August 31, 2026

କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ। ଶୀଘ୍ର ସମାଧାନ ଦାବି

IMG-20260831-WA0045
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟୟ ଆଡକୁ ଗତି କରିଚାଲିଥିଲେ ମଧ୍ୟ ଓଡିଶା ସରକାରଙ୍କ ଏଥି ପ୍ରତି ତିଳେ ମାତ୍ର ନିଘା ନଥିବା ନେଇ ସମଗ୍ର ଜିଲ୍ଲାରେ ଜନ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି। ବିଗତ ସରକାରଙ୍କ ଅମଳରେ କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଚିକିତ୍ସାଳୟ ଗୁଡିକର ସଂଖ୍ୟା ବୃଦ୍ଧି କରାଯିବା ସହ ଭିତ୍ତିଭୂମିର ମଧ୍ୟ ବିକାଶ ହୋଇଥିଲା। ଏପରିକି କଳାହାଣ୍ଡି ବାସୀଙ୍କ ସମସ୍ତ ପ୍ରକାରର ଚିକିତ୍ସା ପାଇଁ ଓ ଅଧିକ ସୁବିଧା ନିମନ୍ତେ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟ ମଧ୍ୟ କରାଯାଇଥିଲା।ବର୍ତ୍ତମାନ ସମଗ୍ର କଳାହାଣ୍ଡି ଜିଲ୍ଲାର ହାରାହାରି ୧୯ ଲକ୍ଷ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସେବା ନିମନ୍ତେ ମୋଟ ୨୪୧ ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ୪୬ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୧୭ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଗୋଟିଏ ଉପଖଣ୍ଡ ଚିକିତ୍ସାଳୟ ଓ ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଥିବାବେଳେ, ମେଡିକାଲ କଲେଜଟି ଏପର୍ଯ୍ୟନ୍ତ ସମ୍ପୂର୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ।କିନ୍ତୁ ଜିଲ୍ଲାର ପ୍ରାୟ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର, ନର୍ସ ଓ ବିଭିନ୍ନ ବିଭାଗର ପାରା ମେଡିକାଲ କର୍ମଚାରିଙ୍କ ଅଭାବ ଯୋଗୁଁ ଜନସାଧାରଣଙ୍କ ଚିକିତ୍ସା ଅସମ୍ଭବ ହୋଇପଡୁଛି। ସୂଚନା ଅନୁଯାୟୀ, ଜିଲ୍ଲାରେ ମୋଟ ୬O୬ ଡାକ୍ତର ପଦ ପାଇଁ ମଞ୍ଜୁରୀ ଥିବାବେଳେ ଅଛନ୍ତି ମାତ୍ର ୨O୧ ଜଣ ଡାକ୍ତର। ସେହିପରି ୧O୮ ଜଣ ବିଶେଷଜ୍ଞଙ୍କ ବଦଳରେ ଅଛନ୍ତି ମାତ୍ର ୩୬ ଜଣ। ଏହାଛଡା ୩୫୬ ଗୋଟି ନର୍ସ ପଦବୀରୁ ଅଛନ୍ତି ମାତ୍ର ୨୩୯ ଜଣ, ୧O୫ ସଂଖ୍ୟାରେ ଲେବ ଟେକନିସିଆନ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୩୬ ଜଣ। ଏଥିସହ ୪୬ ଗୋଟି ରେଡ଼ିଓଗ୍ରାଫର ପଦବୀରୁ ମାତ୍ର ୨୪ ଜଣ କାର୍ଯ୍ୟରତ ଅଛନ୍ତି। ଡାକ୍ତର ଓ କର୍ମଚାରି ଅଭାବ ଯୋଗୁଁ ବର୍ତ୍ତମାନ ଜିଲ୍ଲାର ସମସ୍ତ ଚିକିତ୍ସାଳୟ ରେଫରାଲ ସେଣ୍ଟରରେ ପରିଣତ ହୋଇଥିବା ଯୋଗୁଁ ସାଧାରଣ ଲୋକେ ଅନେକ ଅସୁବିଧା ଓ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବିଫଳତାର ସିଡ଼ି ଚଢି ଚାଲିଥିବା ବର୍ତ୍ତମାନର ଡବଲ ଇଂଜିନ ସରକାର ଏହି ଖାଲି ପଦବୀ ଗୁଡିକ ପୁରଣ କରିବାନେଇ ଜିଲ୍ଲା ବାସୀଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି ହେବାସହ ପ୍ରବଳ ଅସନ୍ତୋଷ ଜାତ ହେଉଛି। ତେଣୁ ଆଗକୁ ପରିସ୍ଥିତି ଆହୁରି ସାଂଘାତିକ ହେବା ପୂର୍ବରୁ ସରକାର ଏହି ଗୁରୁତର ସମସ୍ୟାକୁ ଗୁରୁତ୍ୱ ଦେଇ ସମସ୍ତ ପଦବୀ ଶୀଘ୍ର ପୁରଣ କରନ୍ତୁ ବୋଲି ଜିଲ୍ଲାର ବିଭିନ୍ନ ମହଲରୁ ଜୋରଦାର ଦାବି ଉଠୁଛି।

You may have missed