September 29, 2024

ଚନ୍ଦନଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ଓ ୬୯ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ

Share

ଚନ୍ଦନଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ଓ ୬୯ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଇଞ୍ଚୋଳ ଗ୍ରାମର ସେଚ୍ଛାସେବୀ ,ପ୍ରକୃତି ବନ୍ଧୁ , ଯୁବ କବି ଚନ୍ଦନ ପଣ୍ଡାଙ୍କୁ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ସଂରକ୍ଷଣ , ବିଲୁପ୍ତପ୍ରାୟ ବନ୍ୟଜନ୍ତୁଙ୍କ ସୁରକ୍ଷା , ବାସସ୍ଥାନର ଉନ୍ନତି ଓ ପରିବେଶ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୨୩ ବର୍ଷ ପାଇଁ ସମ୍ମାନ ଜନକ ” ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର” ପ୍ରଦାନ କରାଯାଇଛି। ଏକ ବର୍ଣ୍ଣାଢ୍ଯ ପରିବେଶରେ କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ ,ଆନନ୍ଦପୁର ସଭାଗୃହରେ ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳାଇଙ୍କ ଆବାହକତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ବନ ସେବା ପ୍ରଶିକ୍ଷାର୍ଥୀ ଏମ୍ ଡି ଅଜିଜ୍ ଖାନ୍ ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ବେହେରା , କେନ୍ଦୁଝର ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର କୁମାର ବେହେରା ,ଅଶୋକ କୁମାର ବିଶ୍ବାଳ,ଅଶୋକ କୁମାର ଦାସ,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନକୁଳ ଚରଣ ବେହେରା ପ୍ରମୁଖ ଅତିଥିଭାବେ ଯୋଗଦାନ କରି ସହଭାଗିତା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ମିଳିତ ଭାବେ କାମ କରିବା ପାଇଁ ଆହ୍ବାନ ଦେଇଥିଲେ ।ଏହି ଅବସରରେ ଜଙ୍ଗଲ ବିଭାଗ ପ୍ରଦତ୍ତ ମାନପତ୍ର ପ୍ରଦାନ କରାଯାଇଥିଲା। ପୁରସ୍କାର ପ୍ରୋତ୍ସାହନ ରାଶିକୁ ବନ୍ୟଜନ୍ତୁ ସଂରକ୍ଷଣ ଓ ପ୍ରକୃତି ମା’ର ସୁରକ୍ଷା ସହ ପରୋପକାରରେ ବିନିଯୋଗ କରିବେ ବୋଲି ଚନ୍ଦନ ପ୍ରକାଶ କରିଥିଲେ। ଚନ୍ଦନ ସାମ୍ପ୍ରତିକ ସମୟର କଥା ଓ ବ୍ୟଥାକୁ ନେଇ ବିଭିନ୍ନ କବିତା ଓ ପ୍ରବନ୍ଧ ଲେଖିବା ସହିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵ ବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଓ ଇନ୍ଦିରା ଗାନ୍ଧୀ ରାଷ୍ଟୀୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ପରିବେଶ ଅଧ୍ୟୟନରେ ମଧ୍ଯ ସ୍ନାତକୋତ୍ତର ହାସଲ କରିଛନ୍ତି । ଭୁବନେଶ୍ବର ସ୍ଥିତ ସମ୍ବାଦ ଗଣମାଧ୍ୟମ ଓ ସଂସ୍କୃତି ଅନୁଷ୍ଠାନରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଏବେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି । ଏହା ସହିତ ନିଜ ଗାଁରେ ଇଞ୍ଚୋଳ ବିକାଶ ମଞ୍ଚ ଜରିଆରେ ଗ୍ରାମ୍ୟ ମନ୍ଦିର, ପଡିଆ ଓ ଫାଙ୍କା ସ୍ଥାନରେ ବୃକ୍ଷରୋପଣ, ପଥପ୍ରାନ୍ତ ବନୀକରଣ, ଗୋ ସମ୍ପଦର ସୁରକ୍ଷା, ରକ୍ତଦାନ ଶିବିର, ବୈଶାଖରେ ଜଳଛତ୍ର, ଗଛରେ ଚଢେଇମାନଙ୍କ ପାଇଁ ଖାଦ୍ୟ ପାନୀୟ ବାକ୍ସ, ଜଳବାୟୁ
ପରିବର୍ତ୍ତନ ଓ ଜଳ ସଂରକ୍ଷଣ, ନୂତନ ଜଙ୍ଗଲ ସୃଷ୍ଟି, ପ୍ଲାଷ୍ଟିକ ବର୍ଜନ ସଂକ୍ରାନ୍ତିୟ କର୍ମଶାଳା ଆୟୋଜନ, ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ଚକ୍ର ଏବଂ କର୍ମଶାଳା ଆୟୋଜନ କରିବା ସହିତ ସେହି ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ଅନବରତ ଚେଷ୍ଟା କରି ଆସୁଛନ୍ତି । ଇଞ୍ଚୋଳକୁ ସବୁଜ ଗାଁ’ ଭାବେ ପରିଣତ କରିବା ଲକ୍ଷ୍ୟରେ ତାଙ୍କର ଏହି ଅଭିଯାନ ଜାରି ରହିଛି। ସେହିପରି ପରିବେଶରେ ଯେପରି ଅମ୍ଳଯାନର ଅଭାବ ନ ରୁହେ ସେଥିପାଇଁ ସେ ନିଜେ ଚାରା ରୋପଣ କରିବା ସହ ବିବାହ, ବ୍ରତ, ଜନ୍ମଦିନରେ ଉପହାର ସ୍ୱରୂପ ଚାରା ପ୍ରଦାନ କରିବା ସହ ଅନ୍ୟମାନଙ୍କୁ ଚାରା ରୋପଣ କରିବା ପାଇଁ ଉତ୍ସାହିତ କରି ଆସୁଛନ୍ତି। ତାଙ୍କର ଏହି କୃତିତ୍ଵ ପାଇଁ ପରିବାର, ପରିବେଶ ପ୍ରେମୀ, କବି , ସାହିତ୍ୟିକ, ସ୍ଵେଚ୍ଛାସେବୀ ସଂଗଠନ ଓ ସର୍ବସାଧାରଣରେ ଅନେକ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି ।                                                                                                                                              କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।