October 27, 2026

୪୪ ବର୍ଷରେ ପାଦ ଥାପିଲା ଜଳକଳଙ୍ଗ ଗଜଲକ୍ଷ୍ମୀ ପୂଜା ଭକ୍ତିମୟ ପରିବେଶରେ ମା’ଙ୍କ ଆରାଧନା, ଆକର୍ଷଣ ସାଜିଛି ମନୋରମ ତୋରଣ ଓ ଆଲୋକ ସଜ୍ଜା

IMG-20261027-WA0070
Share

 

ହାଟଡିହି ତା ୨୭/୧୦(ମନମୋହନ ନାୟକ) : ଦୀର୍ଘ ୪୪ ବର୍ଷର ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଧୁମ୍‌ଧାମରେ ଅନୁଷ୍ଠିତ ହେଉଛି ଜଳକଳଙ୍ଗ ଗଜଲକ୍ଷ୍ମୀ ପୂଜା। ଗ୍ରାମବାସୀଙ୍କ ଅକୁଣ୍ଠ ସହଯୋଗ, ନିଷ୍ଠା ଓ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପୂଜା ଆଜି ଏକ ଭବ୍ୟ ଧାର୍ମିକ ଉତ୍ସବରେ ପରିଣତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ଆରାଧନାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ରବିବାର ସନ୍ଧ୍ୟାରେ ପାରମ୍ପରିକ ରୀତିନୀତି ଅନୁଯାୟୀ କଳସ ଶୋଭାଯାତ୍ରା ଆୟୋଜିତ ହେବା ପରେ ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମନ୍ତ୍ରୋଚ୍ଚାରଣ, ପୂଜାବିଧି ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ମା’ଙ୍କ ଆରାଧନା ଜାରି ରହିଛି। ଆଠ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ମହୋତ୍ସବରେ ପ୍ରତିଦିନ ଭଜନ, କୀର୍ତ୍ତନ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଭକ୍ତମାନଙ୍କୁ ଆକୃଷ୍ଟ କରୁଛି। ପୂଜା କାର୍ଯ୍ୟରେ ଭଗବାନ ନାୟକ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଶଙ୍କର୍ଷଣ ନାୟକ, ସଦାଶିବ ଚକ୍ର, ସନାତନ ଜେନା, ମନୋଜ ପାତ୍ର, ଅଜୟ ଜେନା, ସୁଶାନ୍ତ କୁମାର ନାୟକ, କାମପାଳ ନାୟକ, ନରେନ୍ଦ୍ର ସା, ରୁଦ୍ର ନାରାୟଣ ଜେନା, ଗୋପାଳ ନାୟକ, ପଙ୍କଜ ଜେନା ଓ ଟିକିନା ଜେନା ପ୍ରମୁଖ ପୂଜା ମହୋତ୍ସବର ସୁପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି। ସମସ୍ତଙ୍କ ସମନ୍ୱିତ ପ୍ରୟାସରେ ପୂଜାକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଜଳକଳଙ୍ଗ ପୂଜା ମଣ୍ଡପର ଆକର୍ଷଣୀୟ ତୋରଣ, ମନୋରମ ସାଜସଜ୍ଜା ଓ ରଙ୍ଗବେରଙ୍ଗର ଆଲୋକମାଳା ଦର୍ଶକଙ୍କ ମନ ମୋହୁଛି। ସନ୍ଧ୍ୟା ହେବା ମାତ୍ରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମରେ ପୂଜା ମଣ୍ଡପ ଚଳଚଞ୍ଚଳ ହୋଇଉଠୁଛି। ଦୂରଦୂରାନ୍ତରୁ ମଧ୍ୟ ଭକ୍ତ ଓ ଦର୍ଶକ ଆସି ମା’ଙ୍କ ଦର୍ଶନ କରିବା ସହ ପୂଜାର ଆଧ୍ୟାତ୍ମିକ ପରିବେଶର ଆନନ୍ଦ ନେଉଛନ୍ତି। ଅନ୍ୟପକ୍ଷରେ ହାଟଡିହି ହାଇସ୍କୁଲ ଛକରେ ମଧ୍ୟ ମା’ ଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଆରମ୍ଭ ହୋଇଛି। ଜଳକଳଙ୍ଗଠାରୁ ଛେନାପଦି ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରାୟ ୧୦ଟି ପୂଜା ମଣ୍ଡପ ସ୍ଥାପନ କରାଯାଇ ମା’ଙ୍କ ଆରାଧନା କରାଯାଉଛି। ଏହି ସବୁ ପୂଜା ମଣ୍ଡପକୁ ନେଇ ସମଗ୍ର ଅଞ୍ଚଳ ଏବେ ଉତ୍ସବମୁଖର ହୋଇପଡ଼ିଛି। ସନ୍ଧ୍ୟା ସମୟରେ ଜଳକଳଙ୍ଗଠାରୁ ଛେନାପଦି ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ଆଲୋକମାଳାରେ ଝଲସି ଉଠୁଥିବା ବେଳେ ଆକର୍ଷଣୀୟ ସାଜସଜ୍ଜା ପର୍ବପର୍ବାଣୀର ମାହୋଲକୁ ଆହୁରି ରଙ୍ଗିନ କରିଦେଉଛି। ପୂଜାକୁ କେନ୍ଦ୍ର କରି ଅଞ୍ଚଳରେ ଲୋକଙ୍କ ଗହଳି ବଢ଼ୁଥିବାରୁ ବିଭିନ୍ନ ବ୍ୟବସାୟୀ ନିଜ ନିଜର ପସରା ମେଲାଇ ବସିଛନ୍ତି। ଫଳରେ ଏହି ପୂଜା ମହୋତ୍ସବ କେବଳ ଧାର୍ମିକ ଆସ୍ଥା ଓ ଭକ୍ତିର ପ୍ରତୀକ ହୋଇ ରହିନାହିଁ, ବରଂ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭାଇଚାରା, ସାମାଜିକ ସମ୍ପର୍କ ଓ ବ୍ୟବସାୟିକ ଚଳଚଞ୍ଚଳତା ବୃଦ୍ଧିର ଏକ ପ୍ରମୁଖ ଅବସର ପାଲଟିଛି।

You may have missed