September 29, 2024

ନିମ୍ନ ମାନର ମାଣ୍ଡିଆ ଯୋଗାଣ ,ରାସ୍ତାରେ ଫିଙ୍ଗି ପ୍ରତିବାଦ ଜଣାଇଲେ ହିତାଧିକାରୀ

Share

 

 

ବୁଗୁଡ଼ା : ତା ୨୯/୦୯/୨୪ : ଅତି ନିମ୍ନ ମାନର ମାଣ୍ଡିଆ ଯୋଗାଣକୁ ନେଇ ଉତକ୍ଷିପ୍ତ ହିତାଧିକାରୀ ତାହାକୁ ରାସ୍ତାରେ ଫିଙ୍ଗି ପ୍ରତିବାଦ ଜଣାଇଲେ l ଏମିତି ଦୃଶ୍ୟ ବୁଗୁଡ଼ା ସହରରେ ଦେଖିବାକୁ ମିଳିଛି l ବୁଗୁଡ଼ା ସହରର ୧୧ନଂ ୱାର୍ଡର ଡିଲର ପ୍ରକାଶ ଚନ୍ଦ୍ର ସାହୁଙ୍କ ସରକାରୀ ସୁଲଭ ମୂଲ୍ୟ ଦୋକାନ ସମ୍ମୁଖରେ ରାସ୍ତା ଉପରେ ମାଣ୍ଡିଆ ଢାଳି ହିତାଧିକାରୀମାନେ ପ୍ରତିବାଦ ଜଣାଇଛନ୍ତି l ସୂଚନା ଅନୁଯାୟୀ ମାଗଣାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୩ କିଲୋ ୩ ଶହ ଗ୍ରାମ ହିସାବରେ ମାଣ୍ଡିଆ ଦେବା ପାଇଁ ୩ ଦିନ ତଳେ କଣ୍ଟ୍ରୋଲ ଗୁଡିକୁ ମାଣ୍ଡିଆ ଆସିଥିଲା l ଗତ ୨୭ ତାରିଖରୁ ଡିଲରମାନେ ମାଣ୍ଡିଆ ଦେବା ଆରମ୍ଭ କରିଛନ୍ତି l ସେ ଅନୁସାରେ ଡିଲର ଜଣକ ତାଙ୍କ ଅଧିନସ୍ଥ ବୁଗୁଡ଼ା ଏନଏସିର ୧୧, ୧୨ ଓ ୧୩ ନଂ ଆଦି ତିନୋଟି ୱାର୍ଡର ହିତାଧିକାରୀମାନଙ୍କୁ ମାଣ୍ଡିଆ ବଣ୍ଟନ କରୁଥିବା ବେଳେ ଏହି ମାଣ୍ଡିଆରେ ବାଲି ଓ ଅନ୍ୟାନ୍ୟ ଦାନା ମିଶା ଯାଇଥିବାରୁ ୩ କିଲୋ ମାଣ୍ଡିଆ ନେଇ ତାକୁ ଧୁଆଧୋଇ କରି ଛାଣିଲା ବେଳକୁ ମାତ୍ର କିଲେ ମାଣ୍ଡିଆ ବାହାରୁଥିବା ଜଣାପଡିଥିଲା । ତାହା ମଧ୍ୟ ଭଲ କ୍ୱାଲିଟିର ହୋଇ ନଥିବାରୁ ଲୋକଙ୍କ ଖାଇବା ଯୋଗ୍ୟ ନୁହେଁ l ଏହା ପ୍ରଚାର ହେବା ପରେ ଆଜି ମାଣ୍ଡିଆ ନେବାକୁ ଆସିଥିବା ହିତାଧିକାରୀମାନେ ଅପମିଶ୍ରିତ ମାଣ୍ଡିଆ ଦେଖି କଣ୍ଟ୍ରୋଲ ଦୋକାନ ସମ୍ମୁଖ ରାସ୍ତା ଉପରେ ମାଣ୍ଡିଆ ଫିଙ୍ଗି ପ୍ରତିବାଦ ଜଣାଇ ଥିଲେ l ସମ୍ପୃକ୍ତ ଡିଲର ନିଜ ଦୋକାନ ସମ୍ମୁଖରେ ବୋର୍ଡ ମାରୁନଥିବା ଏବଂ ସମୟ ନିର୍ଘଣ୍ଟ ଲେଖୁ ନଥିବା ନେଇ ମଧ୍ୟ ଲୋକେ ଅଭିଯୋଗ କରିଥିଲେ l ଏ ନେଇ ଯୋଗାଣ ଅଧିକାରୀଙ୍କୁ ଲୋକେ ଫୋନ କରି ଜଣାଇଥିଲେ ମଧ୍ୟ ଯୋଗାଣ ଅଧିକାରୀ ହେମନ୍ତ କୁମାର ପ୍ରଧାନ ଘଟଣା ସ୍ଥଳକୁ ନ ଆସି ଯଦି ଖରାପ ମାଣ୍ଡିଆ ଦିଆ ଯାଉଛି ତାହାହେଲେ ଏବେ ମାଣ୍ଡିଆ ନିଅ ନାହିଁ ଏବଂ ପରେ ଭଲ ମାଣ୍ଡିଆ ଆସିଲେ ନେବ ବୋଲି କହିଥିଲେ l