October 31, 2026

ଜୀବନକାଳକୁ ବାଜି ଲଗାଇ ଟିକା ନେଉଛନ୍ତି ଶିଶୁ ଓ ଗର୍ଭବତୀ: ପାରିପୁଣ୍ଡିଲୋ ଗ୍ରାମରେ ସ୍ଥାୟୀ ଟିକାକରଣ କେନ୍ଦ୍ର ପାଇଁ ଦାବି ଜୋରଦାର

IMG-20261031-WA0140
Share

 

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ପଞ୍ଚାୟତର ପାରିପୁଣ୍ଡିଲୋ ଗ୍ରାମର ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ନେଇ ଏକ ବଡ଼ଧରଣର ସମସ୍ୟା ସାମ୍ନାକୁ ଆସିଛି। ଗ୍ରାମର ହିତାଧିକାରୀମାନଙ୍କୁ ଟିକା ନେବା ପାଇଁ ପ୍ରାୟ ୩.୫ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡୁଥିବାବେଳେ ପଥରେ ପଡୁଥିବା ବିପଦସଙ୍କୁଳ ପାଇକା ନଦୀ ସେମାନଙ୍କ ଜୀବନକୁ ବିପନ୍ନ କରୁଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରାଧିନ ଏହି ଗ୍ରାମର ୧ ଦିନରୁ ୫ ବର୍ଷରୁ କମ୍ ଶିଶୁ ଏବଂ ଗର୍ଭବତୀ ମହିଳାମାନେ ନିୟମିତ ଟିକାକରଣ ସେବାରୁ ବଞ୍ଚିତ ହେଉଛନ୍ତି। ଯାତ୍ରାପଥରେ ଏକ ନଦୀ ପାର ହେବାକୁ ପଡୁଥିବାରୁ ବର୍ଷାଦିନେ କିମ୍ବା ବନ୍ୟା ସମୟରେ ଏହା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼େ। ଫଳରେ ଜୀବନକୁ ବାଜି ଲଗାଇ ଟିକା ନେବାକୁ ଯାଉଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ମୋନାଲିସା ବେହେରା, ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କେନ୍ଦ୍ରାପଡ଼ା ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (CDMO)ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଯଦି ଶିଶୁ ଓ ମହିଳାମାନେ ସଠିକ୍ ସମୟରେ ଟିକା ନ ପାଇପାରନ୍ତି, ତେବେ ଭବିଷ୍ୟତରେ କୌଣସି ଅଘଟଣ ଘଟିଲେ ସରକାରୀ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଜନସ୍ୱାସ୍ଥ୍ୟ ଓ ଶିଶୁ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ପାରିପୁଣ୍ଡିଲୋ ଗ୍ରାମରେ ଏକ ସ୍ଥାୟୀ ଟିକାକରଣ କେନ୍ଦ୍ର (Immunization Session Site) ସ୍ଥାପନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦୃଢ଼ ଦାବି କରାଯାଇଛି। ଗରଦପୁର ରୁ ସୋମ୍ୟ ରଞ୍ଜନ ସାହୁ ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର।