ଜୟଦେବ ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ ଚନ୍ଦନ ପଣ୍ଡା….
ହାଟଡିହୀ ତା ୧୭/୧୧(ମନମୋହନ ନାୟକ) : ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଯୁବ ଲେଖକ , ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ତଥା ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରାପକ ସାମାଜିକ କର୍ମୀ ଓ ସାରସ୍ୱତ ସାଧକ ଚନ୍ଦନ ପଣ୍ଡାଙ୍କୁ ମର୍ଯ୍ୟାଦାଜନକ ‘ଜୟଦେବ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ୨୬ତମ ରାଜଧାନୀ ପୁସ୍ତକ ମେଳା ପରିସରରେ ସମ୍ବାଦ ଓ ସାହିତ୍ୟ-ସଂସ୍କୃତି ଭିତ୍ତିକ ପତ୍ରିକା ‘ଶାନ୍ତିସ୍ତୂପ’ ପକ୍ଷରୁ ଆୟୋଜିତ ଭବ୍ୟ ସାରସ୍ୱତ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।‘ଶାନ୍ତିସ୍ତୂପ’ର ସମ୍ପାଦକ ରଞ୍ଜନ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ‘ ଜୟଦେବ ସାହିତ୍ୟ ଉତ୍ସବ’ ଆୟୋଜିତ ହୋଇଥିଲା। ମହାକବି ଜୟଦେବଙ୍କ ପବିତ୍ର ନାମରେ ଉତ୍ସର୍ଗୀକୃତ ଏହି ସମ୍ମାନ ଚନ୍ଦନ ପଣ୍ଡାଙ୍କ ସାରସ୍ୱତ ସାଧନା ଓ ଭାଷା-ସାହିତ୍ୟ ପ୍ରତି ତାଙ୍କର ଅବଦାନକୁ ଏକ ମର୍ଯ୍ୟାଦାପୂର୍ଣ୍ଣ ସ୍ୱୀକୃତି ପ୍ରଦାନ କରିଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁରେଶ କୁମାର ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜଧାନୀ ପୁସ୍ତକ ମେଳାର ସଭାପତି ଉପେନ୍ଦ୍ର ଜେନା, ଜୟଦେବ ସାହିତ୍ୟ ଉତ୍ସବର ଉପଦେଷ୍ଟା ଡ. ରଜନୀ ରଞ୍ଜନ ଦାସ, ‘ଶାନ୍ତିସ୍ତୂପ’ର ମୁଖ୍ୟ ଉପଦେଷ୍ଟା ବିଦୁଭୂଷଣ ପଟ୍ଟନାୟକ, ‘ଓଡ଼ିଶା ମିରର’ର ସମ୍ପାଦକ ଦିଲ୍ଲୀପ ବିଶ୍ୱାଳ, ଓପିଟିସିଏଲ୍ର ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ସାହିତ୍ୟିକ ଡ. ଭି. ରାଜେନ୍ଦ୍ର ରାଜୁ, ଶିକ୍ଷାବିତ୍ ତଥା ବୃତ୍ତିଗତ ପରାମର୍ଶଦାତା ପ୍ରମୋଦ ପାଢ଼ୀ ଏବଂ ଶିକ୍ଷାବିତ୍ ତଥା ପରିବେଶବିତ୍ ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ସମ୍ମାନ ଗ୍ରହଣ କରି ଚନ୍ଦନ ପଣ୍ଡା ଏହାକୁ ନିଜ ସାରସ୍ୱତ ଜୀବନର ଏକ ଆନନ୍ଦମୟ ଓ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ଅଭିହିତ କରିଥିଲେ। ମହାକବି ଜୟଦେବଙ୍କ ଭଳି ମହାନ ସାରସ୍ୱତ ପ୍ରତିଭାଙ୍କ ନାମ ସହ ଯୋଡ଼ି ହୋଇଥିବା ଏହି ସମ୍ମାନ ତାଙ୍କ ପାଇଁ କେବଳ ଏକ ପୁରସ୍କାର ନୁହେଁ, ବରଂ ଭାଷା, ସାହିତ୍ୟ ଓ ସଂସ୍କୃତିର ସେବାରେ ଅଧିକ ନିଷ୍ଠାର ସହ ନିଜର ସାଧନା ଜାରି ରଖିବାକୁ ନୂତନ ପ୍ରେରଣା ବୋଲି କହିଥିଲେ। ଏହି ସମ୍ମାନ ଚନ୍ଦନ ପଣ୍ଡାଙ୍କ ସାରସ୍ୱତ ଯାତ୍ରାକୁ ନୂତନ ଉତ୍ସାହ ଓ ପ୍ରେରଣା ଯୋଗାଇବା ସହ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ପାଇଁ ତାଙ୍କର ଆଗାମୀ ଉଦ୍ୟମକୁ ଅଧିକ ଅର୍ଥପୂର୍ଣ୍ଣ କରିବ ବୋଲି ଆଶା ପ୍ରକାଶ ପାଇଛି ।
