October 27, 2026

ସମ୍ବଲପୁରରେ ଆପଦମିତ୍ରଙ୍କ ଡିଭିଜନସ୍ତରୀୟ ପ୍ରତିଯୋଗିତା ଶିବିର ପ୍ରାଥମିକ ଚିକିତ୍ସା ଓ ସନ୍ଧାନ-ଉଦ୍ଧାର କୌଶଳର ପ୍ରଦର୍ଶନ; ଝାରସୁଗୁଡ଼ା ଓ କଳାହାଣ୍ଡି ଦଳର ଉଲ୍ଲେଖନୀୟ ସଫଳତା

IMG-20261027-WA0071
Share

 

ସମ୍ବଲପୁର, ୨୭. ୧୦: ବିପର୍ଯ୍ୟୟ ସମୟରେ ତ୍ୱରିତ ଉଦ୍ଧାର, ଆହତଙ୍କୁ ପ୍ରାଥମିକ ଚିକିତ୍ସା ଓ ଅମୂଲ୍ୟ ଜୀବନ ରକ୍ଷା କରିବାରେ ଆପଦମିତ୍ର ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ସମ୍ବଲପୁର ନିଲଡୁଙ୍ଗରିସ୍ଥିତ ଉଦ୍ୟାନ ବିଭାଗ ପ୍ରଶିକ୍ଷଣ ଅନୁଷ୍ଠାନ ପରିସରରେ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନସ୍ତରୀୟ ପ୍ରାଥମିକ ଚିକିତ୍ସା ଏବଂ ସନ୍ଧାନ ଓ ଉଦ୍ଧାର ପ୍ରତିଯୋଗିତା ଶିବିର ଅନୁଷ୍ଠିତ ହୋଇଯାଇଛି।

 

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଆପଦମିତ୍ର ସ୍ୱେଚ୍ଛାସେବୀଙ୍କ ନିଃସ୍ୱାର୍ଥପର ସେବା ଓ ମାନବିକତାର ଉଚ୍ଚ ପ୍ରଶଂସା କରିଥିଲେ। ବିପର୍ଯ୍ୟୟ ସମୟରେ ସାହସ, ସତର୍କତା ଓ ଦକ୍ଷତାର ସହ କାର୍ଯ୍ୟ କରି ଅନେକ ଜୀବନ ରକ୍ଷା କରିବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିବା ସହ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ଗୀତାଞ୍ଜଳି ସା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କଳ୍ପନା ଦଳେଇ ସହଯୋଗ କରିଥିଲେ।

 

ପ୍ରତିଯୋଗିତାରେ ସମାଜସେବୀ ତଥା ଡାକ୍ତର ରାଜାରାମ ଷଡ଼ଙ୍ଗୀ, ଏଏଫଓ ସୁଦାମ କିସ୍କୋ, ବାସୁଦେବ ଲାମା, ଧନିରାମ ମୁଣ୍ଡା ଓ ଅଧ୍ୟାପକ ଶାନ୍ତନୁ କୁମାର ପ୍ରଧାନ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀ ଦଳଗୁଡ଼ିକର ଦକ୍ଷତା ଓ ପ୍ରଦର୍ଶନର ମୂଲ୍ୟାୟନ କରିଥିଲେ।

 

ପ୍ରାଥମିକ ଚିକିତ୍ସା ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲ୍ଲା ପ୍ରଥମ, କଳାହାଣ୍ଡି ଦ୍ୱିତୀୟ ଓ ବଲାଙ୍ଗୀର ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସନ୍ଧାନ ଓ ଉଦ୍ଧାର ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା ପ୍ରଥମ ଓ ଝାରସୁଗୁଡ଼ା ଜିଲ୍ଲା ଦ୍ୱିତୀୟ ଓ ବଲାଙ୍ଗୀର ତୃତୀୟ ସ୍ଥାନ ଅଧିକାର କରିଥିଲେ।କାର୍ଯ୍ୟକ୍ରମ ଶେଷରେ ମୁଖ୍ୟଅତିଥି ଶ୍ରୀ ଭୋଇ କୃତି ପ୍ରତିଯୋଗୀ ଦଳଗୁଡ଼ିକୁ ପୁରସ୍କୃତ କରିଥିଲେ। ଏହି ଶିବିର ଆପଦମିତ୍ର ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଦକ୍ଷତା, ସମନ୍ୱୟ ଓ ବିପର୍ଯ୍ୟୟ ମୁକାବିଲା ପ୍ରତି ସଚେତନତା ବୃଦ୍ଧିରେ ସହାୟକ ହୋଇଛି।ଶେଷରେ ଡିପିଓ ଶ୍ରୀମତୀ ସା ଧନ୍ୟବାଦ ଦେଇଥିଲେ।

You may have missed