ବେଆଇନ ପଥର ଖଣି ବ୍ଲାଷ୍ଟିଙ୍ଗ ନେଇ ମହିଳାଙ୍କ ରାସ୍ତା ଅବରୋଧ।

ରାଜସୁନାଖଳା, ୨୮/୩(ଉପାନ୍ତ ଖବର) :ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଧୀନସ୍ଥ ଲୋଧାଚୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋଇଲମା ଲାଞ୍ଜିପାହାଡ଼ରେ ବେଆଇନ କଳାମୁଗୁନି ପଥର ବ୍ଲାଷ୍ଟିଙ୍ଗ ନେଇ କୋଇଲମା ଗ୍ରାମର ମହିଳାମାନେ ରାଜସୁନାଖଳା -ରଣପୁର ରାସ୍ତାକୁ ଶନିବାର ଦିନ ଅବରୋଧ କରି ଥିଲେ । ଫଳରେ ରାସ୍ତାରେ ଯାତାୟାତ ୬ ଘଣ୍ଟା ଧରି ଠପ ହୋଇଯାଥିଲା। ଅଭିଯୋଗ ଅନୁଯାୟୀ ଲୋଧାଚୁଆ ଆର ଆଇ ସର୍କଲରେ ଦୀର୍ଘଦିନ ହେବ କୋଇଲମା ଲାଞ୍ଜିପାହାଡ଼ରେ ବେଆଇନ ଭାବେ କଳା ମୁଗୁନି ପଥର ଖଣି ଖନନ ହେଉଥିବା କୋଇଲିମା ଗ୍ରାମବାସିମାନେ ରଣପୁର ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ ପ୍ରଶାସନ ଶୁଣୁ ନଥିବା ଲୋକମାନେ କହିଛନ୍ତି। ଫଳରେ ବେଆଇନ ବ୍ଲାଷ୍ଟିଙ୍ଗ ପାଇଁ ଲୋକଙ୍କର ଘର ଫାଟୁଥିବା ସହ ପଥର ଖଣ୍ଡ ଲୋକଙ୍କ ଉପରେ ପଡି ଲୋକ ଆହତ ହେଉଥିବା ଅଭିଯୋଗ କରି କୋଇଲିମା ଗ୍ରାମର ମହିଳା ମାନେ ରାଜସୁନାଖଳା -ରଣପୁର ରାସ୍ତା ଅବରୋଧ କରିଥିଲେ। ଖବର ପାଇ ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା,ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ ଡି ଏସ ପି ନିହାର ରଞ୍ଜନ ମହାନ୍ତି,ରାଜସୁନାଖଳା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧକାରୀ କୋଇଲମା ଗ୍ରାମର ମହିଳାମାନଙ୍କୁ ଆଇନକୁ ହାତକୁ ନ ନେବାପାଇଁ ବୁଝାଇଥିଲେ। ରାସ୍ତା ଅବରୋଧକାରୀ କୋଇଲମା ଗ୍ରାମର ମହିଳାମାନେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ପହଁଚି ବେଆଇନ କଳାମୁଗୁନି ପଥର ଖଣି ବ୍ଲାଷ୍ଟିଙ୍ଗକୁ ସବୁଦିନ ପାଇଁ ବନ୍ଦ କରିବାକୁ କହିଥିଲେ । ଘଟଣା ସ୍ଥଳରେ ଚାପା ଉତେଜନା ସହ ପୋଲିସ ଅବରୋଧ କାରି ମୁହାଁ ମୁଁହି ହୋଇଥିଲେ। ପରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ, ନୟାଗଡ଼ଙ୍କ ତରଫରୁ (ନ୍ୟାୟିକ ବିଭାଗ)ନଂ ୧୪୮୩/ଡିଟି ୨୮.୩.୨୬ ଆଦେଶ ଯେହେତୁ, ଏହି କାର୍ଯ୍ୟାଳୟର ଆଦେଶ ନଂ ୧୪୩୯ ତା ୨୫.୦୩.