May 30, 2026

ଜିନ୍ଦଲ ଷ୍ଟିଲ ୱାର୍କସ(JSW)ର ଉଦଘାଟନ: ଢ଼ିଙ୍କିଆ ଚାରି ଦେଶ ପାଇଁ ଉପହାସ: ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍. ଏ.ପି.ଏମ୍)

IMG-20260530-WA0005
Share

 

 

ଭୁବନେଶ୍ୱର, ତା ୨୯/୦୫/୨୬: ଦୀର୍ଘ ବର୍ଷ ବର୍ଷ ଧରି ଢ଼ିଙ୍କିଆ ଚାରି ଦେଶର ଲୋକମାନଙ୍କ ଜୀବନ ଜୀବିକା ତଥା ଧାନ ପାନ ଓ ମୀନର ଅର୍ଥନୀତି କୁ ଲାତ ମାରି ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଜିନ୍ଦଲ ଷ୍ଟିଲ ୱାର୍କସ(JSW)ର ଉଦଘାଟନ ଢ଼ିଙ୍କିଆ ଚାରି ଦେଶର ଲୋକମାନଙ୍କ ପାଇଁ ବିଜେପି ସରକାରଙ୍କ ଏକ ଚରମ ଉପହାସ ବୋଲି ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍) ପକ୍ଷରୁ ଅଭିଯୋଗ କରାଯାଇଛି। ଗତ ବିଜେଡି ସରକାରଙ୍କ ସମୟରେ,୨୦୨୨ ମସିହା ଜାନୁଆରୀ ୧୪ ତାରିଖରେ ଜିନ୍ଦଲ ପ୍ରତିରୋଧ ମଞ୍ଚର ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଉପରେ ପୋଲିସ୍ ଦମନଲୀଳାର କଳଙ୍କିତ ଇତିହାସ ଓ ସେହି ସମୟରେ ବିଜେପି ଦଳର ମିଛ କୁମ୍ଭୀର କାନ୍ଦଣାକୁ ଏହା ପୁଣି ଥରେ ଉଜାଗର କରିଛି ବୋଲି ଏନ୍.ଏ.ପି.ଏମ୍(NAPM) ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି।

 

ଧାନ-ପାନ ଓ ମୀନର ଏକ ସ୍ୱାବଲମ୍ବୀ ଅର୍ଥନୀତିକୁ ଉଜାଡ଼ି ଦେବା ନିମନ୍ତେ ଜିନ୍ଦଲ ଭଳି କମ୍ପାନୀ ନିକଟରେ ବିଜେପି ସରକାରଙ୍କ ଏହା ଏକ ନିର୍ଲଜ୍ଜ ଆତ୍ମ ସମର୍ପଣ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ସରକାର କହୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର କ୍ଷମତାକୁ ଆସିବା ପରେ ଢ଼ିଙ୍କିଆ ଚାରି ଦେଶର ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନ୍ୟାୟ ପାଇଁ ଆବେଦନ କରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଜଙ୍ଗଲ ଅଧିକାର ଆଇନ-୨୦୦୬ କୁ ଉଲ୍ଲଂଘନ କରି, ପ୍ରକୃତି ଓ ପରିବେଶର ସୁରକ୍ଷା ବିଷୟକୁ ଅଣଦେଖା କରି ବିଜେଡି ସରକାରଙ୍କ ଅମଳରେ ସେମାନଙ୍କ ଜମି ବଳପୂର୍ବକ ଅଧିଗ୍ରହଣ କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ। ପାନବରଜ କରି ଏବଂ ପାନବରଜ ରେ କାମ କରି କିପରି ଶହ ଶହ ଶ୍ରମିକଙ୍କ ଜୀବନ ଜୀବିକାକୁ ଧ୍ୱଂସ କରି ଦିଆଯାଇଥିଲା, ତାହାର ତଦନ୍ତ ପାଇଁ ଓ ନ୍ୟାୟ ପାଇବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ସେମାନଙ୍କ ସମସ୍ତ ଆବେଦନ ଓ ନିବେଦନ ଆଜି ନିଷ୍ଫଳ ହୋଇଛି ଓ ସେମାନେ ବିଜେପି ସରକାରଙ୍କ ଦ୍ୱାରା ଦ୍ୱିତୀୟ ବାର ପ୍ରତାରିତ ହୋଇଛନ୍ତି ବୋଲି ଆଜି ସେମାନେ ଅନୁଭବ କରୁଛନ୍ତି। ଅବଶ୍ୟ ବିଜେପି ସରକାର ଯେ ଶିଳ୍ପପତି ଓ ପୁଞ୍ଜିପତି ମାନଙ୍କ ଦ୍ୱାରା ପରିଚାଳିତ ଏକ ସଖି କଣ୍ଢେଇ ସରକାର, ହୁଏତ ତାର ସମୀକ୍ଷା କରିବାକୁ ଭୁଲି ଯାଇଥିଲେ, ଯାହା ଆଜି ଜିନ୍ଦଲ କମ୍ପାନୀର ଶିଳାନ୍ୟାସରେ ପ୍ରତିଫଳିତ ହୋଇଛି। “ଆଗରୁ ଆମେ କମ୍ପାନୀ ମାନଙ୍କ ଉପରେ ଚାପ (ପ୍ରେସର) ପକାଉଥିଲୁ, କିନ୍ତୁ ଏବେ କମ୍ପାନୀ ମାନେ ଆମ ଉପରେ ଚାପ (ପ୍ରେସର) ପକାଉଛନ୍ତି” ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବକ୍ତବ୍ୟ କର୍ପୋରେଟ ସ୍ୱାର୍ଥ ନିକଟରେ ସରକାରଙ୍କ ଦେବାଳିଆ ପଣକୁ ପଦାରେ ପକାଇ ଦେଇଛି ବୋଲି ସେ ଏହି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି। ଢ଼ିଙ୍କିଆ ଚାରି ଦେଶର ଲୋକମାନଙ୍କ ଜୀବନ ଜୀବିକାର ସୁରକ୍ଷା, ପ୍ରକୃତି ଓ ପରିବେଶର ସନ୍ତୁଳନ ପାଇଁ ଜିନ୍ଦଲ କମ୍ପାନୀ ସହ ଜନବିରୋଧୀ ବୁଝାମଣା ( MoU) ପତ୍ର ବାତିଲ୍ କରିବାକୁ ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍) ଦାବି କରିଛି। ଏହା ସହିତ ବିକଳ୍ପ ବିକାଶ ଭାବରେ ସ୍ଥାନୀୟ କୃଷି ଭିତ୍ତିକ ତଥା ଧାନ, ପାନ ଓ ମୀନର ସ୍ୱାବଲମ୍ବୀ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ କ୍ଷୁଦ୍ର ଓ କୁଟୀର ଶିଳ୍ପର ବିକାଶ ପାଇଁ ନୀତି ନିର୍ଦ୍ଧାରଣ ଓ ଯୋଜନା ପ୍ରସ୍ତୁତ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି।