ହିନ୍ଦ ମଜଦୁର ସଭା ଓଡ଼ିଶାର ସଭାପତି ହେଲେ ବିଜୟ କୁମାର ମହାନ୍ତି
*ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସ୍ୱାଗତ ଓ ଅଭିନନ୍ଦନ*
ସମ୍ବଲପୁର ୨୮/୦୯: ହିନ୍ଦ ମଜଦୁର ସଭା ଓଡ଼ିଶା ରାଜ୍ୟ ପରିଷଦର ୧୫ତମ ରାଜ୍ୟ ସମ୍ମିଳନୀରେ ବରିଷ୍ଠ ଶ୍ରମିକ ନେତା ବିଜୟ କୁମାର ମହାନ୍ତି ସର୍ବସମ୍ମତିକ୍ରମେ ଓଡ଼ିଶା ରାଜ୍ୟ ହିନ୍ଦ ମଜଦୁର ସଭାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଳଚେର ସାଉଥ ବଲଣ୍ଡାସ୍ଥିତ ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ଗତ ୨୭ ତାରିଖରେ ଅନୁଷ୍ଠିତ ରାଜ୍ୟ ସମ୍ମିଳନୀର ନିର୍ବାଚନ ଅଧିବେଶନରେ ନିର୍ବାଚନ ଅଧିକାରୀ ଏହି ଘୋଷଣା କରିଥିଲେ।
ବିଜୟ କୁମାର ମହାନ୍ତିଙ୍କ ଏହି ବିଜୟ ପରେ ଓଡିଶା ତଥା ସମ୍ବଲପୁରର ବିଭିନ୍ନ ଶ୍ରମିକ ସଂଗଠନ, ଟ୍ରେଡ୍ ୟୁନିୟନ ଓ ସାମାଜିକ ସଂଗଠନ ପକ୍ଷରୁ ତାଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଛି। ଜଣେ ଶ୍ରମିକ ନେତା ଭାବେ ଶ୍ରୀ ମହାନ୍ତିଙ୍କ ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦରେ ରେ ନିର୍ବାଚନ ନେଇ ଶ୍ରମିକ ମହଲରେ ଆନନ୍ଦ ପ୍ରକାଶ ପାଇଛି।
ହିନ୍ଦ ମଜଦୁର ସଭା ସହବନ୍ଧିତ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ସଭାପତି ଭାବେ ଦୀର୍ଘବର୍ଷ ଧରି ଶ୍ରମିକ ସଂଗଠନ ସହ ଜଡ଼ିତ ରହି ବିଭିନ୍ନ ଶ୍ରମିକ, କର୍ମଚାରୀ, କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା ନେଇ କାର୍ଯ୍ୟ କରିଆସିଥିବା ଶ୍ରୀ ମହାନ୍ତିଙ୍କ ନୂତନ ଦାୟିତ୍ୱ ଓଡ଼ିଶାର ଶ୍ରମିକ ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି ଶୁଭେଚ୍ଛୁମାନେ ଆଶା ପ୍ରକାଶ କରିଛନ୍ତି।
ସେହି କ୍ରମରେ ହିନ୍ଦ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଭାବେ ତାଳଚେର ବିଧାୟକ ତଥା ଶ୍ରମିକ ନେତା ବ୍ରଜକିଶୋର ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ବୈଦ୍ୟନାଥ ଦାସ ଏବଂ କୋଷାଧ୍ୟକ୍ଷ ଭାବେ ଭୁବନାନନ୍ଦ ମହାପାତ୍ର ନିର୍ବାଚିତ ହୋଇଛନ୍ତି।
ଆହୁରି ମଧ୍ୟ ସ୍ଥାୟୀ ବିଶେଷ ନିମନ୍ତ୍ରିତ ସଦସ୍ୟ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ପ୍ରଫୁଲ୍ଲ ମଲ୍ଲିକ ଏବଂ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମନୋନୀତ କରାଯାଇଛି। ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିସାନ, ପ୍ରୀତିରଞ୍ଜନ ଘଡେଇ, ଶ୍ରୀକାନ୍ତ ସାହୁ, ବିଧାୟକ ଯୋଗେଶ ସିଂ, ପୂର୍ବତନ ସାଂସଦ ରବି ପାଣି ଏବଂ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ପ୍ରମୁଖ ରହିଛନ୍ତି।
ବିଜୟ କୁମାର ମହାନ୍ତିଙ୍କ ରାଜ୍ୟ ସଭାପତି ଭାବେ ନିର୍ବାଚନକୁ ନେଇ ଓଡ଼ିଶାର ବିଭିନ୍ନ ଶ୍ରମିକ ମହଲରେ ଉତ୍ସାହ ପ୍ରକାଶ ପାଇଛି। ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଉପସଭାପତି ଗୋକୁଳ ମେହେର, ସମ୍ବଲପୁର ଶ୍ରମିକ କର୍ମଚାରୀ ସମନୁଏ କମିଟି ରୁ ଗଦାଧର କୁଅଁର, ଏନ୍. ଗୋପାଳ, ଲଳିତ ପଟ୍ଟନାୟକ, ରବୀନ୍ଦ୍ର କୁମାର ମହାନ୍ତି, ରଘୁମଣୀ ଦାସ, ମହେଶ୍ୱର ଷଣ୍, ପ୍ରଣୟ କୁମାର ନାୟକ , ହିନ୍ଦାଲକୋ ପାୱାର ଶ୍ରମିକ ସଂଘର ସଭାପତି ମହମ୍ମଦ ମୁର୍ତ୍ତୁଜ଼ା, ହିନ୍ଦାଲକୋ ଏଫ.ଆର.ପି ଶ୍ରମିକ ସଂଘ ର କାର୍ଯ୍ୟକାରୀ ସଭାପତି ସୁବ୍ରତ ପଣ୍ଡା, ମହାନଦୀ କୋଲ ମଜଦୁର ସଂଘ ରୁ କୁଳମଣି ଦାସ, ହିମଗିର କୋଲ ମାଇନ୍ସ ସଂଘର ସୁଶୀମ ଦାସ, ଧରିତ୍ରୀ ନିର୍ମାଣ ଶ୍ରମିକ ସଂଘର ରୁଦ୍ରାଣୀ ନାଥ, ସମ୍ବଲପୁର ଅଟୋ ମହାସଂଘ ପ୍ରେମାନନ୍ଦ ମିଶ୍ର, ସମ୍ବଲପୁର ବିଡି କାରିଗର ସଂଘ ର ରବିନ ଵାବୁ, ପଶ୍ଚିମ ଓଡିଶା ସୁରକ୍ଷା କର୍ମୀ ସଂଘର ସଭାପତି ଆର୍ଯ୍ୟନ ବେହେରା ପ୍ରମୁଖ ବିଜୟ କୁମାର ମହାନ୍ତିଙ୍କୁ ସ୍ୱାଗତ ଜଣାଇବା ସହ ତାଙ୍କର ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ସମ୍ବଲପୁରରୁ ବିଜୟ କୁମାର ମହାନ୍ତି ରାଜ୍ୟ ହିନ୍ଦ ମଜଦୁର ସଭାର ସଭାପତି ଭାବେ ନିର୍ବାଚିତ ହେବା ଶ୍ରମିକ ସଂଗଠନ କ୍ଷେତ୍ରରେ ସମ୍ବଲପୁର ପାଇଁ ଏକ ଉଲ୍ଲେଖନୀୟ ସଫଳତା ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।
