ଗୁଣୁପୁର – ଥେରୁବାଲି ରେଳ ଲାଇନ କାର୍ଯ୍ୟ ଆରମ୍ଭ ପାଇଁ ଡି.ପି.ଆର. କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଅତି ଆବ୍ୟଶକ
ଗୁଣୁପୁର -(ସୁରେନ୍ଦ୍ର ମହାନ୍ତି )ଥେରୁବାଲି ରେଳ ଲାଇନ ପାଇଁ ଚଳିତ କେନ୍ଦ୍ରୀୟ ବଜେଟରେ ୫୦ କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବ ସ୍ୱାଗତ ଯୋଗ୍ୟ I ୧୯୪୬ ମସିହା ଠାରୁ ପ୍ରସ୍ତାବିତ ଏହି ନୂତନ ରେଳ ଲାଇନ ରାୟଗଡା ଜିଲ୍ଲା ତଥା ଓଡ଼ିଶାର ଏକ ଅତ୍ୟନ୍ତ ପୁରାତନ ଦାବୀ I ଉକ୍ତ ବଜେଟ ବ୍ୟବସ୍ତା ଏହି ଦିଗରେ ଆଶାର ପ୍ରଥମ ଆଲୋକ ଦର୍ଶାଉଛି I
ଆନ୍ଧ୍ର ଓଡିଶା ରେଳ ବ୍ୟବହାରିକ ସଙ୍ଘର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା କହିଛନ୍ତି ଯେ, ବିନା କେନ୍ଦ୍ରୀୟ କ୍ୟାବିନେଟ ମଞ୍ଜୁରୀରେ ବର୍ତ୍ତମାନ ବଜେଟରେ ବ୍ୟବସ୍ଥା କରାଯାଇଥିବା ୫୦ କୋଟି ଟଙ୍କା ଖର୍ଚ୍ଚ ହେବା ସମ୍ଭବ ନୁହେ I ଏଣୁ ଡ଼ଃ ପଣ୍ଡା ଗୁଣୁପୁର – ଥେରୁବାଲି ନୂଆ ରେଳ ଲାଇନର ଡି.ପି.ଆର. କୁ ମଞ୍ଜୁରୀ ଦେବା ପାଇଁ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର କେନ୍ଦ୍ରୀୟ ମନ୍ତ୍ରୀ ମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି I ରେଳବାଇ ବୋର୍ଡ଼ ତରଫରୁ ଏହି ପ୍ରସ୍ତାବର ଡି.ପି.ଆର. କୁ ମଞ୍ଜୁରୀ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ଦିଆଯାଇଥିଲା I ତାହା ଅନେକ ଦିନ ପଡି ରହିଲା ନିତୀ ଆୟୋଗ ପାଖରେ I ନିତୀ ଆୟୋଗ ରେଳବାଇ ବିଭାଗର ଉଚ୍ଚ କତ୍ତୃପକ୍ଷଙ୍କୁ ଡକାଇ ଏହି ରେଳପଥ କାହିଁକି କରାଯିବା ଉଚିତ ସେ ବିଷୟରେ ଏକ ଶୁଣାଣି କଲେ I ଉକ୍ତ ନୂଆ ରେଳ ଲାଇନ ହେଲେ ଏହି ଅଞ୍ଚଳର ବହୁବିଧ ଉନ୍ନତି ହେବା ସହ ରେଳବାଇ ରାଜସ୍ୱ ବହୁତ ବୃଦ୍ଧି ପାଇବI କଥାଟିକୁ ସେମାନେ ନିତୀ ଆୟୋଗକୁ ସୁନ୍ଦର ରୂପେ ବୁଝାଇ କହିଲେ I ଗତ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ନିତୀ ଆୟୋଗ ବୁଝି ସାରିବା ପରେ ଏ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କଲେ I ତାହା ପରେ ସେ ପ୍ରସ୍ତାବ କେନ୍ଦ୍ରୀୟ କ୍ୟାବିନେଟ ପାଖକୁ ଗଲା ମଞ୍ଜୁରୀ ପାଇଁ I କେନ୍ଦ୍ରୀୟ କ୍ୟାବିନେଟରେ ବିଗତ ଛଅ ମାସ ହେଲା ଏହା ପଡି ରହିଛି I କ୍ୟାବିନେଟ ନିଷ୍ପତି ହେଲେ ଯାଇ ଏହି ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରିବ ଏବଂ ଅନ୍ୟାନ ଆନୁସଙ୍ଗିକ କାର୍ଯ୍ୟକର୍ମ ଆରମ୍ବ ହେବ I
ଅତ୍ୟନ୍ତ ଖୁସିର କଥା ଓଡିଶା ସରକାର ଏହି ରେଳ ଲାଇନ ପାଇଁ ନିଜ ଖର୍ଚ୍ଚରେ ଜମି ଅଧିଗ୍ରହଣ କରିବା ପାଇଁ ଦାୟିତ୍ୱ ନେଇଛନ୍ତି I ସେ ଦୃଷ୍ଟିରୁ ଜମି ଅଧିଗ୍ରହଣ କରିବା ପାଇଁ ୧୬୦୦ କୋଟି ଟଙ୍କାର ପ୍ରସ୍ତାବକୁ ରାଜ୍ୟ ସରକାର ସ୍ୱୀକୃତି ହୋଇଛନ୍ତି I କେନ୍ଦ୍ରୀୟ କ୍ୟାବିନେଟରେ ଏ ପ୍ରସ୍ତାବ ମଞ୍ଜୁରୀ ହେଲେ ରେଳବାଇ ବୋର୍ଡ଼ ଓଡିଶା ସରକାରଙ୍କୁ ଏହା ଜଣାଇବ I ତାପରେ ଜମି ଅଧିଗ୍ରହଣ ଆରମ୍ବ ହେବ ଓ ରେଳ ଲାଇନ କାର୍ଯ୍ୟ ଆରମ୍ବ ହେବ I ଏହି ଦୃଷ୍ଟିରୁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ ଏବଂ ଆମ ଲୋକ ପ୍ରତିନିଧିଙ୍କୁ ଅନୁରୋଧ କରୁ ଯେ ଦୟା କରି ଏହି ପ୍ରସ୍ତାବଟିକୁ କେନ୍ଦ୍ରୀୟ କ୍ୟାବିନେଟ ମଞ୍ଜୁରୀ ପାଇଁ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ I