଇ ନାଟ୍ୟକାର ଆପନ୍ନା ପରିଛା ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଓଡ଼ିଆ ନାଟ୍ୟ ଜଗତର ଜଣେ ଅମ୍ଲାନ ପ୍ରତିଭା ଥିଲେ । ସାହିତ୍ୟ ଜଗତ’କୁ ସ୍ୱରଚିତ ନାଟକ ବିଜୟ ବସନ୍ତ , ସୀତା ବନବାସ , ନବଲିଳା ବିଳାସ , ଗୋଷ୍ଠ ମିଳନ , ମାନସଭଞ୍ଜ , ରାଧାକୃଷ୍ଣ ପ୍ରଣୟ ପ୍ରଭୃତି ରଚନା କରି ଏକ ମହା ଉପହାର ଦେଇ ଯାଇଛନ୍ତି । ଭାଷାଭିତ୍ତି’ରେ ସେ ସ୍ୱତନ୍ତ୍ର ଓଡିଶା ଗଠନ’ର ପୁରୋଧା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି’ଙ୍କ ସମେତ ପଣ୍ଡିତ ଗୋପବନ୍ଧୁ , ମଧୁସୂଦନ , ପଣ୍ଡିତ ନୀଳକଣ୍ଠ ଓ ଫକୀର ମୋହନ ସେନାପତି’ଙ୍କ ସହ ସେ କାନ୍ଧ’ରେ କାନ୍ଧ ମିଶାଇ ଲକ୍ଷ ପଥରେ ଆଗେଇ ଯାଇଥିଲେ , ତେଣୁ ଏଭଳି ଏକ ମହାନ ଦେଶଭକ୍ତ ସର୍ବଦା ଚୀର ସ୍ମରଣୀୟ ବୋଲି ସେମାନଙ୍କ ବକ୍ତବ୍ୟ’ରେ କହିଥିଲେ ।
ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ , କବି ଓ ସାହିତ୍ୟିକ ଶ୍ରୀ ନରସିଂହ ପଟନାୟକ-ବିଶାଖାପାଟଣା ଏବଂ ବିଶିଷ୍ଟ ସାହିତ୍ୟିକ , ଐତିହାସିକ ଓ ଗବେଷକ ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଦେଶ ମିଶ୍ରଣ ଓ ରଇତ ଆନ୍ଦୋଳନ’ରେ ଆପନ୍ନା ପରିଚ୍ଛା’ଙ୍କ ପୂର୍ଣ୍ଣ ସହଯୋଗ’ର ଅବଦାନ କୃତି ସମ୍ପର୍କରେ କହିବା ସହ ସେ ରୀତି ଯୁଗର ସାହିତ୍ୟ ପରମ୍ପରା’କୁ ଆଧୁନିକ ନାଟ୍ୟ ପରମ୍ପରା’ରେ ଜୀବନ୍ତ କରିଥିବା ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ବୋଲି କହି ଜାତୀୟ ଆନ୍ଦୋଳନ ସମେତ ଉତ୍କଳ ପ୍ରଦେଶ ଗଠନ ଦିଗରେ ଦେଶଭକ୍ତ ନାଟ୍ୟକାର ଅପନ୍ନା ପରିଛା’ଙ୍କ ସକ୍ରିୟ ଭୂମିକା ସର୍ବଦା ଚିରସ୍ମରଣୀୟ ଏବଂ ନାଟ୍ୟକାର ଆପନ୍ନା ପରିଛା ଏକଧାରା’ରେ ଜଣେ ପଣ୍ଡିତ , ସଂସ୍କୃତିପ୍ରେମୀ , ନାଟ୍ୟକାର ଯୋଗଜନ୍ମା , ଅମ୍ଲାନ ପ୍ରତିଭାଧାରୀ , ପ୍ରଜ୍ଞା ଓ ବୀର ପୁରୁଷ , ଓଡ଼ିଆ ଭାଷା ଓ ଜାତିପ୍ରାଣ , ଦେଶଭକ୍ତ , ବିପ୍ଲବୀ, ବିଦ୍ରୋହୀ ଏବଂ ସମାଜ ସଂସ୍କାରକ ଥିଲେ ବୋଲି ବକ୍ତବ୍ୟ ରଖି ସେ ଓଡ଼ିଶାର ପ୍ରଥମ ସ୍ଥାୟୀ ରଙ୍ଗମଞ୍ଚ ପଦ୍ମନାଭ ରଙ୍ଗାଳୟ’ର ପ୍ରାଣ ପ୍ରତିଷ୍ଠାତା ଓ ତାଙ୍କର ସ୍ଵତନ୍ତ୍ର ନାଟ୍ୟଶୈଳି ପ୍ରତିଭା ଉପରେ କହି ବକ୍ତବ୍ୟ ରଖିଥିଲେ ।
ଏହି ଅବସର’ରେ ଅନୁଷ୍ଠିତ ସାରସ୍ବତ କାର୍ଯ୍ୟକ୍ରମ’ର ସମ୍ଭର୍ଦ୍ଧିତ ପ୍ରତିଭା ଭାବେ ଭୁବନେଶ୍ୱର’ରୁ ପ୍ରକାଶିତ “ସମଦୃଷ୍ଟି” ମେଗାଜିନ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ତଥା ସ୍ତମ୍ଭକାର ଶ୍ରୀ ବିଘ୍ନେଶ୍ୱର ସାହୁ’ଙ୍କୁ ଉପଢୌକନ , ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସଂସଦ ପକ୍ଷ’ରୁ ମୁଖ୍ୟଅତିଥି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରେନ୍ଦ୍ର କୁମାର ଦାସ , “ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସମ୍ମାନ-୨୦୨୪” ରେ ସମ୍ମାନିତ କରିଥିଲେ। ।
