ଇଞ୍ଚୋଳରେ ଜାଳେଣି ଗ୍ୟାସ୍ ବ୍ୟବହାର ଓ ସୁରକ୍ଷା ସଚେତନତା
ହାଟଡିହି ତା ୧୭/୧୧(ମନମୋହନ ନାୟକ) : ଜାଳେଣି ଗ୍ୟାସ୍ର ସୁରକ୍ଷିତ ବ୍ୟବହାର ଓ ଦୁର୍ଘଟଣା ନିରାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ହାଟଡିହି ବ୍ଲକ ଶାଳନିଆଁଠାରେ ଥିବା ମା ଥାନପତି ଗ୍ରାମୀଣ ଇଣ୍ଡେନ ଗ୍ୟାସ ବିତରକ ଏଜେନସି ପକ୍ଷରୁ ଇଞ୍ଚୋଳ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଇଞ୍ଚୋଳ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଟଡିହି ଅଗ୍ନିଶମ କେନ୍ଦ୍ରର ଅଧିକାରୀ ଅମରେନ୍ଦ୍ର ବର୍ଦ୍ଧନ, ଦୀପ୍ତିକାନ୍ତ ଭୋଇ, ଶାଳନିଆଁ ଇଣ୍ଡେନ ଗ୍ୟାସ୍ର ସ୍ୱୀକୃତିପ୍ରାପ୍ତ ବିତରକ ନିହାରିକା ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ରନ୍ଧନ ଗ୍ୟାସ୍ର ସଠିକ୍ ବ୍ୟବହାର, ସିଲିଣ୍ଡର ଓ ରେଗୁଲେଟରର ଯତ୍ନ, ଗ୍ୟାସ୍ ଲିକ୍ ହେଲେ ଅବଲମ୍ବନ କରିବାକୁ ଥିବା ସତର୍କତା ଏବଂ ଅଗ୍ନିକାଣ୍ଡରୁ ରକ୍ଷା ପାଇବାର ବିଭିନ୍ନ ଉପାୟ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। ଉଜ୍ଜାଲା ଦିଦି ସରସ୍ବତୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ମା ଥାନପତି ଗ୍ରାମୀଣ ଇଣ୍ଡେନ ବିତରକ କର୍ମଚାରୀ ପ୍ରଦୀପ ବାରିକ, ପ୍ରଶାନ୍ତ ବାରିକ ଓ ଚିନ୍ମୟ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
