ମହାବାତ୍ୟା ‘ମୋନ୍ଥା’ କୁ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପୂର୍ବ ପ୍ରସ୍ତୁତି ବୈଠକ..
ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ସମ୍ଭାବ୍ୟ ବାତ୍ୟାକୁ ‘ମୋନ୍ଥା’ କୁ ନେଇ ପାଣିପାଗ ବିଭାଗ ତରଫରୁ ସମଗ୍ର ଦକ୍ଷୀଣ ଓଡିଶା ପାଇଁ ଦିଆଯାଇଥିବା ଚେତାବନିକୁ ନେଇ ଗତକାଲି ଜରୁରୀକାଳିନ ଭିତ୍ତିରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାତ୍ୟାକୁ ନେଇ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏନେଇ କଳାହାଣ୍ଡି ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ’, କଳାହାଣ୍ଡି ଜିଲ୍ଲାରେ ୨୭ ଓ ୨୮ ତାରିଖ ପାଇଁ ଅରେଞ୍ଜ ୱାର୍ନିଙ୍ଗ ଥିବାବେଳେ, ୨୯ ଓ ୩ଓ ତାରିଖ ପାଇଁ ରେଡ ୱାର୍ନିଙ୍ଗ ଜାରି ହୋଇଛି। ଏନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ପ୍ରସ୍ତୁତି ସରିଯାଇଛି। ଜିଲ୍ଲାର ୧୩ ଟି ବ୍ଲକ ଓ ୩୧O ଟି ଗ୍ରାମ ପଞ୍ଚାୟତର ଅଧିକାରୀ ମାନଙ୍କୁ ଦିନରାତି ଛବିଶ ଘଣ୍ଟା, ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାପାଇଁ ନିର୍ଦେଶ ଦିଆଯାଇଛି। ଏହାଛଡା ଓଡ୍ରାଫର ତିନୋଟି ଟିମ ଭବାନୀପାଟଣା,ଧର୍ମଗଡ଼ ଓ ଥୁ. ରାମପୁର ଠାରେ ପ୍ରସ୍ତୁତ ହୋଇରହିଛନ୍ତି। ଏହାଛଡା ଭୂସ୍ଖଳନ ଯୋଗୁଁ ବଡ ବଡ଼ ପଥର ଗୁଡିକ ଖସି ରାସ୍ତା ଗୁଡିକ ଜାମ ନହେବା ପାଇଁ ପି.ଡବ୍ଲୁ.ଡି ବିଭାଗକୁ ନିର୍ଦେଶ ଦିଆଯାଇ ପୋକଲିନ ଗୁଡିକୁ ପ୍ରସ୍ତୁତ ରଖାଯାଇଛି। ଏଥିସହ ଜଳଯୋଗାଣ ବିଭାଗ, ଜିଲ୍ଲାର ସମସ୍ତ ଚିକିତ୍ସାଳୟ ଗୁଡିକୁ ଓ ବିଦ୍ୟୁତ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ ଦିଆ ଯାଇଥିବାବେଳେ, ଜିଲ୍ଲା ସାରା ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ସମ୍ପୂର୍ଣ ରୂପେ ସମସ୍ତ ସୁବିଧା ସହ ପ୍ରସ୍ତୁତିରେ ରଖାଯାଇଛି। ଏଥିସହ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଆଙ୍ଗନବାଡି କେନ୍ଦ୍ର ଗୁଡିକୁ ୨୮, ୨୯ ଓ ୩O ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାପାଇଁ ନିର୍ଦେଶ ଦିଆଯାଇଛି।
