April 25, 2026

ପାରଳାଖେମୁଣ୍ଡି ଗଜପତି କଲେଜର ପୁରାତନ ଛାତ୍ର ଡା. ଜୟନ୍ତ କୁମାର ପଣ୍ଡା ଜାତୀୟସ୍ତରରେ ଏନଏସଏସ ମାନୁଆଲ ସମୀକ୍ଷା କମିଟିକୁ ମନୋନୀତ

IMG-20250828-WA0018
Share

 

ପାରଳାଖେମୁଣ୍ଡି:୨୮/୮(ଗରୁଡ ଧ୍ଵଜ ଚୌଧୁରୀ)ପାରଳାଖେମୁଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜର ପୁରାତନ ଛାତ୍ର ଡା. ଜୟନ୍ତ କୁମାର ପଣ୍ଡା ବର୍ତ୍ତମାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି. ବର୍ତ୍ତମାନ ଡା. ଜୟନ୍ତ କୁମାର ପଣ୍ଡାଙ୍କୁ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧୀନସ୍ଥ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗଠିତ 16 ଜଣିଆ ସଦସ୍ୟ ଜାତୀୟ ସମୀକ୍ଷା କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛନ୍ତି। କମିଟିର ଅଧ୍ୟକ୍ଷତା ଭାରତ ସରକାରଙ୍କ ଯୁବ ବ୍ୟାପାର ସଚିବ କରୁଛନ୍ତି। 2006ର ପ୍ରସ୍ତୁତ ଏନଏସଏସ ମାନୁଆଲର ପୁନଃ ସମୀକ୍ଷା କରି ନୂତନ ଏନଏସଏସ ମାନୁଆଲ ପ୍ରସ୍ତାବ କରିବା ପାଇଁ ଏହି କମିଟି ଗଠନ କରାଯାଇଛି। କମିଟି 4 ସପ୍ତାହ ମଧ୍ୟରେ ତାହାର ସୁପାରିଶ ଦାଖଲ କରିବ। ଏହି କମିଟିରେ ଓଡ଼ିଶାରୁ କେବଳ ଡା. ପଣ୍ଡାଙ୍କୁ କାର୍ଯ୍ୟକ୍ରମ ସଂଯୋଜକ ଭାବେ ମନୋନୀତ କରାଯାଇଛି। ବର୍ତ୍ତମାନ ଜାତୀୟ ସେବା ଯୋଜନା ଅଧିନରେ ସାରା ଦେଶରେ 396ଟି ବିଶ୍ୱବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ପରିଷଦର 41,442 ୟୁନିଟରୁ ପ୍ରାୟ 40 ଲକ୍ଷରୁ ଅଧିକ ସ୍ବଚ୍ଛାସେବୀ ଅଛନ୍ତି। ସେମାନେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ଗ୍ରାମୀଣ ଉନ୍ନୟନ, ପରିବେଶ ସୁରକ୍ଷା ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରି ଉନ୍ନତ ଭାରତ ଗଠନ ଦିଗରେ ଭୂମିକା ନେଉଛନ୍ତି। ଏନଏସଏସ ମାନୁଆଲକୁ ଜାତୀୟ ସେବା ଯୋଜନା କାର୍ଯ୍ୟସମ୍ପାଦନର “ସଂବିଧାନ” ବୋଲି ମଧ୍ୟ କୁହାଯାଏ। ଏଥିରେ ମୁଖ୍ୟତଃ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମର ପ୍ରୟୋଜନା, କାର୍ଯ୍ୟାନ୍ବୟନ, ମୂଲ୍ୟାୟନ, ପ୍ରଶିକ୍ଷଣ ଓ ନେତୃତ୍ୱ ବିକାଶ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥାଏ। ଡା. ପଣ୍ଡାଙ୍କ ଜାତୀୟ କମିଟିରେ ମନୋନୟନ NSS କ୍ଷେତ୍ରରେ ଓଡ଼ିଶା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ। ଡା. ପଣ୍ଡାଙ୍କ ମନୋନୟନକୁ ନେଇ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ସମେତ ସ୍ନାତକୋତ୍ତର ବିଭାଗ ଅଧ୍ୟକ୍ଷ ଓ ବିଶ୍ବଦ୍ୟାଳୟ କର୍ତ୍ତୃପକ୍ଷ ଶୁଭେଚ୍ଛା ଜଣାଇଛନ୍ତି।