ଗଜପତି:- ୬ ମାସର ଅନ୍ଧକାର ଦୂର କଲେ ବିଧାୟକ ରୂପେଶ ପାଣିଗ୍ରାହୀ
ନିଜସ୍ୱ ଅର୍ଥରେ ବାଘଶାଳା ଗ୍ରାମରେ ଆଲୋକୀକରଣ ବ୍ୟବସ୍ଥା କଲେ
—————————————–
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଦୀର୍ଘ ୬ ମାସ ଧରି ଆଲୋକ ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ଅନ୍ଧକାରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ବିଶେଷକରି ରାତି ସମୟରେ ଗ୍ରାମର ରାସ୍ତାଘାଟ ଅନ୍ଧକାରମୟ ହୋଇପଡ଼ୁଥିବା ଯୋଗୁଁ ମହିଳା, ବୃଦ୍ଧବୃଦ୍ଧା, ଛୋଟ ପିଲା ଓ ସାଧାରଣ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଥିଲା। ଏମିତିକି ଅନ୍ଧକାର ଯୋଗୁଁ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୋଇ ଆସୁଥିଲା।
ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ଗ୍ରାମବାସୀଙ୍କ ଏହି ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସମ୍ପୃକ୍ତ ବାଘଶାଳା ଗ୍ରାମରେ ନିଜସ୍ୱ ଅର୍ଥରେ ଗ୍ରାମରେ ଆଲୋକୀକରଣ ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଥିଲେ। ତାଙ୍କର ଏହି ଉଦ୍ୟମ ଫଳରେ ଦୀର୍ଘ ଦିନ ଧରି ଅନ୍ଧକାରରେ ରହିଥିବା ବାଘଶାଳା ଗ୍ରାମରେ ପୁଣି ଆଲୋକର ସୁଫଳ ବ୍ୟବସ୍ଥା ହୋଇପାରିଛି।
ଦୀର୍ଘ ୬ ମାସ ଧରି ଯେଉଁ ସମସ୍ୟାକୁ ନେଇ ଗ୍ରାମବାସୀ ଚିନ୍ତିତ ଥିଲେ, ତାହାର ସମାଧାନ ଦିଗରେ ବିଧାୟକଙ୍କ ଏହି ପଦକ୍ଷେପକୁ ଗ୍ରାମବାସୀ ସ୍ୱାଗତ କରିଛନ୍ତି। ଗ୍ରାମରେ ଆଲୋକ ବ୍ୟବସ୍ଥା ହେବା ପରେ ରାତି ସମୟରେ ଯାତାୟାତ ସହଜ ଓ ସୁଗମ ହେବା ସହ ଲୋକଙ୍କ ମନରେ ଆଶ୍ୱସ୍ତି ଓ ଖୁସି ଦେଖିବାକୁ ମିଳିଛି।
ଏହି ଅବସରରେ ବାଘଶାଳା ଗ୍ରାମର ବାସିନ୍ଦାମାନେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଦୀର୍ଘଦିନର ଅନ୍ଧକାର ସମସ୍ୟା ଦୂର କରିବା ପାଇଁ ବିଧାୟକଙ୍କ ଏହି ସହଯୋଗ ଗ୍ରାମ ପାଇଁ ଏକ ଆଶ୍ୱସ୍ତିକର ପଦକ୍ଷେପ।
ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେଇ ଏଭଳି ସହଯୋଗର ହାତ ବଢ଼ାଇଥିବାରୁ ବାଘଶାଳା ଗ୍ରାମବାସୀ ବିଧାୟକଙ୍କ ପ୍ରତି ନିଜର ଆନନ୍ଦ ଓ ଆଭାର ପ୍ରକାଶ କରିଛନ୍ତି। ଏଥିସହ ଆଗାମୀ ଦିନରେ ଗ୍ରାମର ଅନ୍ୟାନ୍ୟ ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।
——————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————————