ସେହିଭଳି ଏହି କାର୍ଯ୍ୟକ୍ରମ ଅବସର’ରେ ସ୍ବତନ୍ତ୍ର ଅତିଥି ତଥା ସମ୍ଭର୍ଦ୍ଧିତ ପ୍ରତିଭା ଶ୍ରୀ ବିଘ୍ନେଶ୍ୱର ସାହୁ’ଙ୍କ ଲିଖିତ “ସ୍ୱାଭିମାନ ଆପନ୍ନା ପରିଛା ଓ ପାରଳା’ର ଐତିହ୍ୟ ସଂସ୍କୃତି” ସମ୍ପର୍କିତ ପୁସ୍ତକ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା ।
ସେହିଭଳି ଏହି ସାରସ୍ଵତ ସଭା କାର୍ଯ୍ୟକ୍ରମ’ରେ ପାରଳାଖେମୁଣ୍ଡି ସ୍ଥିତ ଆପନ୍ନା ପରିଚ୍ଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ର ବହୁମଖି ତଥା ସର୍ବଗୁଣ ଦକ୍ଷତା ସମ୍ପନ୍ନ ଛାତ୍ର ଶ୍ରୀ ହର ପ୍ରସାଦ ନାଗବାଂଶ’ଙ୍କୁ ବିଦ୍ୟାଳୟ’ର ଶ୍ରେଷ୍ଠ କୃତି ଛାତ୍ର ଭାବେ ଉପଢୌକନ , ପୁଷ୍ପଗୁଚ୍ଛ ଓ
ମାନପତ୍ର ଦେଇ ସମ୍ଭର୍ଦ୍ଧିତ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମ’ରେ ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସଂସଦ’ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ମୁରଲୀ ଧର ପରିଛା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।
ସେହିଭଳି ଏହି ସାରସ୍ବତ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭ’ରେ ଅତିଥି ମାନଙ୍କୁ ମଞ୍ଚ’କୁ ଆହ୍ବାନ କରିବା ସହ ସ୍ଵାଗତ ସମ୍ଭାଷଣ ଦେଇଥିଲେ ସ୍ମୃତି ସଂସଦ’ର ସଭ୍ୟା ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ଉପସ୍ଥିତ ସମସ୍ତ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ତନୁଜା ଶତପଥି।
ଏହି ସମସ୍ତ କାର୍ଯ୍ୟକ୍ରମ’ରେ , ଶ୍ରୀମତୀ ପ୍ରଭାବତୀ ପଟନାୟକ , ଶ୍ରୀ ବିଷ୍ଣୁ ଚରଣ ପଣ୍ଡା , ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ , ସଂଗୀତା ପାତ୍ର , ତ୍ରିପତି ପ୍ରସାଦ ପଣ୍ଡା , ଜଗନ୍ନାଥ ପଟ୍ଟନାୟକ , ଅଞ୍ଜନା ପଟନାୟକ , ସଚଳା ପାତ୍ର ଏବଂ ଶ୍ୟାମ ସୁନ୍ଦର ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ପରିଚାଳନା’ରେ ସହଯୋଗ କରିଥିଲେ ।
ଅନ୍ୟପକ୍ଷରେ , ଏହି ମନୋଜ୍ଞ ପରିବେଶ ଭରା ସାରସ୍ୱତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କବି , ଲେଖକ , ସାହିତ୍ୟିକ , ସଂଗୀତଜ୍ଞ, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

(ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)

You may have missed