April 28, 2026

ଦରିଦ୍ରତା ଯୋଗୁଁ ଅଷ୍ଟମରୁ ପାଠ ଛାଡି ଗଜପତି ଜିଲ୍ଲା ଗୁମ୍ମା ବ୍ଲକରୁ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ନାବାଳକ ଶବ ହୋଇ ଫେରିଲେ                   

IMG-20250828-WA0020
Share

 

 

ପାରଳାଖେମୁଣ୍ଡି:୨୮/୮(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଦାଦନଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି. ଏହି ଜିଲ୍ଲାର ଗୁମାବ୍ଲକରେ କଲମ ଧରି ପାଠ ପଢିବା ବୟସରେ ଦରିଦ୍ରତା ଯୋଗୁଁ ପରିବାର ପରିପୋଷଣ ପାଇଁ ୧୫ ବର୍ଷର ନାବାଳକ ହୋଇଥିଲେ ହେଁ ଗଜପତି ଜିଲ୍ଲାର ଭିଟାମାଟି ଛାଡି ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିଲେ. ହେଲେ ମାତ୍ର କିଛି ଦିନ ଦାଦନ ଭାବେ ଖଟି ନିଜ ପରିବାର ପରିପୋଷଣ ପାଇଁ ସାହା ଭରଷା ପାଲଟି ଥିବା ଏହି ନାବାଳକ ଦାଦନ ଶ୍ରମିକ ଆନ୍ଧ୍ରରେ ମୃତ୍ୟୁ ବରଣ କରିଛନ୍ତି. ତାଙ୍କ ନାମ ଦିଲକାଶ ଶବର ପିତା ଦୁକାନ ଶବର। ନିଜ ଗ୍ରାମ ଗଜପତିର ଅଙ୍ଗେଈଡା ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ପରିବାର ସହିତ ନମନଗଡ ପଞ୍ଚାୟତର ସରଦାପୁର ଗ୍ରାମରେ ବସବାସ କରୁଥିଲେ। ବୟସ ତାଙ୍କର ୧୫ ବର୍ଷ ହୋଇଥିଲା. ସେ ୨୦୨୩-୨୪ରେ ନମନଗଡ ସରକାରୀ ଉଚ୍ଚ ବିଦ୍ୟଳୟରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ।ପରିବାରର ଦାରିଦ୍ରତାକୁ ପାଖରୁ ଦେଖି ସହିପାରିଲେନି ଦିଲକାଶ ଏବଂ ବାହାରିପଡିଲେ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରି ସହରକୁ। ଭାବିଥିଲେ କାମକରି କିଛି ଟଙ୍କା ଘରକୁ ପଠେଇ ପରିବାରକୁ ସହାୟତା ପ୍ରଦାନ କରିବେ. କିଛି ଦିନ ଖଟି କିଛି ଟଙ୍କା ମଧ୍ୟ ଘରକୁ ପଠାଇ ଥିଲେ. ହେଲେ ବିଧିରବିଧାନ ଓଲଟା ଥିଲା. ସେଠାରେ ସେ ରାସ୍ତା କଡର ଗୋଟିଏ କୋଠା ନିର୍ମାଣ କାମ କରୁଥିବା ସମୟରେ ଏକ ଗାଡି ଆସି ଧକା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା। ଘଟଣା ସ୍ଥଳରେ ଆନ୍ଧ୍ର ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଗତକାଲି ତାଙ୍କ ଶବ ଗଜପତିର ନିଜ ଗ୍ରାମରେ ପହଁଚିଥିଲା. ଗ୍ରାମରେ ପରିବାର ଓ ପରିଜନର କାନ୍ଦ ବୋବାଳିରେ ଗାଁ ଫାଟି ପଡୁଥିଲା। ନିଜ ପୁଅକୁ ହରାଇ ବାପାମାଆ ଭାଂଗି ପଡ଼ିଛନ୍ତି. ଅଞ୍ଚଳବାସୀ ମୃତ ନାବାଳକର ପିତା ମାତାଙ୍କ ପରିପୋଷଣ ପାଇଁ ସରକାର ସାହାଯ୍ୟ କରନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି।