November 26, 2024

ସ୍ବପ୍ନ ଆଦେଶରେ ଶିବଲିଙ୍ଗ ର ଆବିର୍ଭାବ, ଗ୍ରାମରେ ଭକ୍ତିମୟ ପରିବେଶ..

Share


ମୋହନା, ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ନିକଟସ୍ଥ ମାଣିକପୁର ଗ୍ରାମ ପଞ୍ଚାୟତ ର ଗୁବୁରୀଗୁଡା ଗ୍ରାମ ରେ ଅଲୌକିକ ଘଟଣା ଘଟିବା ପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଗ୍ରାମରେ ମହାପ୍ରଭୁ ଭୋଳାନାଥ ମହାଦେବ ଙ୍କ ଶିବଲିଙ୍ଗ ସ୍ବପ୍ନାଦେଶ ରେ ଠାବ ହେବା ପରେ ଗ୍ରାମ ତଥା ଆଖପାଖ ଅଞ୍ଚଳବାସୀ ଦର୍ଶନ କରିବାକୁ ସୁଅ ଛୁଟୁଛି । ତେବେ ଆଜି ଆବିର୍ଭାବ ହେବାର ୨୧ ଦିନ ହୋଇଥିବା ବେଳେ ଗ୍ରାମ ଉତ୍ସବ ମୁଖର ହେବା ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଗ୍ରାମରେ ଯଥାରୀତି ନିତି ପରମ୍ପରା ଅନୁସାରେ ପ୍ରଥମେ କଳସ ଯାତ୍ରା କରାଯିବା ପରେ ନାମ ସଂକୀର୍ତ୍ତନ, ଘୃତଯଜ୍ଞ, ନାମଯଜ୍ଞ, ସହ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁବୁରୀଗୁଡା ଗ୍ରାମ ନିକଟସ୍ଥ ସମଡାଙ୍ଗ ପାହାଡ଼ ଟି ଲଟାବୁଦା ଆଚ୍ଛାଦିତ ହୋଇ ରହିଥିଲା , ଆଜକୁ ୨୧ ଦିନ ତଳେ ଗ୍ରାମର ଜଣେ ଯୁବକଙ୍କୁ ସ୍ବାପ୍ନାଦେଶ ହେବା ପରେ ଗ୍ରାମବାସୀ ମହାପ୍ରଭୁ ଭୋଳାନାଥ ଙ୍କ ଶିବଲିଙ୍ଗ ବୋଲି ଧାର୍ମିକ ବିଶ୍ୱାସ ଦୃଢ଼ୀଭୂତ ହୋଇଥିଲା । ଯାଫଳରେ ବିଧିବଦ୍ଧ ଭାବେ ଗ୍ରାମବାସୀ ପ୍ରଭୁ ଭୋଳାଶଙ୍କର ନାମରେ ଧୁପ ଦୀପ ନୈବେଦ୍ୟ ଦେଇ ଆଜ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରିଆସୁଥିଲେ। ଆଜି ପ୍ରାଣ ପ୍ରତିଷ୍ଠା , ବୃଷଭ ସ୍ଥାପନ, ପିତଳ ନାଗ ସହ ଘଣ୍ଟ ବାନ୍ଧି ପୂଜାର୍ଚ୍ଚନା କରାଯାଇଛି । ପରେ ଗ୍ରାମବାସୀ ନଗର ପରିକ୍ରମା କରିଥିଲେ।‌ ଗୁବୁରୀଗୁଡା ଏକ ସର୍ବ ପୁରାତନ ଆଦିବାସୀ ଅଧ୍ୟୁଷିତ ଗ୍ରାମ ହୋଇଥିବା ବେଳେ ନୂତନ ଭାବେ ଶୈବପୀଠ ଉତ୍ପତ୍ତି ହୋଇଥିବା ହେତୁ ଅତି ଉତ୍ସାହର ସହ ଗ୍ରାମ ତଥା ଆଖପାଖ ଗ୍ରାମରୁ ସଂକୀର୍ତ୍ତନ ମଣ୍ଡଳୀ ଓ ମାନଙ୍କର ସମାଗମ ହୋଇଛି ।‌ ଗ୍ରାମ୍ୟ ପୁରୋହିତ ପଣ୍ତିତ କରୁଣାକର ପତି ଓ ପଣ୍ଡିତ ତରଣୀସେନ ଦାସଙ୍କ ପୌରହିତ୍ୟରେ ସମସ୍ତ ପୂଜାନୀତି ସମ୍ପୁର୍ଣ୍ଣ ହୋଇଥିବା ବେଳେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।

You may have missed