September 28, 2026

କୋକସରାରେ ପିକଅପ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଡ୍ରାଇଭର ଓ ହେଲପର ଗୁରୁତର

hand
Share

 

 

କୋକସରା, (ଉପାନ୍ତ ଖବର)(ପ୍ରଦିପ ଭରାସଗରିଆ): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳ ଦେଇ ଯାଇଥିବା ଏନ୍‌ଏଚ୍‌-୨୬ ଜାତୀୟ ରାଜପଥରେ ପିକଅପ୍‌ ଓ ମାଲବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପିକଅପ୍‌ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି।

 

ଗୁରୁତର ଆହତ ଦୁଇଜଣ ହେଲେ କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ କୋଶାଗୁଡ଼ା ଗ୍ରାମର ନନ୍ଦ ଭତରା ଓ ମଙ୍ଗଳ ମୁଦୁଲି। ସୂଚନା ଅନୁସାରେ, ପିକଅପ୍‌ଟି ଆମପାଣି ପଟୁ ଦ୍ରୁତ ଗତିରେ ଆସୁଥିବା ବେଳେ ବିପରୀତ ଦିଗରୁ ଭବାନୀପାଟଣା ପଟୁ ଆସୁଥିବା ଏକ ମାଲବୋଝେଇ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

 

ଧକ୍କା ପରେ ଟ୍ରକ୍‌ଟି ପିକଅପ୍‌ ଉପରେ ଚଢ଼ିଯିବାରୁ ଡ୍ରାଇଭର ଗାଡ଼ି ଭିତରେ ଚାପି ରହିଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ କୋକସରା ଥାନା ଅଧିକାରୀ ଡମ୍ବରୁଧର ଭର୍ତ୍ତିଆ, ଏସ୍‌ଆଇ ଡି. ମୋହନଙ୍କ ସମେତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

 

ଏହାସହ ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କାଶ୍ୟପ କୁମାର ପଟ୍ଟନାୟକ, ସୁନୀଲ ରଞ୍ଜନ ବର୍ଲା, ଲଳିତ ପୁଟେଲ, ଉମାଶଙ୍କର ନାଏକ, ରାଧେଶ୍ୟାମ ପ୍ରଧାନୀ, ଦେବାଶିଷ ମହାପାତ୍ର ଓ ବିଶ୍ୱଜିତ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସ୍ଥାନୀୟ ବାସିନ୍ଦା ସନ୍ତୋଷ ନାଏକ, ଜିତୁ ପ୍ରଧାନୀଙ୍କ ସମେତ କୋକସରା ୟଙ୍ଗ୍ ଷ୍ଟାର କ୍ଲବର ସଦସ୍ୟମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

 

ଉଦ୍ଧାର ପରେ ଉଭୟ ଗୁରୁତରଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡ୍ରାଇଭର ନନ୍ଦ ଭତରାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

(ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପ ଭରାସଗରିଆ ଙ୍କ ରିପୋର୍ଟ “ଉପାନ୍ତ ଖବର”)