ଲାଞ୍ଜିଗଡ଼ରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଜନ୍ମାଷ୍ଟମୀ ପାଳିତ
ଲାଞ୍ଜିଗଡ଼ -( ପୁରନ୍ଦର ଦଣ୍ଡସେନା) ଜନ୍ମାଷ୍ଟମୀ ଉପଲକ୍ଷେ ସମଗ୍ର ଲାଞ୍ଜିଗଡ଼ ଉତ୍ସବ ମୁଖର ହୋଇଛି l ଲାଞ୍ଜିଗଡ଼ରେ ଥିବା ଗୋପୀନାଥ ମନ୍ଦିରକୁ ସୁନ୍ଦର ଭାବେ ସଜା ଯାଇଥିଲା ଏବଂ ସୁନ୍ଦର ଆଲୋକସଜ୍ଜା ଯୋଗୁଁ ପରିବେଶ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା l ଶ୍ରଦ୍ଧାଳୁମାନେ ସନ୍ଧ୍ୟା ସମୟରେ ଧୂପ, ଦୀପ, ଫୁଲ ଓ ଭୋଗ ନେଇ ଶହ ଶହ ସଂଖ୍ୟାରେ ମନ୍ଦିର ଅଭିମୁଖେ ଗମନ କରିଥିଲେ l ପାତ୍ର ସାହି ଏବଂ ପ୍ରଧାନୀ ସାହିର କୀର୍ତ୍ତନ ମଣ୍ଡଳୀ ଦ୍ୱାରା ହରିନାମ କୀର୍ତ୍ତନ ମହା ଧୂମ ଧାମରେ ପରିବେଷଣ କରାଯାଇଥିଲା l ଏକ ଭକ୍ତିମୟ ବାତାବରଣ ସୃଷ୍ଟି ହୋଇଥିଲା ଏବଂ ଧନ୍ୟବାଦ ଶ୍ରଦ୍ଧାଳୁମାନେ ଉଲ୍ଲସିତ ମନରେ ସେଇ ସୁନ୍ଦର ଭକ୍ତିମୟ ପରିବେଶ ମଧ୍ୟରେ ନିଜକୁ ଡୁବାଇ ଦେଇଥିଲେ l ମନ୍ଦିର ମଧ୍ୟରେ ପ୍ରଭୁ ଶ୍ରୀକୃଷ୍ଣ ପୂଜାର୍ଚ୍ଚନା କରାଯିବା ସହ ଶ୍ରୀମଦ ଭାଗବତରୁ ଶ୍ରୀକୃଷ୍ଣ ଜନ୍ମ ବିଷୟ ପାଠ କରାଯାଇଥିଲା l ଶ୍ରଦ୍ଧାଳୁମାନେ ଭକ୍ତିପୂତ ମନରେ ତାହା ଶ୍ରବଣ କରିଥିଲେ l ଛୋଟ ଛୋଟ କିଛି ବାଳକ କୃଷ୍ଣ ବେଶ ଧରି ସୁନ୍ଦର ଭାବେ ପ୍ରତିଯୋଗିତା ମୂଳକ ନୃତ୍ୟ ପରିବେଷଣ କରି ଲୋକଙ୍କ ମନରେ ଆନନ୍ଦ ସଞ୍ଚାର କରିଥିଲେ ଏବଂ ସେମାନଙ୍କୁ ପୁରସ୍କାର ଦେବାର ବ୍ୟବସ୍ଥା ମଧ୍ୟ ହୋଇଥିଲା l ଶେଷରେ ଶ୍ରଦ୍ଧାଳୁ ସମବେତ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରସାଦ ପରିବେଷଣ ପରେ ଉତ୍ସବ ସମାପନ ହୋଇଥିଲା l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର