ଆଗୁଆ ସତର୍କ ସୂଚନା ଜାରି କଲା ବାଘୁଆ ଜଳସେଚନ ପ୍ରଶାସନ
ବୁଗୁଡ଼ା : ତା ୨୬/୧୦/୨୬ : ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାଘୁଆ ଜଳସେଚନ ଉପବିଭାଜନ ପକ୍ଷରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱ ଜୀବନ ମହାପାତ୍ର ବାଘୁଆ ଜଳ ଭଣ୍ଡାରରୁ ଯେ କୈଣସି ସମୟରେ ବାଘୂଆ ନଦୀଗର୍ଭକୁ ବନ୍ୟାଜଳ ନିଷ୍କାସନ ସକାଶେ ମାଇକ୍ ଯୋଗେ ଆଗୁଆ ସତର୍କ ସୂଚନା ଜାରି କରିଥିବା ଜଣାଯାଇଛି l ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଳସେଚନ ବିଭାଗର ପ୍ରଶାସନିକ ଅଧିକାରୀମାନଙ୍କୁ ଏଥି ସକାଶେ ସତର୍କ ରହିବାକୁ କୁହାଯାଇଛି l ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳ ଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ଆଶଙ୍କାରେ ବନ୍ୟା ନିୟନ୍ତ୍ରଣର ଆଗୁଆ ପଦକ୍ଷେପ ଗ୍ରହଣ ପାଇଁ ଏଭଳି ସୂଚନା ଜାରି କରାଯାଇଛି l ସୂଚନା ଅନୁଯାୟୀ ଏହି ତିନି ଦିନ ବର୍ଷା ସମୟରେ ନଦୀ ଗର୍ଭକୁ କୌଣସି ପ୍ରକାରେ ବ୍ୟବହାର କରିବା ନିଷେଧ କରାଯିବା ସହ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। ଏଥିସହ ଗୃହପାଳିତ ପଶୁ ମାନଙ୍କୁ ନଦୀ ଭିତରକୁ ନ ଛାଡିବା, ନିଜ ନିଜର ଧନ ଜୀବନର ସୁରକ୍ଷା ପାଇଁ ସର୍ବସାଧାରଣ ପ୍ରଶାସନକୁ ସହଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି l ସମସ୍ତଙ୍କ ଗୋଚରାର୍ଥେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡା, ଭଗବାନପୁର, ବି. କରଡ଼ାବାଡ଼ି, ବିରଞ୍ଚିପୁର, ଗୋଲିଆ, ଭାମଶିଆଳି, ସୋଡକ ଆଦି ପଞ୍ଚାୟତରେ ଓ କୋଠଘର କାନ୍ଥରେ ସତର୍କ ସୂଚନା ବିଜ୍ଞାପନ ମରାଯାଇ ବିଶେଷତଃ ନଦୀ କୂଳିଆ ଗ୍ରାମର ଗ୍ରାମବାସୀଙ୍କୁ ଏଥି ପ୍ରତି ସଚେତନ ରହିବାକୁ କୁହାଯାଇଛି l ପ୍ରକାଶ ଯେ, ବାଘୁଆ ଜଳ ଭଣ୍ଡାର ସ୍ତରର ଉଚ୍ଚତା ତଥା ବିପଦ ସଂକେତ ୧୧୩. ୮୫ ମିଟର ଥିବାବେଳେ ବର୍ତ୍ତମାନ ଏହାର ସ୍ତର ୧୧୨.୭୧ ମିଟର ଅଛି l