୨୦୨୬ରେ ରଙ୍ଗଲାଲ ଜୟ ଭାରତ କୁମାରଙ୍କ ସପକ୍ଷରେ ରଣପୁର ତହସିଲ ଅନ୍ତର୍ଗତ ଛପରି କୋଲିମା ଷ୍ଟୋନ କ୍ୱାରୀ-୪ରେ ବିସ୍ଫୋରଣ କାର୍ଯ୍ୟ ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଇଥିଲା। ଆଜିର ତାରିଖ ସୁଦ୍ଧା ଉକ୍ତ କ୍ୱାରୀ ଅଞ୍ଚଳରେ ଓ ଆଖପାଖରେ ପ୍ରଚଳିତ ଆଇନଶୃଙ୍ଖଳା ପରିସ୍ଥିତି, ଜନ ଆନ୍ଦୋଳନ ଏବଂ ରାସ୍ତା ଅବରୋଧ ସମ୍ପର୍କରେ ତହସିଲଦାର, ରଣପୁର, ଥାନା ଅଧିକାରୀ ରାଣପୁର,ପିଏସ ଜୁନିଅର ମାଇନିଂ ଅଫିସର ନୟାଗଡ଼ଙ୍କଠାରୁ ବିଶ୍ୱସନୀୟ ରିପୋର୍ଟ ମିଳିବା ସହିତ ଯଦି ବିସ୍ଫୋରଣ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଏ ତେବେ ଶାନ୍ତି ଭଙ୍ଗ ହେବ ଏବଂ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦର ଆଶଙ୍କା ରହିଥିବାରୁ ଆଦେଶ ନଂ ୧୪୨୯ ତା ୨୫.୦୩.୨୦୨୬ ମାଧ୍ୟମରେ ପ୍ରଦାନ କରାଯାଇଥିବା ବିସ୍ଫୋରଣ ଅନୁମତିକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତୁରନ୍ତ ବଳବତ୍ତର ଭାବେ ନିଲମ୍ବନ କରାଯାଉଛି। ତଦନୁସାରେ, ଛପରି ପରିକୋଲିମା ଷ୍ଟୋନ କ୍ୱାରୀରେ ସମସ୍ତ ବିସ୍ଫୋରଣ କାର୍ଯ୍ୟ ତୁରନ୍ତ ବନ୍ଦ ହେବା ସହିତ ରଣପୁର ତହସିଲଦାର,ଏବଂ ଆଇଆଇସି, ରାଣପୁର ପିଏସଙ୍କୁ ଏହି ଆଦେଶକୁ କଠୋର ଭାବରେ କାର୍ଯ୍ୟକାରୀ କରିବାକୁ ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ୍ ଖଣି ଖନନ କାରଣରୁ ଉଜୁଡ଼ୁଛି ଘର , ଚାଷ ଜମି ଓ ପରିବେଶ। ଦିନ ତମାମ ଖଣି ଧୂଳି, ଧୂସର ଓ ପ୍ରଦୂଷଣରେ ଅଞ୍ଚଳବସୀ ଅଣ ନିଶ୍ୱାସୀ। ନିଲମ୍ବନ ଅବଧି ମଧ୍ୟରେ ଉକ୍ତ କ୍ୱାରୀରେ ଯେପରି କୌଣସି ବିସ୍ଫୋରକ ବ୍ୟବହାର କରାନଯାଏ, ମାଇନିଂ ଅଫିସର, ନୟାଗଡ଼ ତାହା ସୁନିଶ୍ଚିତ କରିବେ।ଏହି ଆଦେଶର କୌଣସି ଉଲ୍ଲଂଘନ ହେଲେ ଆଇନର ସମ୍ପୃକ୍ତ ବ୍ୟବସ୍ଥା ଅନୁଯାୟୀ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଜନଶୃଙ୍ଖଳା ଏବଂ ସୁରକ୍ଷା ବଜାୟ ରଖିବା ସହିତ ସ୍ୱାର୍ଥରେ ଏହି ଆଦେଶ ଜାରି ପ୍ରତିଶ୍ରୁତି ପ୍ରଦାନ କରିଥିବାରୁ ଛପର କୋଇଲମା ମହିଳାମାନେ ଅବରୋଧ ସ୍ଥାନରୁ ହଟିଥିଲେ। ଯାତାୟାତ ସ୍ଵାଭାବିକ ହୋଇ ଥିଲା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
